୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ: ୮ ଦିନ ଅବକାଶକାଳୀନ ଅଦାଲତ
କଟକ: ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି । ଫଳରେ ୧୯ରୁ କୋର୍ଟ ବନ୍ଦ ହେବ ଓ ଜୁନ ୧୭ରୁ ଅଦାଲତ କାର୍ଯ୍ୟାରମ୍ଭ କରିବେ । ଏହି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ ୮ ଦିନ ଅବକାଶକାଳୀନ ଅଦାଲତ ବସିବ ବୋଲି ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ମେ ୨୦, ୨୩, ୨୭ ଓ ୩୦ ତାରିଖ ଏବଂ ଜୁନ୍ ୩, ୪, ୧୦ ଓ ୧୩ ତାରିଖରେ ଅବକାଶକାଳୀନ ଅଦାଲତ ବସିବେ । ସମସ୍ତ ଜରୁରୀ ମାମଲା, ଯେଉଁଗୁଡ଼ିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିନପାରିବେ, ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପୁ୍ୟଟର ଫାଇଲିଙ୍ଗ କାଉଣ୍ଟରରେ ଦାୟର କରାଯିବ । ଜରୁରୀ ମାମଲାଗୁଡ଼ିକ ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ମେ’ ୨୦ ଓ ୨୩ରେ ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସେହିପରି ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥି ପୃଥକ ପୃଥକ ବେଞ୍ଚରେ ଶୁଣାଣି କରିବେ । ୨୭ରେ ଜଷ୍ଟିସ କେଆର ମହାପାତ୍ର ଏବଂ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜଷ୍ଟିସ ଭି ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥି ଏବଂ ଜଷ୍ଟିସ ଏସକେ ମିଶ୍ର ପୃଥକ ପୃଥକ ବେଞ୍ଚରେ ମାମଲାର ଶୁଣାଣି କରିବେ । ମେ’ ୩୦ରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଏହାଛଡ଼ା ସିଙ୍ଗଲ ବେଞ୍ଚରେ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ, ଜଷ୍ଟିସ ଏସକେ ମିଶ୍ର ଏବଂ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ମାମଲାର ଶୁଣାଣି କରିବେ । ଜୁନ୍ ୩ ଓ ୪ରେ ଜଷ୍ଟିସ ବିପି ଶତପଥି ଏବଂ ଜଷ୍ଟିସ ଏମଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ ମାମଲାର ଶୁଣାଣି ହେବ । ପୁର୍ନବାର ଜଷ୍ଟିସ ବିପି ଶତପଥି ଏବଂ ଜଷ୍ଟିସ ଏମଏସ ରମଣ ସିଙ୍ଗଲ ବେଞ୍ଚର ପୃଥକ ପୃଥକ ମାମଲାର ଶୁଣାଣି କରିବେ । ଜୁନ୍ ୧୦ରେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏବଂ ଜଷ୍ଟିସ ଏମଏସ ରମଣ ଖଣ୍ଡପୀଠ ଭାବେ ଓ ପରେ ଉଭୟ ବିଚାରପତି ପୁଣି ସିଙ୍ଗଲ ବେଞ୍ଚରେ ମାମଲାର ଶୁଣାଣି କରିବେ । ଜୁନ୍ ୧୩ରେ ଶେଷ ଅବକାଶକାଳୀନ ଅଦାଲତ ବସିବ । ଯେଉଁଥିରେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏବଂ ଜଷ୍ଟିସ ଏମଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପରେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଏମଏସ ରମଣ ଏବଂ ଜଷ୍ଟିସ ଗୌରୀ ଶଙ୍କର ଶତପଥି ପୃଥକ ପୃଥକ ବେଞ୍ଚରେ ମାମଲାର ଶୁଣାଣି କରିବେ ।