ଦଳ ଛାଡିବାକୁ ବିଜେଡି ପାରିଷଦର ଚେତାବନୀ

ବ୍ୟାସନଗର: ମାର୍ଚ୍ଚ ମାସ ଆରମ୍ଭରୁ ତାତି ବଢିବା ପରି ବ୍ୟାସନଗର ପୌର ରାଜନୀତି ଉଷ୍ମ ହେବାରେ ଲାଗିଛି । ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କୁ ନେଇ ଗଲା କେତେ ମାସ ହେବ, ଚାଲିଆସିଥିବା ଛକାପଞ୍ଝା ମାର୍ଚ୍ଚମାସରେ ସଙ୍ଗୀତା ହଟାଓ ଅଭିଯାନର ଶୁଭାରମ୍ଭରୁ ତାତ ବଢାଇଛି । ପୌରାଧ୍ୟକ୍ଷା ସଙ୍ଗୀତାଙ୍କ ବିରୁଦ୍ଧରେ ଅନାସ୍ଥା ପାଇଁ ଅଣ୍ଟା ଭିଡ଼ିଥିବା ବିଜେଡ଼ି ପାରିଷଦ ରବିବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଉଭୟ ବିଜେଡ଼ି ପାରିଷଦ ନବୀନ ଏବଂ ଦେବୀଙ୍କୁ ସଙ୍ଗୀତାଙ୍କ ଗଲା ୩ବର୍ଷର କାର୍ଯ୍ୟକ୍ରମ, ଦଳ ପ୍ରତି ନିଷ୍ଠା, ଦଳୀୟ ପାରିଷଦଙ୍କୁ ଅଣଦେଖା, ବିକାଶକୁ କୋଣ ଠେସା କରିବା ପ୍ରସଙ୍ଗରେ ଆମୁଳଚୂଳ ଅବଗତ କରିଥିଲେ । ନବୀନ ଦେବୀ ଓ ବବିଙ୍କ ସହ ଆଲୋଚନା କରିବାକୁ ପରାମର୍ଶ, ଦେବୀ ସମୟ ମାଗି ପାରିଷଦଙ୍କ ଠାରୁ ବିଦାୟ ନେଇଥିଲେ । ସଙ୍ଗୀତାଙ୍କ ବିରୁଦ୍ଧରେ ପାରିଷଦ ଅନାସ୍ଥା ଆଣିବାକୁ ଏକ ପ୍ରକାର ମାନସିକ ସ୍ତରରେ ପ୍ରସ୍ତୁତି ରହିଥିବା ବେଳେ ଦଳର ହାଇକମାଣ୍ଡଙ୍କ ନିଷ୍ପତି କ’ଣ ରହି. ତା ଉପରେ ହିଁ ସବୁକିଛି ନିର୍ଭର କରେ । ଏକୁଟିଆ ହୋଇପଡ଼ିଥିବା ଅଧ୍ୟକ୍ଷା ସଙ୍ଗୀତାଙ୍କ ବିରୁଦ୍ଧରେ ଅନାସ୍ଥ୍ା ଆଣିବାକୁ ଅନୁମତି ମିଳିବାଟା ଏତେ ସହଜ ବ୍ୟାପାର ହୋଇପାରେ ନା । ଦଳୀୟ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଅନୁମତି ନିଜ ଗୋଡ଼ରେ କୁରାଢି ମାରିବା ସହ ସମାନ ହେବ । ଏକଥାକୁ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିବା ପାରିଷଦ ଭଲ ଭାବେ ଜାଣିଛନ୍ତି । ଏପରିକି ସମୟ ନେଇଥିବା ଦେବୀ ମାର୍ଚ୫ ବିଜୁ ବାବୁଙ୍କ ତିରୋଧାନ ଦିବସ ଯାଏ ନିଷ୍ପତିକୁ ଗଡ଼ାଇବେ ଏକଥାବି ଭଲ ଭାବେ ଅବଗତ ଅଛନ୍ତି ପାରିଷଦ । ଦଳର ନିଷ୍ପତିକୁ ଅପେକ୍ଷା କରିଥିବା ପାରିଷଦ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଯେଭଳି ଭାବେ ଖୁଲଖୁଲା ପଦାକୁ ବାହାରି ଆସିଛନ୍ତି, ଯଦି ଅନାସ୍ଥା ଆଣିନପାରନ୍ତି, ତେବେ ଦଳ ଛାଡ଼ିବାକୁ ବିଚାର ବିମର୍ଶ କରୁଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି । ସୂତ୍ରରୁ ମିଳିଥିବା ଖବର ମତେ ସର୍ବାଧିକ ପାରିଷଦ ଅଧ୍ୟକ୍ଷାଙ୍କ ମନମାନିକୁ ନେଇ ଅତିଶୟ ହେବା ପରେ ଦଳର ସ୍ଥାନୀୟ ନେତୃତ୍ୱଙ୍କ ଦୃଷ୍ଟିକୁ ଆଣିଥିଲେ । ଦଳର ନେତୃତ୍ୱ ନେଉଥିବା ନେତା ଅଧ୍ୟକ୍ଷା ଏବଂ ପାରିଷଦଙ୍କ ମଧ୍ୟରେ ଥିବା ମନାନ୍ତର ବା ମତାନ୍ତରକୁ ଦୂର କରିବାକୁ ଚେଷ୍ଠା କରିଥିଲେ । ଭାୟା ମିଡ଼ିଆ ଦେଇ ନେତା ଆପୋଷ ସମାଧାନ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା । ଦଳପ୍ରତି ନିଷ୍ଠା ରଖୁନଥିବା ସଙ୍ଗୀତାଙ୍କ ନିଜର କ୍ଷମତାକୁ ପ୍ରତିପାଦିତ କରିବାକୁ ବ୍ୟାସ ସରୋବା ମହୋସôବରେ ପଛାଇ ନଥିଲେ । ଦଳୀୟ ପାରିଷଦ ହେଉ କି କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ ଟେବୁଲ ତଳେ ଚାପି ଦେବା ଘଟଣାକୁ ହଜମ କରିପାରିନାହାନ୍ତି । ଉପେକ୍ଷିତ ପାରିଷଦ ଅଧ୍ୟକ୍ଷାଙ୍କୁ ଗାଦିଚୁ୍ୟତ କରିବାକୁ ଏକାଠି ହୋଇ ଆଗକୁ ବଢିବା ପୂର୍ବରୁ ହାଇକମାଣ୍ଡଙ୍କୁ ଭେଟିବାର ନିଷ୍ପତି ନେଇଥିଲେ । ତେବେ ଯଦି ହାଇକମାଣ୍ଡ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ ଅନୁମତି ପ୍ରଦାନ ନକରନ୍ତି, ତେବେ ପାରିଷଦ ସମୂହ ବିଜେଡ଼ି ଛାଡ଼ି ଦଳକୁ ଝଟକା ଦେବାକୁ ପଛାଇବେନି ବୋଲି ପୌରାଞ୍ଚଳରେ ଆଲୋଚନା ହେଉଛି । ତେବେ ଏନେଇ ଜୈନକ ପାରିଷଦଙ୍କୁ ପଚାରିବାରେ ହୁଁ କି ଚୁଁ କହିନଥିଲେ ।