ଧୈର୍ଯ୍ୟ ହିଁ ପନ୍ଥା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଲୋକନ କରିବା ଜୀବନରେ ସଫଳତା ପାଇଁ ଧୈର୍ଯ୍ୟ କେମିତି ପନ୍ଥା, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବୟସ ଏବଂ ପରିସ୍ଥିତିକୁ ନେଇ ଏକ ଲକ୍ଷ୍ୟ ରହିଥାଏ । ସାଧାରଣ ଲୋକଙ୍କ କ୍ଷେତ୍ରରେ ଏହି ଲକ୍ଷ୍ୟ ସବୁବେଳେ ବଦଳିଥାଏ । ହେଲେ ଅସାଧାରଣ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଲକ୍ଷ୍ୟ କେବେ ବଦଳେ ନାହିଁ । ଏଭଳି ବ୍ୟକ୍ତିମାନେ ହିଁ ଜୀବନର ସମସ୍ତ ପ୍ରକାରର ପରିସ୍ଥିତିକୁ ସମ୍ମୁଖୀନ ହୋଇ ଧୈର୍ଯ୍ୟର ସହିତ ଆଗକୁ ମାଡି ଚାଲନ୍ତି । ଲକ୍ଷ୍ୟ ହାସଲ କ୍ଷେତ୍ରରେ ଅଜସ୍ର ପ୍ରତିବନ୍ଧକ ସୃଷ୍ଟି ହୁଏ । ଅପ୍ରତ୍ୟାଶିତ ସମସ୍ୟା ଆସେ । ନିଜ ଶରୀର ମଧ୍ୟ ନିଜର ସହାୟତା କରେ ନାହିଁ । ଲକ୍ଷ୍ୟ ହାସଲର ଘଡିସନ୍ଧି ମୁହୂର୍ତ୍ତରେ ରୋଗ ମାଡି ବସେ, ଦୁର୍ଘଟଣା ଘଟେ, ଆଉ କେହି ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି ହୋଇ ବିଭ୍ରାଟ ଘଟାନ୍ତି । ଏସବୁ ସତ୍ତ୍ୱେ ଧୈର୍ଯ୍ୟବାନ ବ୍ୟକ୍ତି କେବେ ବିଚୁ୍ୟତ ହୁଏ ନାହିଁ । ସମସ୍ତପ୍ରକାର ଅଭାବ, ଅସୁବିଧା, ଅସ୍ୱାସ୍ଥ୍ୟ, ବିଭ୍ରାଟ, ଦୁର୍ଘଟଣା ଆଦିକୁ ଧୈର୍ଯ୍ୟର ସହିତ ସମ୍ମୁଖୀନ ହୋଇପାରୁଥିବା ବ୍ୟକ୍ତ ହିିଁ ଜୀବନର ଅଭିଳଷିତ ଲକ୍ଷ୍ୟସ୍ଥଳରେ ପହଞ୍ଚେ ।
ଆଉ ଗୋଟିଏ ଦୃଷ୍ଟିରୁ ବିଶ୍ଳେଷଣ କରିଲେ ଅନୁଭବ କରିହୁଏ ଯେ ଉଦେ୍ଦଶ୍ୟ ମହତ୍ ଥିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକ ଗୁଡିକ ଦୀର୍ଘସ୍ଥାୟୀ ହୁଏ ନାହିଁ । ପ୍ରତିବନ୍ଧକ ଯେଭଳି ଅପ୍ରତ୍ୟାଶିତ ଭାବେ ଆସେ ଠିକ୍ ସେହିପରି ଦିନେ ଅପ୍ରତ୍ୟାଶିତ ଭାବରେ ଅଦୃଶ୍ୟ ହୋଇଯାଏ । ମହତ୍ ଲକ୍ଷ୍ୟ ଥିଲେ ଉତ୍ତମ ଗୁଣ ଏବଂ ଚରିତ୍ର ସମ୍ପର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ବ୍ୟକ୍ତିର ଚରିତ୍ର ନେଇ ସମଧର୍ମୀ ଲୋକ ବନ୍ଧୁ ଭାବରେ, ସହଯୋଗୀ ଭାବରେ ମିଳିଯାଆନ୍ତି । ଜୀବନର ଲମ୍ବା ଯାତ୍ରାରେ ସଜ୍ଜନକୁ ସଜ୍ଜନ ବନ୍ଧୁ ଏବଂ ଦୁର୍ଜନକୁ କୁସଙ୍ଗ ମିଳନ୍ତି । ସତ୍ମାର୍ଗର ବ୍ୟକ୍ତି ସମ୍ମୁଖରେ ହୁଏତ ଅଧିକରୁ ଅଧିକ ସମସ୍ୟା ଦେଖା ଦେଇପାରେ । ଅଥଚ ସେହି ସମସ୍ୟାର ଜାଲରୁ ମୁକୁଳି ଧୈର୍ଯ୍ୟର ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ପାଉଥିବା ଆନନ୍ଦ ଦୀର୍ଘସ୍ଥାୟୀ ହୁଏ ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।