ଖୁବ୍ଶୀଘ୍ର ମନ୍ତ୍ରୀ ଓ ନିଗମ ମୁଆଁ

 ଭୁବନେଶ୍ୱର: ସଭାପତି ନିର୍ବାଚନ ହୋଇନଥିଲା ବୋଲି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଉ ଅବା ନିଗମ ଅଧ୍ୟକ୍ଷ ନିଯୁକ୍ତି, ସବୁ କିଛି ଅଟକି ରହିଥିଲା  । ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦରେ ବି ବିଧାୟକମାନଙ୍କୁ ନିଯୁକ୍ତି ମିଳିପାରିନାହିଁ  । ତେବେ ମନମୋହନ ସାମଲ ଆଉ ତିନି ବର୍ଷ ପାଇଁ ସଭାପତି ଭାବେ ଦାୟିତ୍ୱ ନେବା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି  । ନୂଆ ସଭାପତି ଭାବେ ଦାୟିତ୍ୱ ନେଉ ନେଉ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ମନମୋହନ ସଂକେତ ଦେଇଛନ୍ତି  । ଫଳରେ ଆଶାୟୀଙ୍କ ଆଶା ଆକାଶଛୁଆଁ ହୋଇଯାଇଛି  । 
୧୩ ମାସ ପରେ ବି ମୋହନଙ୍କ ମନ୍ତ୍ରୀମଣ୍ଡଳ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ  । ଗତବର୍ଷ ଜୁନ୍ ୧୨ରେ ଯେଉଁ ୧୬ ଜଣ ଶପଥ ନେଇଥିଲେ ସେମାନେ ହିଁ ରାଜ୍ୟ ସରକାର ଚଳାଉଛନ୍ତି  । ନିୟମ ଅନୁସାରେ ସରକାରରେ ୨୨ ମନ୍ତ୍ରୀ ରହିପାରିବେ  । ହେଲେ ୬ ମନ୍ତ୍ରୀ ନିଯୁକ୍ତିକୁ ନେଇ ଦୀର୍ଘଦିନ ଧରି ଛକାପଞ୍ଝା ଦେଖିବାକୁ ମିଳିଛି  । ବିଶେଷକରି ସ୍ଥାୟୀ ସଭାପତି ନିର୍ବାଚନ ହୋଇନଥିବାରୁ ଏଭଳି ଅଚଳାବସ୍ଥା ଲାଗି ରହିଥିଲା  । ସେପଟେ ଦଳ ସରକାରକୁ ଆସିବାର ୧୩ ମାସ ଅତିକ୍ରାନ୍ତ ହୋଇଥିଲେବି ନିଗମ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ମିଳିପାରିନାହିଁ  । ଏନେଇ ପୂର୍ବରୁ ତିନିଥର ବୈଠକ ବସିଥିଲେବି କିଛି ନିର୍ଯ୍ୟାସ ବାହାରି ପାରିନଥିଲା  । ଏଗୁଡ଼ିକ ସବୁ ରାଜନୀତିକ ପଦବୀ ହୋଇଥିବାରୁ ସଭାପତି ହିଁ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ  ।
ମନ୍ତ୍ରୀ ରେସରେ ଏବେ ଜୟ ନାରାୟଣ ମିଶ୍ର ସର୍ବାଗ୍ରେ ଅଛନ୍ତି  । ମେଣ୍ଟ ସରକାର ସମୟରେ ସେ ମନ୍ତ୍ରୀ ଥିବାବେଳେ ବିରୋଧୀ ଦଳ ନେତା ବି ଥିଲେ  । ୨୦୨୪ରେ ତାଙ୍କୁ ମନ୍ତ୍ରୀ କରାନଯିବାରୁ ସେ କ୍ଷୁବ୍ଧ ହୋଇଥିଲେ  । ଏଥର ତାଙ୍କ ପାଳି ପଡ଼ିବ ବୋଲି ଚର୍ଚ୍ଚା ହେଉଛି  । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ  । ଭକ୍ତ ଦାସ ଏବେ ପିସିସି ସଭାପତି ହୋଇଥିବାରୁ ଏଭଳି ଚର୍ଚ୍ଚା ହେଉଛି  । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି କେହିକେହି କହୁଥିଲେ ମଧ୍ୟ ବଲାଙ୍ଗୀରରୁ କନକବର୍ଦ୍ଧନ ସିଂହଦେଓ ଓ ମୁକେଶ ମହାଲିଙ୍ଗ ମନ୍ତ୍ରୀ ଥିବାରୁ ଲକ୍ଷ୍ମଣଙ୍କ ମନ୍ତ୍ରୀ ହେବା ସମ୍ଭାବନା କ୍ଷୀଣ  । ସୁଶାନ୍ତ ସିଂଙ୍କ ଭଳି ଟାଣୁଆ ନେତାଙ୍କୁ ପରାସ୍ତ କରିଥିବାରୁ ଇରାଶିଷ ଆଚାର୍ଯ୍ୟଙ୍କ ନାମ ବି ରେସ୍ରେ ରହିଛି  । ଟଙ୍କଧର ତ୍ରିପାଠୀ ରେସ୍ରେ ଥିଲେବି ଝାରସୁଗୁଡ଼ା ଜିଲ୍ଲାରୁ ଏବେ ସୁରେଶ ପୂଜାରୀ ମନ୍ତ୍ରୀ ଅଛନ୍ତି  । ତେଣୁ ତାଙ୍କ ସମ୍ଭାବନା କମିଯାଇଛି  । ଯାଜପୁର ବିଜେଡ଼ି ଗଡ଼ ହୋଇଥିବାରୁ ଅମର ନାୟକଙ୍କ ନାମ ବି ମନ୍ତ୍ରୀ ରେସ୍ରେ ରହିଛି  । ସେହିପରି ଭୁବନେଶ୍ୱରର ଏକମାତ୍ର ବିଧାୟକ ହେଉଛନ୍ତି ବାବୁ ସିଂ  । ବିଏମସି ନିର୍ବାଚନକୁ ଆଖିଆଗରେ ରଖି ବାବୁଙ୍କୁ ବି ମନ୍ତ୍ରୀ ପଦ ମିଳିପାରେ  । ଅନେକ ଚର୍ଚ୍ଚାରେ ନଥିଲେବି ସେମାନଙ୍କ ନାମ ବି ବିଚାରକୁ ନିଆଯାଇପାରେ  । 
ଆଉ ଏକ ଚର୍ଚ୍ଚା ଅନୁଯାୟୀ, କନକବର୍ଦ୍ଧନ ସିଂହଦେଓଙ୍କ ଠାରୁ ଶକ୍ତି, ସୂରଜ ସୂର୍ଯ୍ୟବଂଶୀଙ୍କ ଠାରୁ ଉଚ୍ଚଶିକ୍ଷା, କୃଷ୍ଣଚନ୍ଦ୍ର ପାତ୍ରଙ୍କ ଠାରୁ ଯୋଗାଣ ବିଭାଗ, ପୃଥ୍ୱୀରାଜଙ୍କ ହାତରୁ ଅବକାରୀ ବିଭାଗ କଢ଼ାଯିବାର ସମ୍ଭାବନା ରହିଛି  । ତେବେ ଚଳିତ ସମ୍ପ୍ରସାରଣରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ, ବାକି ୧୩ ମନ୍ତ୍ରୀଙ୍କୁ ବାଦ୍  ଦିଆଯିବ ନାହିଁ ବୋଲି କୁହାଯାଉଛି  । କେବଳ ୬ ବିଧାୟକଙ୍କୁ ମନ୍ତ୍ରୀ ହେବାର ସୌଭାଗ୍ୟ ମିଳିବ  । ଏହାଛଡ଼ା ୩୨ ବୋର୍ଡ଼ ଓ ନିଗମ, ଏସଡ଼ିସିରେ ଅଧ୍ୟକ୍ଷ ନିଯୁକ୍ତି ପାଇଁ ବି ଆଲୋଚନା ଚାଲିଛି  । ଏହି ଦୌଡ଼ରେ ବିରଞ୍ଚô ତ୍ରିପାଠୀ, ସଜ୍ଜନ ଶର୍ମା, ଶାରଦା ଶତପଥି, ଯତୀନ ମହାନ୍ତି, ସୀମାଞ୍ଚଳ ଖଟେଇ, ସମୀର ରଞ୍ଜନ ଦାସ, ସୁରଥ ବିଶ୍ୱାଳ, ଜୟନ୍ତ ଜେନା, ସୁଦୀପ୍ତ ରାୟ, ଅନୀଲ ବିଶ୍ୱାଳ, ସୁଜିତ୍ ଦାସ, ମନୋଜ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ଗୌତମ ରାୟ, ପ୍ରଦୀପ୍ତ ନାୟକ, କୁସୁମ ଟେଟେ, ଜଗନ୍ନାଥ ପ୍ରଧାନଙ୍କ ନାମ ଶୁଣିବାକୁ ମିଳୁଛି  । ଏହାଛଡ଼ା ଗତଥର ଟିକେଟରୁ ବଞ୍ଚôତ ହୋଇଥିବା ଅନେକ ଜିଲ୍ଲାସ୍ତରର ନେତା ବି ତାଲିକାରେ ରହିପାରନ୍ତି  । ନିଗମ ଅଧ୍ୟକ୍ଷ ଚୟନ ବେଳେ ଟିକେଟ ପାଇଥିବା ନେତାଙ୍କୁ କମ୍ ସୁଯୋଗ ମିଳିବାର ସମ୍ଭାବନା ରହିଛି  ।...