ବାହାରିଲା ନୀଳାଚଳ ଅବଢା

 ପୁରୀ : ରଥ, ବାହୁଡ଼ା, ସୁନାବେଶ ଓ ଅଧରପଣା ନୀତି ପରେ ନୀଳକନ୍ଦରକୁ ଫେରିଛନ୍ତି ନୀଳାଦ୍ରି ନାଥ । ମହାପ୍ରଭୁଙ୍କ ପଦସ୍ପର୍ଶରେ ପୁଣି ହସି ଉଠିଛି ନୀଳାଚଳ । ଶ୍ରୀବସô ଖଣ୍ଡଶାଳ ଶ୍ରୀମନ୍ଦିରର ରତ୍ନସିଂହାସନରେ ପୁଣି ବିରାଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ହୋଇଉଠିଛି ଚଳଚଞ୍ଚଳ ଓ କୋଳାହଳ ମୁଖରିତ । ରତ୍ନ ସିଂହାସନାରୂଢ ଦାରୁ ଦେବତାଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେଲାଣି ଭକ୍ତଙ୍କ ଗହଳି । ବୁଧବାର ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀରେ ବାହାରିଛି ନୀଳାଚଳ ଅବଢା । ଠାକୁରମାନେ ନବଦିନ ଯାତ୍ରରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ବସ୍ତୁତଃ ସୃଷ୍ଟି ହୋଇଥିଲା ଖାଁ ଖାଁ ପରିସ୍ଥିିତି । ମନ୍ଦିରରେ ନଥିଲା ଭକ୍ତଙ୍କ ଭିଡ଼ । ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀ ବୁଧବାର ପୂର୍ବାହ୍ନ ମଙ୍ଗଳ ଅଳତି ୧୧ଟା, ୧୧ଟା ୫ମିନିଟ୍ରେ ମଇଲମ, ୧୧ଟା ୨୫ମିନିଟ୍ରେ ତଡ଼ପଲାଗି, ୧୨ଟା୧୦ମିନିଟ୍ରେ ଅବକାଶ ପୂଜା ଠା, ୧୨ଟା ୨୦ ମିନିଟ୍ରେ ଅଧର ପୋଛା ଓ ୧୨ଟା ୨୫ ମିନିଟ୍ରେ ଅବକାଶ ପୂଜା, ୨ଟା  ସୂର୍ଯ୍ୟ ପୂଜା, ୨ଟା ୨୦ ମିନିଟ୍ରେ ଦ୍ୱାରପାଳ ପୂଜା ଓ ୨ଟା ୪୦ମିନିଟ୍ରେ ଗୋପାଳବଲ୍ଲଭ ପୂଜା ଆରମ୍ଭ ହୋଇ ୨ଟା ୫୦ମିନିଟ୍ରେ ଶେଷ ହୋଇଥିଲା ।୩ଟା ୧୦ମିନିଟ୍ରେ ସକାଳ ଧୂପ ପାଇଁ  ଡ଼କରା ଯାଇଥିଲା ଓ ୩ଟା ୨୦ମିନିଟ୍ରେ ସକାଳଧୂପ ଛେକ ଆସିଥିଲା । ୩ଟା ୩୦ମିନିଟ୍ରେ ସକାଳ ଧୂପ ବସିଥିଲା । ୪ଟା ୧୦ମିନିଟ୍ରେ ଟେରା ପଡ଼ିଥିଲା । ୪ଟା ୨୫ମିନିଟ୍ରେ ଧୂପ ଶେଷ ହୋଇଥିଲା । ୪ଟା ୩୦ ମିନିଟ୍ରେ ଉଠିଥିଲା ଭୋଗ ମଣ୍ଡପ । ୫ଟା ୩୦ମିନିଟ୍ରେ ମହାପ୍ରଭୁ ମଇଲମ ହୋଇଥିଲେ ।୬ଟା ବେଶ  ଶେଷ ହୋଇଥିଲା ଏବଂ ୬ଟା ୩୦ ମିନିଟ୍ରେ ଭୋଗମଣ୍ଡପ ପୂଜା ଆରମ୍ଭ ହୋଇ ୬ଟା ୪୦ ମିନିଟ୍ରେ ଶେଷ ହୋଇଥିଲା । ବିକ୍ରି ଓ ବରାଦି ଭୋଗ ବାହାରିବା ପରେ ଭକ୍ତମାନେ ନୀଳାଚଳ ଅବଢା ସେବନ କରି ପରମଆନନ୍ଦ ଓ ପରିତୃପ୍ତି ଲାଭ କରିଥିଲେ ।