ଜାଗୁଆର୍ ସ୍କ୍ୱାଡ୍ରନ୍ରେ ମହିଳା ଫ୍ଲାଇଂ ଅଫିସର୍ ତନୁଷ୍କା 

 ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଜାଗୁଆର୍ ଫାଇଟର୍ ସିପ୍ (ଯୁଦ୍ଧ ବିମାନ)ରେ ପ୍ରଥମ ମହିଳା ଫ୍ଲାଇଂ ଅଫିସର୍ ଭାବେ ନିଯୁକ୍ତି ପାଇଛନ୍ତି ତନୁଷ୍କା ସିଂହ । ସେ ବାୟୁସେନାର ଜାଗୁଆର ଫାଇଟର ଜେଟ୍ ସ୍କ୍ୱାଡ୍ରନରେ ସ୍ଥାୟୀ ଭାବରେ ନିଯୁକ୍ତି ପାଇଛନ୍ତି ।  ଉତ୍ତରପ୍ରଦେଶ ନିବାସୀ ତନୁଷ୍କା ୨୦୦୭ରୁ ମାଙ୍ଗାଲୁରୁରେ ରହୁଥିବା ବେଳେ ତାଙ୍କ ତାଙ୍କ ବାପା ଏବଂ ଜେଜେବାପା ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟ କରି ଦେଶ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ।
ତନୁଷ୍କା ମାଙ୍ଗାଲୋରରୁ ନିଜର ସ୍କୁଲ୍ ପାଠ୍ୟକ୍ରମ ହାସଲ କରିଥିବା ବେଳେ ପରେ ୨୦୨୨ରେ ମଣିପାଲ ଇନଷ୍ଟିଚୁ୍ୟଟରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ । ପ୍ରଥମେ ସେ ସ୍ଥଳସେନାରେ ଯୋଗ ଦେବାକୁ ଚାହୁଁଥିଲେ, ହେଲେ ପରବର୍ତ୍ତୀ ସମୟରେ ସେ ବାୟୁସେନାକୁ ଚୟନ କରିଥିଲେ । ବାୟୁସେନାରେ ଭର୍ତ୍ତିର୍ ହେବା ପରେ ତାମିଲନାଡୁର ଡୁଣ୍ଡିଗାଲରେ ଥିବା ବାୟୁସେନା ଏକାଡେମୀରେ ତାଲିମ ଗ୍ରହଣ କରିଥିଲେ ଏବଂ ହକ୍ ଏମ୍କେ-୧୩୨ ବିମାନ ଉଡ଼ାଇବାରେ ଦକ୍ଷତା ହାସଲ କରିଥିଲେ । ଏବେ ସେ ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର୍ ଉଡ଼ାଣ ପାଇଁ ସୁଯୋଗ ପାଇଛନ୍ତି । ଜାଗୁଆର ହେଉଛି ବାୟୁସେନାର ସ୍ୱତନ୍ତ୍ର ଆଣବିକଶକ୍ତି ବହନକାରୀ ଫାଇଟର୍ ଜେଟ୍ । ସୂଚନା ଯେ, ପୂର୍ବରୁ କିଛି ମହିଳା ପାଇଲଟ ତାଲିମ ସମୟରେ ଏହି ଲଢ଼ୁଆ ବିମାନ ଉଡ଼ାଇଥିଲେ । କିନ୍ତୁ ତନୁଷ୍କା ପ୍ରଥମ ମହିଳା ପାଇଲଟ ଭାବେ ଜାଗୁଆର ସ୍କ୍ୱାଡ୍ରନରେ ସ୍ଥାୟୀ ନିଯୁକ୍ତି ପାଇଛନ୍ତି ।