ତାଣ୍ଡବ ରଚିଲା ବାତ୍ୟା "ମୋନ୍ଥା' : ଅମଲାପୁରମରେ ଲ୍ୟାଣ୍ଡଫଲ, ଜଣେ ମୃତ , ଦକ୍ଷିଣ ଓଡ଼ିଶାରେ ଦେଖାଇଲା ତୋଡ

ତାଣ୍ଡବ ରଚିଲା ବାତ୍ୟା "ମୋନ୍ଥା'  : ଅମଲାପୁରମରେ ଲ୍ୟାଣ୍ଡଫଲ, ଜଣେ ମୃତ , ଦକ୍ଷିଣ ଓଡ଼ିଶାରେ ଦେଖାଇଲା ତୋଡ
  • ମୋହନା, ନାରାୟଣପାଟଣାରେ ପଥର ଓ ଗଛପଡି ରାସ୍ତା ବନ୍ଦ
  • କୋରାପୁଟ, ସେମିଳିଗୁଡାରେ ଉପୁଡିଲା  ଗଛ
  • ଆର. ଉଦୟଗିରି, କାଶୀନଗର ଓ ଗୁମ୍ମାରେ ଭୂସ୍ଖଳନ 
  • ବଡମପେଟାରେ ଘର ଗିଳିଦେଲା ସମୁଦ୍ର
  • କଣାସରେ କାନ୍ଥ ଭୁଶୁଡି ଶିଶୁ ସମେତ ୩ ଆହତ
  • ୨୪ ଘଣ୍ଟା ପାଇଁ ଓଡ଼ିଶାକୁ ରହିଛି ବିପଦ
  • ଡେଞ୍ଜର ଜୋନରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡା
  • କଣ୍ଟ୍ରୋଲରୁମ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ମୋନ୍ଥା’ ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଅମଲାପୁରମରେ ଲ୍ୟାଣ୍ଡଫଲ୍‌ କରିଛି । ଏହି ପ୍ରକ୍ରିୟା ପ୍ରାୟ ୪ରୁ ୫ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ପ୍ରବଳ ବର୍ଷା ସହ ପବନର ବେଗ ବଢିଥିଲା । ଅଶାନ୍ତ ହୋଇ ଉଠିଥିଲା ସମୁଦ୍ର । ୪ରୁ ୫ ଫୁଟ ଉଚ୍ଚରେ ଜୁହାର ଉଠି ଆସିଥିଲା ରାସ୍ତାକୁ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିଥିଲା । ଝଟକା ପବନର ବେଗ ୧୧୦ କିମି ରହିଥିଲା । ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ଏହି ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଲୋକଙ୍କ ଜୀବନ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ୭ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଜା ଜଣାପଡିଛି । ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କାକିନାଡ଼ା, ବିଶାଖାପାଟଣା, କୃଷ୍ଣା, ପଶ୍ଚିମ ଗୋଦାବରୀ ଭଳି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏଥିପାଇଁ ଏସବୁ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

     ବାତ୍ୟା ‘ମୋନ୍ଥା’ର ତୋଡ ଆଜି ଓଡିଶାର ଦକ୍ଷିଣ ଜିଲ୍ଲା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ସକାଳୁ ବର୍ଷା ସହ ପବନ ବହିଥିଲା । ବିଶେଷ କରି ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ରାୟଗଡା ଆଦି ଜିଲ୍ଲାରେ ଲଗାଣ ବର୍ଷା ସହ ପବନ ବହିଥିଲା । ଉପକୂଳ ପାରାଦ୍ୱୀପ, ପୁରୀ ଓ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା ଦିନ ତମାମ ଲାଗି ରହିଥିଲା । ଏହି ବର୍ଷା ପବନ ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିବା ସହ ବଡ ବଡ ଗଛ ଭାଙ୍ଗିପଡିଛି । କେଉଁଠି ଘର ଭାଙ୍ଗିପଡିଛି ତ କେଉଁଠି ରାସ୍ତା ଉପରେ ବଡ ବଡ ପଥର ଖଣ୍ଡ ପଡି ରାସ୍ତା ଅବରୋଧ କରିଛି । ମିଳିଥିବା ସୂଚନା ମୁତାବକ, ମୋହନାରେ ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି । ମହେନ୍ଦ୍ରଗଡ-ଖମାରସାହି, ରାମଗିରି-ଦବାରସିଂହ ରାସ୍ତା ବନ୍ଦ ହୋଇଯାଇଛି । ସେହିପରି ରାସ୍ତା ଉପରେ ପାହାଡରୁ ଏକ ବିରାଟକାୟ ପଥର ଖସିପଡିବାରୁ ରାମଗିରି-ବଡଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଲକ୍ଷ୍ମୀପୁର ନରାୟଣାପାଟଣାରେ ପାହାଡରୁ ପଥର ଧସି ନାକଟିପଦର-ତଳିଗୁରାଣ୍ଡି ରାସ୍ତାରେ ପଡିଛି । ଫଳରେ ବୋରିପୁଟ-ନାକଟିପଦର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କୋରାପୁଟ ପଟାଙ୍ଗୀ ବ୍ଲକରେ ଏକ ସ୍କୁଲ ଉପରେ ଗଛ ଭାଙ୍ଗି ପଡିଛି । ଗାଙ୍ଗରାଜପୁର ପଞ୍ଚାୟତ କାଉଗୁଣ୍ଠା ସ୍କୁଲ ଉପରେ ଏହି ଗଛ ପଡିଛି । ସେମିଳିଗୁଡା ପଣସପୁଟ ଗାଁରେ ଜଣକ ଘର ଉପରେ ଗଛ ପଡିଛି । ଆର.ଉଦୟଗିରି, କାଶୀନଗର ଓ ଗୁମ୍ମାରେ ଭୂସ୍ଖଳନ ହୋଇଛି । ଗଞ୍ଜାମ ବଡମପେଟାରେ ଘର ଗିଳି ଦେଇଛି ସମୁଦ୍ର । ସେହିପରି ସତ୍ୟବାଦୀ କଣାସ ସାହୁପଡାରେ ମାଟି ଘର କାନ୍ଥ ଭୁଶୁଡି ଜଣେ ଶିଶୁ ସମେତ ୩ଜଣ ଆହତ ହୋଇଛନ୍ତି । ଯାଜପୁର ବ୍ୟାସନଗରରେ କାଳୀପୂଜା ପାଇଁ ହୋଇଥିବା ଲାଇଟ ଗେଟ ବର୍ଷା ପବନରେ ଭାଙ୍ଗି ପଡିଛି ।

    ଆସନ୍ତା ୨୪ ଘଣ୍ଟା ପାଇଁ ଓଡିଶାକୁ ବିପଦ ରହିଛି । ଦକ୍ଷିଣ ଓଡିଶାର ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଡେଞ୍ଜର ଜୋନରେ ରହିଛି । ଯେହେତୁ ବାତ୍ୟା ମୋନ୍ଥା ମାଲକାନଗିରି ଦେଇ ଛତିଶଗଡ ମୁହାଁ ହେବ ତେଣୁ ଏହିସବୁ ଅଞ୍ଚଳରେ ୩୦ ତାରିଖ ଯାଏଁ ଅତି ପ୍ରବଳ ବର୍ଷା ସହ ୮୦ କିମି ବେଗରେ ପବନ ବହିବ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ଡ. ମନୋରମା ମହାନ୍ତି । ଏନେଇ ସେ ଆସନ୍ତାକାଲି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମକୁ ରେଡ ୱାର୍ଣ୍ଣିଂ ଜାରି କରିଛନ୍ତି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି । ଅବଶିଷ୍ଟ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୦ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡାକୁ ରେଡ ୱାର୍ଣ୍ଣିଂ ଓ ନୂଆପଡା, ବଲାଙ୍ଗୀର, କନ୍ଧମାଳ, ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି । ଅବଶିଷ୍ଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।