‘ପୂର୍ବାଞ୍ଚଳ’ ସାହିତ୍ୟର ଭଣ୍ଡାର : ମାଧବ କୌଶିକ

 ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଉଦଘାଟିତ ହୋଇଛି । ଉଦଘାଟନୀ ଅଧିବେଶନରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ଅଧ୍ୟକ୍ଷତା କରିଥିଲେ । ଡକ୍ଟର କୌଶିକ କହିଥିଲେ, ପୂର୍ବାଞ୍ଚଳ ହେଉଛି ସାହିତ୍ୟର ଏକ ଭଣ୍ଡାର । ଏହି ଅଞ୍ଚଳ ଅନେକ ମହାନ ଲେଖକ ସୃଷ୍ଟି କରିଛି । କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଆଞ୍ଚଳିକ ଲେଖକ ସମ୍ମିଳନୀ ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଓଡିଆ କବି ହରପ୍ରସାଦ ଦାସ ଭାରତୀୟ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସାହିତ୍ୟ ଏକାଡେମୀର ପୂର୍ବାଞ୍ଚଳ ପରାମର୍ଶଦାତା ବୋର୍ଡର ସଂଯୋଜକ ଡକ୍ଟର ଗୌରହରି ଦାସ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ସେ ଓଡ଼ିଶାରେ ଏପରି ବହୁଭାଷୀ କାର୍ଯ୍ୟକ୍ରମ ଆୟୋଜନର ଗୁରୁତ୍ୱ ଉପରେ ମତ ରଖିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ର ଶେଖର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଦୟାଲାଲ ଯୋଶୀ (ଓଡିଆ), ଶୁନ୍ୟରେ ହସ୍ତାକ୍ଷର (ଓଡିଆ) ଆବୋଥିରା (ବୋଡୋ), ତୋତୋଦେର ଉପୋକଥା (ବଙ୍ଗଳା), ଓତିକ୍ରମ (ଅହମୀୟା) ଏବଂ ଆନ୍ ଇଣ୍ଟ୍ରଡକ୍ସନ ଟୁ ନାଗା ଫୋକ୍ ସଂଗସ୍ (ଇଂରାଜୀ)କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।