ଭାରତ-ବ୍ରିଟେନ୍ ବାଣିଜ୍ୟ ଚୁକ୍ତି


 ନୂଆଦିଲ୍ଲୀ : ଭାରତ ଓ ବ୍ରିଟେନ୍ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି  । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବି୍ରଟେନ୍ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ଉପସ୍ଥିତିରେ ଏହି ଚୁକ୍ତି କରାଯାଇଛି  । ଏହାଦ୍ୱାରା ବିଶ୍ୱର ପଞ୍ଚମ ଆର୍ଥିକ ଶକ୍ତି ଭାରତ ଓ ଷଷ୍ଠ ଆର୍ଥିକ ଶକ୍ତି ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ପାଇବ  । ୨୦୪୦ ସୁଦ୍ଧା ତାହା ୩୪ ଶହ କୋଟି ଡଲାରରେ ପହଁଚିବ ବୋଲି ଲକ୍ଷ୍ୟ ରଖାଯାଇଛି  ।
୨୦୨୦ରେ ୟୁରୋପୀୟ ସଂଘ ଛାଡ଼ିବା ପରେ ବ୍ରିଟେନର ଏହା ସବୁଠାରୁ ବଡ଼ ବାଣିଜି୍ୟକ ଚୁକ୍ତି  । ଏହାଦ୍ୱାରା ବ୍ରିଟେନରୁ ଆମଦାନୀ ହେଉଥିବା ହ୍ୱିସ୍କି, ପୋଷାକପତ୍ର ଓ କାର ଉପରେ ଟିକସ ରିହାତି ମିଳିପାରିବ  ।  ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି  । ସେ କହିଥିଲେଯେ, ଆଜି ଆମେ ଚେକର୍ସରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛେ । ଉଭୟ ବ୍ରିଟେନ୍ ଏବଂ ଭାରତ, ଦେଖିବାକୁ ଗଲେ ଏକ ପ୍ରକାର ସ୍ୱାଭାବିକ ଅଂଶୀଦାର  । ଉଭୟ ଦେଶ ମିଳିତ ଭାବରେ ଏକ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ)  ଏବଂ ଡବଲ୍ କଣ୍ଟ୍ରିବୁ୍ୟସନ୍ କନଭେନସନ୍ ସମ୍ପନ୍ନ କରିବାକୁ ଯାଉଛନ୍ତି  । ଏହା ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡୁଛି  । ଆମର କୃଷକ, ଏମଏସଏମଇ ଓ ଯୁବପିଢ଼ିଙ୍କ ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି ହେବ  ।  ଯୁକ୍ତରାଜ୍ୟ ଏବଂ ଭାରତର ଦକ୍ଷ ଯୁବପିଢ଼ିଙ୍କ ବୁଦ୍ଧି, ଦକ୍ଷତା ଏକାଠି ହୋଇଯିବ, ଏହା ବିଶ୍ୱ ପାଇଁ ବିକାଶର ଏକ ବଡ଼ ଗ୍ୟାରେଣ୍ଟି ପ୍ରଦାନ କରିବ  । ‘ଭିଜନ ୨୦୩୫' ପାଇଁ ଆମର ବ୍ୟାପକ ରଣନୈତିକ ସହଭାଗୀତା ନୂତନ ଗତି, ନୂତନ ଶକ୍ତି ପାଇବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ  । ଏନେଇ ଷ୍ଟାରମର ବି ଖୁସିବ୍ୟକ୍ତ କରିଛନ୍ତି  । ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଶସ୍ତା ଓ ସହଜ ହୋଇପାରିବ ବୋଲି ସେ କହିଥିଲେ  ।