ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା; ଭାରତର ନିନ୍ଦା

ନୂଆଦିଲ୍ଲୀ : ବାଂଲାଦେଶରେ ଦୁଇଜଣ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣାକୁ କଡ଼ା ନିନ୍ଦା କରିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ  ପଡୋଶୀ ଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ "ନିରନ୍ତର ଶତ୍ରୁତା’ ବୋଲି ବର୍ଣ୍ଣନା କରିବା ସହ ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ସାମ୍ପ୍ରତିକ ହତ୍ୟାକାଣ୍ଡରେ ନୂଆଦିଲ୍ଲୀ ବିଚଳିତ ଓ ଏଥିରେ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଦଣ୍ଡ ଦିଆଯିବା ଉପରେ ଜୋର ଦେଇଛି । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ନିରନ୍ତର ଶତ୍ରୁତା ଏକ ବଡ଼ ଚିନ୍ତାର ବିଷୟ । ଆମେ ବାଂଲାଦେଶରେ ଜଣେ ହିନ୍ଦୁ ଯୁବକଙ୍କ ସମ୍ପ୍ରତି ହତ୍ୟାକୁ ନିନ୍ଦା କରୁଛୁ ଓ ଆଶା କରୁଛୁ ଯେ ଏହି ଅପରାଧର ଅପରାଧୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଜୟସୱାଲ କହିଛନ୍ତି ।

   

   ଭାରତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଉପରେ ନିରନ୍ତର ଚିନ୍ତା ପ୍ରକାଶ କରିଛି ଓ ବାଂଲାଦେଶ ଦ୍ୱାରା ଏପରି ଘଟଣା ଉପରେ "ମିଥ୍ୟା କାହାଣୀ’ କୁହାଯାଉଥିବାକୁ ପ୍ରତ୍ୟାଖ୍ୟାନ କରିଛି । ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ପ୍ରାୟ ୨,୯୦୦ ହିଂସାକାଣ୍ଡ ଘଟିଛି । ଆମେ ବାଂଲାଦେଶରେ ଜଣେ ହିନ୍ଦୁଙ୍କ ଜଘନ୍ୟ ହତ୍ୟାକୁ ନିନ୍ଦା କରୁଛୁ । ଆମେ ପୂର୍ବରୁ ମଧ୍ୟ ବିବୃତ୍ତି ଦେଇଛୁ, ବାଂଲାଦେଶ ଦ୍ୱାରା ପ୍ରକାଶିତ ମିଥ୍ୟା କାହାଣୀକୁ ପ୍ରତ୍ୟାଖ୍ୟାନ କରିଛୁ ବୋଲି ଜୟସ୍ୱାଲ କହିଛନ୍ତି ।


   ଏହି ମାସରେ ବାଂଲାଦେଶରେ ୨ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯିବା ପରେ ଏହି ମନ୍ତବ୍ୟ ଆସିଛି । ବୁଧବାର ରାତିରେ ରାଜବରୀ ଜିଲ୍ଲାରେ ଜଣେ ହିନ୍ଦୁ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା । ପୁଲିସ ପୀଡିତଙ୍କୁ ୩୦ ବର୍ଷୀୟ ଅମୃତ ମଣ୍ଡଳ ବୋଲି ଚିହ୍ନଟ କରିଛି, ଯିଏ ସମ୍ରାଟ ନାମରେ ମଧ୍ୟ ଜଣା । ଏହାପୂର୍ବରୁ ବାଂଲାଦେଶର ମୈମନସିଂ ଜିଲ୍ଲାରେ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ୨୭ ବର୍ଷୀୟ ପୋଷାକ କାରଖାନା କର୍ମଚାରୀ ଦୀପୁ ଚନ୍ଦ୍ର ଦାସଙ୍କୁ ଈଶ୍ୱର ନିନ୍ଦାର ଅପ୍ରମାଣିତ ଅଭିଯୋଗରେ ସଂଘବଦ୍ଧ ଭାବେ ପିଟି ପିଟି ଦରମରା କରାଯାଇଥିଲା । ପରେ ଗଛରେ ଟାଙ୍ଗି ନିଅାଁ ଲଗାଇ ଦିଆଯାଇଥିଲା ।