ଚାଲାଣ ନଭରିଲେ ରଦ୍ଦ ହେବ ଗାଡ଼ି ରେଜିଷ୍ଟ୍ରେସନ !

ଚାଲାଣ ବାରମ୍ବାର କଟିବା ପରେ ବି  ଗାଡ଼ି ଚାଳକ ମାନୁନାହାନ୍ତି । ଚାଲାଣ ନଦେଇ ବେପରୁଆ ହୋଇ ଗାଡ଼ି ଚଳାଉଛନ୍ତି। ଏଣିକି ନିୟମ ଉଲ୍ଲଙ୍ଘନକାରୀ ଗାଡ଼ି ମାଲିକଙ୍କୁ ଆଉ ଛଡ଼ାଯିବନି । ବାରମ୍ବାର ଗାଡ଼ି ଉପରେ ଭିସିଆର୍‌ କଟାଗଲା… ନା ଭିସିଆର୍‌ର କୌଣସି ଜବାବ ମିଳିଲା… ନା ଜରିମାନା ଅର୍ଥ ଜମା କରିଛନ୍ତି ଗାଡ଼ି ମାଲିକ ।  ଏହାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣ । ଯାହାକୁ ନେଇ ଚିନ୍ତାରେ ପଡ଼ିପାରନ୍ତି ଗାଡ଼ି ମାଲିକ । କାରଣ ଗତ ୩ ବର୍ଷ ମଧ୍ୟରେ ଇ-ଡିଟେକ୍ସନ୍‌ ମାଧ୍ୟମରେ ୩ ଲକ୍ଷ ଗାଡ଼ିର କଟାଯାଇଛି ଭିସିଆର୍‌ ।   ଯେଉଁସବୁ ଗାଡ଼ି ଗୁଡ଼ିକ ଉପରେ ୫ ଥରରୁ ଅଧିକ ଭିସିଆର୍‌ କଟାଯାଇଛି । ସେମାନଙ୍କ ଗାଡ଼ି ରେଜିଷ୍ଟ୍ରେସନ ରବ୍ଦ ହୋଇପାରେ । ରିପୋର୍ଟ ମୁତାବକ, ବର୍ତ୍ତମାନ ରାଜ୍ୟରେ ଏଭଳି ୧୦ ହଜାର ଗାଡ଼ି ରହିଛି ଯେଉଁମାନଙ୍କ ଉପରେ  ୫ ଥରରୁ ଅଧିକ ଭିସିଆର୍ କଟାଯାଇଛି । ଏହି ଗାଡ଼ିମାଲିକ ଭିସିଆର୍‌ ଉପରେ ଜରିମାନା ଅର୍ଥ ନଭରିଲେ ସେମାନଙ୍କ ଗାଡ଼ି ପଞ୍ଜୀକରଣ  ରବ୍ଦ ହୋଇପାରେ । ଏହାକୁ ନେଇ ଖୋଦ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି କ୍ରମରେ ୧୭୦ ଗାଡ଼ି ମାଲିକଙ୍କ ପାଖକୁ ନୋଟିସ୍‌ ପଠାଇ ସାରିଲାଣି ରାଜ୍ୟ ପରିବହନ ପ୍ରାଧିକରଣ । ଅର୍ଥାତ୍‌ ଏଭଳି ଗାଡ଼ି ଆଉ ରାଜରାସ୍ତାରେ ଗଡ଼ିପାରିବ ନାହିଁ ।

କୌଣସି ଗାଡ଼ି ବିନା ପର୍‌ମିଟ୍‌, ଇନ୍ସ୍ୟୁରାନ୍ସ କିମ୍ବା ରୋଡ୍‌ ଟ୍ୟାକ୍ସରେ ଚାଲୁଥିଲେ ସେସବୁ ଗାଡ଼ିକୁ ଭସିଆର୍‌ କରାଯାଇଥାଏ । ରାଜ୍ୟରେ ବିଭିନ୍ନ ଟୋଲ୍‌ଗେଟ୍‌ରେ ଇ-ଡିଟେକ୍ସନ ଲାଗୁ ହେବାପରେ ଏଭଳି ଗାଡ଼ି ସବୁ ଧରା ପଡ଼ୁଛନ୍ତି । କାରଣ ଟୋଲ୍‌ ଗେଟ୍‌ ଅତିକ୍ରମ କରିବା ବେଳେ ଗାଡ଼ି ନମ୍ବରରୁ ସମସ୍ତ ସୂଚନା ବାହାନ ପୋର୍ଟାଲକୁ ଚାଲିଆସେ ସବୁ ତଥ୍ୟ । ଯେଉଁ ସବୁ ଗାଡ଼ି ନିୟମ ଉଲ୍ଲଂଘନ କରିଥାଆନ୍ତି ସେମାନଙ୍କୁ ମେସେଜ୍‌ ଦିଆଯାଇଥାଏ । ଗୋଟିଏ ଦିନରେ ଗୋଟିଏ ଗାଡ଼ିକୁ ଥରଟିଏ ଭିସିଆର ମିଳିଥାଏ । ଗତ ୨୦୨୨ ମହିସାରୁ ଦେଶରେ ଇ-ଡିଟେକ୍ସ ଲାଗୁ ହୋଇଛି । ଚଳିତବର୍ଷ ଜୁନ୍‌ ସୁଦ୍ଧା ଇ-ଡିଟେକ୍ସନ୍‌ ମାଧ୍ୟମରେ ୨ ଲକ୍ଷ ୯୧ ହଜାର ୪୭୭ ଗାଡ଼ି ଉପରେ କଟିଛି ଚାଲାଣ । ଅଧିକାଂଶ ଗାଡ଼ିକୁ ଏକାଧିକ ଚାଲାଣ ହୋଇଛି । ହେଲେ ଏମାନେ ନା ନୋଟିସ୍‌ର କୌଣସି ଜବାବ ରଖୁଛନ୍ତି ନା ଜରିମାନା ଅର୍ଥ ଭରୁଛନ୍ତି । ଏମାନେ କେବଳ ଯେ ସରକାରଙ୍କ ଟିକସ ଫାଙ୍କୁଛନ୍ତି ତାହା ନୁହେଁ, ଏହାଦ୍ୱାରା ସାଧାରଣ ଲୋକମାନେ ମଧ୍ୟ କ୍ଷତିରେ ପଡ଼ୁଛନ୍ତି । ବାଧ୍ୟ ହୋଇ ରାଜ୍ୟ ପରିବହନ ପ୍ରାଧିକରଣକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିଛି ।