ବଢୁଛି ବେଆଇନ ମଦ କାରବାରର ରାଜସ୍ୱ ହାନୀ, ଚେଇଁ ଶୋଇଛି ଅବକାରୀ ବିଭାଗ
ବୋରିଗୁମ୍ମା : କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚୋରା ଦେଶୀ ମଦର କାରବାର କାହାକୁ ଅଛପା ନାହିଁ । ଅବକାରୀ ବିଭାଗର ଦୀପ ତଳ ଅନ୍ଧାର ସଦୃଶ୍ୟ । ଜୟପୁର ସହର ନିକଟ ଉମୁରି ଠାରେ ଥିବା ସରକାରୀ ଦେଶୀ ମଦ ଭାଟିକୁ ଚଳିତ ବର୍ଷ ଏପ୍ରିଲ,୧ ତାରିଖରୁ ବନ୍ଦ କରିଛି ଅବକାରୀ ବିଭାଗ । ଯାହା ଫଳରେ ସେହି ସରକାରୀ ଦେଶୀ ମଦ ଭାଟିରୁ ଆସୁଥିବା କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ହୋଇଥିବା ଜଣାପଡିଛି ।
ପ୍ରତ୍ୟେକ ମାସରେ ଉମୁରି ସରକାରୀ ଦେଶୀ ମଦ ଭାଟିରୁ ଅବକାରୀ ବିଭାଗକୁ ରାଜସ୍ୱ ବାବଦକୁ ପ୍ରାୟ ୮୦ ଲକ୍ଷ ଟଙ୍କା ଯାଇଥାଏ ବୋଲି ନିଜ ନାମ ଗୋପନ ଜଣେ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ସେହିଭଳି ଏକ ବର୍ଷରେ ମୋଟ ଅବକାରୀ ବିଭାଗ ରାଜସ୍ୱ ୯ କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି । ଅନ୍ୟ ପଟେ ସରକାରୀ ଦେଶୀ ମଦ ଭାଟି ବନ୍ଦ ହେବା ପରେ ଜୟପୁର ସହର ଓ ବ୍ଳକ ଅଞ୍ଚଳରେ ବିଫୁଳ ପରିମାଣର ଦେଶୀ ମଦ କାରବାର ହେଉଥିବା ଅଭିଯୋଗ ହେଉଛି । କୋରାପୁଟ, କୁନ୍ଦୁରା ଓ ବୈପାରିଗୁଡା ଠାରେ ଥିବା ସରକାରୀ ଦେଶୀ ମଦ ଭାଟିରୁ ଦେଶୀ ମଦ ଜୟପୁର ଅଞ୍ଚଳରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଜୟପୁର ସହର ଓ ବ୍ଳକ ଅଞ୍ଚଳରେ ତିନି ଗୋଟି ଭାଟିରୁ ମଦ ଆଣି ଗାଁ ଗାଁ ରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଜୟପୁର ଠାରେ ଅବକାରୀ ବିଭାଗ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଛନ୍ତି । କେବଳ ନାମକୁ ମାତ୍ର ଚଢ଼ାଉ କରି ଅବକାରୀ ବିଭାଗ ନିଜ ଦାୟିତ୍ୱ ସାରିଥିବା ଦେଖାଦେଇଛି । ଅବକାରୀ ବିଭାଗର ଅଧିକାରୀ ମାନେ ସରକାରୀ ରାଜସ୍ୱ କ୍ଷତି କରି ନିଜର ରାଜସ୍ୱ ଉପରେ ଧ୍ୟାନ ଦେଉଥିବା ଅଭିଯୋଗ ହେଉଛି । ଏଥି ସହ ସରକାରୀ ଦେଶୀ ମଦ ଭାଟି ବନ୍ଦ ହେବା ପରେ ଚୋରା ମଦ ବ୍ୟବସାୟୀ ମାନେ ସକ୍ରିୟ ହେବାକୁ ଲାଗିଲେଣି । ଏଣୁ ଲୋକେ ଯେପରି ଚୋରା ମଦ ପିଇ ମୃତୁ ମୁଖରେ ନ ପଡିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।