ଆଦର୍ଶ ସମାଜ ଗଠନରେ ଶିକ୍ଷାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

 ହିଞ୍ଜିଳିକାଟୁ:  ହିଞ୍ଜିଳିକାଟୁ ବ୍ଲକ୍ ସିକିରି ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତରାମ ପାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ଆଦର୍ଶ ସମାଜ ଗଠନରେ ଶିକ୍ଷାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଉତ୍ତମ ଶିକ୍ଷା ଅଧ୍ୟୟନ ସହ ସୁନାଗରିକ ଭାବେ ଦେଶର ଟେକ ରଖିବାକୁ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ, ଦିଲ୍ଲୀ ସରକାର ବିନୋଦ ଚନ୍ଦ୍ର ସାବତ, ସରପଞ୍ଚ ସୁରେଶ ବରଡ, ବିଦ୍ୟାଳୟ ପ୍ରତିଷ୍ଠାତା ରମାକାନ୍ତ ପାଢି, ବିଦୁ୍ୟତ୍ ବିଭାଗୀୟ ଅବସରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଚୌଧୁରୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଆଇନଜୀବୀ ରଜନୀକାନ୍ତ ପାଢି ଯୋଗଦେଇ ଶିଶୁ ହସିଲେ ଦେଶ ହସିବ ଓ ଶିକ୍ଷାର୍ଥୀଙ୍କ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରସିଂହ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ବସନ୍ତୀ ଅତିଥି ପରିଚୟ ପ୍ରଦାନ କରିବା ସହ  ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୀମାଞ୍ଚଳ ପାଣିଗ୍ରାହୀ ପରିଚାଳନା କରିଥିବାବେଳେ ଶତ୍ରୁଘନ ନାହାକ, କୈଳାସ ନାହାକ, ପି. ମହାଲକ୍ଷ୍ମୀ, ଲିଲି ସାହୁ, ଗୀତାଞ୍ଜଳି ପାଢିଙ୍କ ସମେତ ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟା, ସେବକ, ସେବିକା ବୃନ୍ଦ ସହଯୋଗ କରିଥିଲେ । ଆୟୋଜିତ ଉତ୍ସବରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ବିଭିନ୍ନ ଶାଖାର ଆଚାର୍ଯ୍ୟ, ଆଚାର୍ଯ୍ୟା, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ ।