ଆଜି ବିଜୁଳି ସାଙ୍ଗକୁ ବର୍ଷା!
ଭୁବନେଶ୍ୱର : ଚଳିତ ସପ୍ତାହରେ ରାଜ୍ୟର ବିଭିନ୍ନସ୍ଥାନରେ କାଳବୈଶାଖୀ ପ୍ରଭାବ ଯୋଗୁ କୁଆପଥର ବର୍ଷା ଓ ବିଜୁଳି ଜାରି ରହିଛି । ବିଶେଷ କରି ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ୨୦ ତାରିଖ ପର୍ଯ୍ୟନ୍ତ ଏହିଭଳି ପାଣିପାଗ ଜାରି ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିବା ବେଳେ ଆସନ୍ତାକାଲି ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ନୂଆପଡା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟାରେ ଘଡଘଡି, କୁଆପଥର ସହ ପବନ ବହିବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକରେ ଘଡଘଡି, କୁଆପଥର ସହ ଝଟକା ପବନର ବେଗ ୪୦ରୁ ୫୦ କିଲୋମିଟର ଘଣ୍ଟା ପିଛା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି, କୁଆପଥର ସହ ଝଟକା ପବନର ବେଗ ଘଣ୍ଟା ପିଛା ୩୦ରୁ ୪୦କିଲୋମିଟର ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ସେହିପରି ୨୧ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୨ ଓ ୨୩ରେ ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୪ରୁ ୨୬ ପର୍ଯ୍ୟନ୍ତ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।