ବରିଷ୍ଠ ଆଡ୍ଭୋକେଟ୍ ରଶ୍ମୀରଞ୍ଜନଙ୍କୁ ସିଆଇଡି ଡିଜିଙ୍କ ପ୍ରଶଂସା
ଭୁବନେଶ୍ୱର : ଦୁଇଟି ଅପରାଧିକ ମାମଲାରେ ଉଲ୍ଲେଖନୀୟ ପରିଚାଳନା ପାଇଁ ସ୍ୱତନ୍ତ୍ର ସରକାରୀ ଅଧିବକ୍ତା ରଶ୍ମୀରଞ୍ଜନ ବ୍ରହ୍ମାଙ୍କୁ ଏକ ପତ୍ର ମାଧ୍ୟମରେ ପ୍ରଶଂସା କରିଛନ୍ତି ସିଆଇଡି ଡିଜି ବିନୟତୋଷ ମିଶ୍ର । ଦୁଇଟି ମାମଲାର ଯତ୍ନଶୀଳ ପରିଚାଳନା ଯୋଗୁ ୩ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ବିଧାନ କରାଯାଇଛି ବୋଲି ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।
କେସ୍ ନଂ ୧୯/୨୦୨୨ ଅନୁସାରେ ଯାଜପୁର ଜିଲ୍ଲା ନୂଆ କାଳିଆପାଣି ଅଞ୍ଚଳର ରାଜା ଓରଫ ଦୀପକ ନାୟକ ଏବଂ ଭୁବନେଶ୍ୱର ଫରେଷ୍ଟପାର୍କ ଅଞ୍ଚଳର ଉମେଶ ବେହେରା ଆଦି ଦୁଇଜଣ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭୟଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଏବଂ ୧ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ଦିଆଯାଇଛି । ସେହିପରି ଅନ୍ୟଏକ ମାମଲାରେ ଖୋର୍ଦ୍ଧାଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ବିଭୁତି ଭୂଷଣ ଜେନା ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ମଧ୍ୟ ୨୦ ବର୍ଷ ଜେଲ୍ ଏବଂ ୧ଲକ୍ଷ ଟଙ୍କା ଜରିମାନା ରାୟ ପ୍ରକାଶ ପାଇଛି । ଏହାସହ ଆଗାମୀ ଦିନରେ ଏହିଭଳି ମାମଲା ପରିଚାଳନା କରି ଏଥିରେ ସଫଳତା ଆଣିବାକୁ ତାଙ୍କର ଶୁଭକାମନା କରିଛନ୍ତି ଶ୍ରୀ ମିଶ୍ର ।