ପାକର ଗୁମର ଖୋଲିବ ଭାରତ
ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ : ଭାରତ-ପାକିସ୍ତାନ ବିବାଦ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । ଆତଙ୍କୀ ପାଳୁଥିବା ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି । ଆଗାମୀ ଦିନରେ ଅନ୍ୟ ଦେଶ ଗସ୍ତ କରି ପାକିସ୍ତାନର ଗୁମର ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ମେ’ ୨୨ ପରେ ସର୍ବଦଳୀୟ କମିଟି ବିଭିନ୍ନ ଦେଶ ଗସ୍ତ କରିବେ । ୭ ସାଂସଦଙ୍କ ନେତୃତ୍ୱରେ ସାଂସଦମାନେ ବିଦେଶ ଗସ୍ତ କରିବା ପାଇଁ ସ୍ଥିର କରାଯାଇଛି । ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, କଂଗ୍ରେସର ଅନିଚ୍ଛା ସତ୍ତ୍ୱେ କେନ୍ଦ୍ର ସରକାର ଶଶୀ ଥରୁରଙ୍କୁ ଗୋଟିଏ କମିଟିର ନେତୃତ୍ୱ ଦେବା ଘଟଣା ଚର୍ଚ୍ଚା ସୃଷ୍ଟିକରିଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜଜୁଙ୍କ ସୂଚନା ଅନୁସାରେ, ବିଜେପି ନେତା ରବି ଶଙ୍କର ପ୍ରସାଦ, ଜେଡ଼ିୟୁ ନେତା ସଞ୍ଜୟ କୁମାର ଝା, ବିଜେପି ନେତା ବୈଜୟନ୍ତ ପଣ୍ଡା, ଡିଏମକେ ନେତା କାନିମୋଝି କରୁଣାନିଧି, ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ଶିବସେନା ନେତା ଶ୍ରୀକାନ୍ତ ଏକନାଥ ସିନେ୍ଦ ଓ କଂଗ୍ରେସ ନେତା ଶଶୀ ଥରୁରଙ୍କ ନେତୃତ୍ୱରେ ୭ଟି ସର୍ବଦଳୀୟ ଟିମ୍ ବିଦେଶ ଗସ୍ତରେ ଯିବେ । ଆମେରିକା, ବ୍ରିଟେନ୍, ଦକ୍ଷିଣ ଆଫ୍ରିକା, କାତାର ଓ ୟୁଏଇ ଆଦି ଦେଶ ସେମାନେ ଗସ୍ତ କରିବେ । ଅପରପକ୍ଷରେ କିରଣ ରିଜଜୁଙ୍କ ଅନୁରୋଧ କ୍ରମେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଆନନ୍ଦ ଶର୍ମା, ଗୌରବ ଗୋଗୋଇ, ଡକ୍ଟର ସୟଦ ନସିର ହୁସେନ୍ ଓ ରାଜା ବ୍ରାରଙ୍କ ନାମ ଦିଆଯାଇଥିଲା । ଯେଉଁଥିରେ ଶଶୀ ଥରୁରଙ୍କ ନାମ ନାହିଁ । କିନ୍ତୁ ଶଶୀଙ୍କୁ କେନ୍ଦ୍ର ସରକାର ଏଭଳି ଦାୟିତ୍ୱ ଦେବା ଘଟଣା ସ୍ୱାଭାବିକ ଭାବେ ଚର୍ଚ୍ଚା ସୃଷ୍ଟି କରିଛି । ଗତ କିଛି ମାସ ଧରି ଶଶୀ ଥରୁର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଥିବାବେଳେ ତାଙ୍କୁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ।