ହଳଧର ନାଗଙ୍କ ଉପରେ ଜାତୀୟ ଆଲୋଚନାଚକ୍ର : ‘ହଳଧର ଜଣେ ଉଜ୍ଜ୍ୱଳ ରତ୍ନ’
ବରଗଡ଼ : ଲୋକ କବିରନô, ଯାଦବ ରନô ଆଦି ଅନେକ ସମ୍ମାନରେ ଭୂଷିତ ପଦ୍ରଶ୍ମୀ ହଳଧର ନାଗ ହେଉଛନ୍ତି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ । ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ଅନ୍ୟତମ ପ୍ରତୀକ । ସମ୍ବଲପୁରୀ ଭାଷାକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ଆଜି ବରଗଡ଼ ବରହାଗୁଡ଼ା ଠାରେ ସମ୍ବଲପୁରୀ ଭାଷାର ଲୋକକବି ପଦ୍ମଶ୍ରୀ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଆୟୋଜିତ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ହଲଧର – ସଜନ ଆର୍ ଦର୍ସନ’ ଶୀର୍ଷକ ଆଲୋଚନା ଚକ୍ର ସାହିତ୍ୟ ଅନୁଷ୍ଠାନ ଅଭିମନୁ୍ୟ ସାହିତ୍ୟ ସଂସଦ, ଘେଁସ ଏବଂ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ, ବରଗଡ଼ର ମିଳିତ ଉଦ୍ୟମରେ ଆୟୋଜିତ ହୋଇଛି ।
ଏ ଅବସରରେ ଧର୍ମେନ୍ଦ୍ର କହିଥିଲେ, ଲୋକକବି ହଳଧର ନାଗଙ୍କ ସାହିତ୍ୟକୁ ନେଇ ଆୟୋଜିତ ବହୁଭାଷୀ ଜାତୀୟ ସେମିନାରରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ଗବେଷକ ଯୋଗ ଦେବା ପ୍ରଶଂସନୀୟ । ସମସ୍ତେ ସାହିତି୍ୟକ ହୋଇପାରନ୍ତିନି । କିନ୍ତୁ ସମସ୍ତଙ୍କ ମଧ୍ୟରେ ସାହିତ୍ୟର ଆବଶ୍ୟକତା ରହିଥାଏ । କ୍ୱଚିତ୍ ଲୋକମାନେ ସେହି ବିଚାର ଓ ଆବେଗକୁ ଲୋକଭାଷା ବା ମାତୃଭାଷାରେ ପରିପ୍ରକାଶ କରିବାର କ୍ଷମତା ରଖିଥାନ୍ତି । ସେହିଭଳି ଜଣେ ବ୍ୟକ୍ତିବିଶେଷ ହେଉଛନ୍ତି ହଳଧର ନାଗ ।
ଏ ଅବସରରେ ଶ୍ରୀ ପ୍ରଧାନ ହଳଧର ନାଗଙ୍କ ଉପରେ ଲିଖିତ କିଛି ପୁସ୍ତକ, ଗ୍ରନ୍ଥାବଳୀ ଏବଂ ସଂକଳନକୁ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସମେତ ବରଗଡ଼ ସାଂସଦ, ବିଧାୟକଗଣ ଏବଂ ଜନପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ ।