ଭୁଶୁଡ଼ିଗଲା ଯାଜପୁର ଗଡ଼ : ଧ୍ୱଂସ ବିଧ୍ୱସ୍ତ ଧର୍ମଶାଳା ବିଜେଡ଼ି
ହାତରୁ ଗଲା ଜିଲାପରିଷଦ ଓ ରସୁଲପୁର ବ୍ଲକ
ଯାଜପୁର : ସବୁ ଗଡ଼ବଡ଼ କରିଦେଲେ ଲିକୁ । ଲିକୁ ବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମାଷ୍ଟର ଷ୍ଟ୍ରୋକ୍ରେ ଭୁଶୁଡ଼ିଗଲା ବିଜେଡ଼ିର ଯାଜପୁର ଗଡ଼ । ବିଜେଡ଼ି ଗଡ଼କୁ ଦୋହଲାଇବାକୁ ଅଗଷ୍ଟ ୨୦୨୫ରେ ଆରମ୍ଭ କରିଥିବା ଅଭିଯାନ ସ୍ୱରୂପ ଆଜି ବିଜେପି ଜିଲା ପରିଷଦ ଏବଂ ରସୁଲପୁର ବ୍ଲକକୁ ବିଜେଡ଼ି ହାତରୁ ଛଡ଼ାଇ ଆଣିଛି କହିଲେ ଭୁଲ ହେବନି । ଜିଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସହ ୧୪ଜଣ ଜିଲା ପରିଷଦ ସଭ୍ୟ ଏବଂ ରସୁଲପୁର ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ଫଳରେ ବିଜେଡ଼ି ଅକ୍ତିଆରଧିନ ଜିଲାପରିଷଦ ଓ ରସୁଲପୁର ବ୍ଲକ ଏବେ ବିଜେପି ହାତକୁ ଚାଲିଯାଇଛି । କିନ୍ତୁ ସବୁଠାରୁ ବିପର୍ଯ୍ୟସ୍ତର ସମ୍ମୁଖିନ ହୋଇଛି ଧର୍ମଶାଳା ବିଜେଡ଼ି । କହିବାକୁ ଗଲେ ଧର୍ମଶାଳା ବିଜେଡ଼ି ଲିକୁଙ୍କ ଗୋଟି ଚାଳନାରେ ଧ୍ୱଂସ ବିଧ୍ୱସ୍ତ ହୋଇପଡ଼ିଛି । ଅଗଷ୍ଟ ୨୦୨୫ରେ ଲିକୁ ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପରିବାର ରାଜନୀତିରେ ପୂର୍ଣ୍ଣଛେଦ ପକାଇବାକୁ ସମର୍ଥ ହୋଇଥିବା ବେଳେ ଆଜି ୪ଜଣ ଜିଲା ପରିଷଦ ସଭ୍ୟଙ୍କ ସହ ବିଜେଡ଼ିର ବିଭିନ୍ନ ୱିଙ୍ଗରେ କାର୍ଯ୍ୟ କରି ଆସୁଥିବା ନେତାନେତ୍ରୀ ବିଜେପିରେ ସାମିଲ ଧର୍ମଶାଳା ବିଜେଡ଼ିକୁ ଦୋହଲାଇ ଦେଇଛି ।
୩୯ ଜିଲା ପରିଷଦ ଆସନରେ ବିଜୟଲାଭ କରିଥିବା ବିଜେଡ଼ି ୩ନଂ ଜିଲା ପରିଷଦସଭ୍ୟା ୩ ନଂ ଜିଲା ପରିଷଦସଭ୍ୟା ନଳିନୀପ୍ରଭା ଜେନାଙ୍କୁ ଅଧ୍ୟକ୍ଷା ଏବଂ ୧୭ନଂ ଜିଲା ପରିଷଦ ସଭ୍ୟ ଗଣେଶ୍ୱର ବରାଳଙ୍କୁ ଉପାଧ୍ୟକ୍ଷ କରିଥିଲା । କିନ୍ତୁ ଆଜି ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡ଼ି ଉଭୟଙ୍କୁ ଦଳରୁ ନିଲମ୍ବନ କରିଥିଲା । କିନ୍ତୁ ନିଲମ୍ବନ ପୂର୍ବରୁ ଜିଲା ପରିଷଦ ଅଧ୍ୟକ୍ଷା ସେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି, ଦଳରେ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳୁନି ବୋଲି ଆରୋପ ଲଗାଇ ଦଳରୁ ଇସ୍ତଫା ଦେଇଥିଲେ । ଅଧ୍ୟକ୍ଷା ଇସ୍ତଫା ଦେବା ପୂର୍ବରୁ କିନ୍ତୁ ବିଜେଡ଼ି ପକ୍ଷରୁ ଉପାଧ୍ୟକ୍ଷାଙ୍କୁ ନିଲମ୍ବନ କରାଯାଇଥିଲା । ହେଲେ ବିଜେଡ଼ି ନେତୃତ୍ୱଙ୍କୁ ଏକଥା ଅଜଣାଇଥିଲା କି ଅନ୍ୟ ୧୪ଜଣ ଜିଲା ପରିଷଦସଭ୍ୟଙ୍କ ସହ ରସୁଲପୁର ବ୍ଲକ ଅଧ୍ୟକ୍ଷ, ପୂର୍ବତନ ସାଂସଦ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ହେଲେ ଦଳରେ ସାମିଲ ଜିଲା ପରିଷଦ ଏବଂ ଅନ୍ୟ କାର୍ଯ୍ୟକର୍ତା ଦିବା ୧ଘଟିକା ପରେ ଗୋଟିଏ ସ୍ଥାନରେ ଏକାଠି ହୋଇ ବିଜେପିରେ ଯୋଗ ଦେବାକୁ ପୁରା ପ୍ରସ୍ତୁତି ହୋଇରହିଥିଲେ । ଯାହାର ଟେର ବିଜେଡ଼ି ନେତାଙ୍କ ପାଇଁ ଜାଣିବା ମୁସ୍କିଲ ହୋଇପଡ଼ିଥିଲା । ତେବେ ଧର୍ମଶାଳା ବିଜେଡ଼ି ପାଇଁ ଏକ ସମୟରେ ସଂଗ୍ରାମ ଜାରି ରଖିôଥିବା ବା ପ୍ରାକ୍ତନ ବିଧାୟକଙ୍କ ବିଜୟରେ ପ୍ରମୂଖ ଭୁମିକା ଲିଭାଉଥିବା ଯୁବ-ଯୁବା ନେତାନେତ୍ରୀ ନିଜର ଇସ୍ତଫାପତ୍ର ଦଳୀୟ ପଦାଧିକାରୀଙ୍କୁ ପଠାଇବା ସେମାନେ ବିଜେପିରେ ଯୋଗ ଦେଉଥିବା ଜଣାପଡ଼ିଯାଇଥିଲା । ଆଉ ଏସବୁ କିଛି ସମ୍ବବ ଧର୍ମଶାଳା ବିଧାୟକ ଲିକୁଙ୍କ ପାଇଁ ସମ୍ଭବ ହୋଇପାରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।
ଧର୍ମଶାଳା ବ୍ଲକରୁ ବିଜେଡ଼ିକୁ ତଡ଼ିପାର୍ କରିଥିବା ଲିକୁ ପୂର୍ବତନ ସାଂସଦ ରୀତା ତରେଇ, ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ସାହୁ, ବିଜେଡି ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଜିଲ୍ଲା ଯୁବ ସଭାପତି କ୍ଷୀତିଷ ନାୟକ, ଉତ୍ତରପ୍ରତାପ ପଞ୍ଚାୟତ ସମିତିସଭ୍ୟା କ୍ଷୀରାଦ୍ଦି ତନୟା ମଲିକ, ଚୋରମୁହାଁ ପୂର୍ବତନ ସମିତିସଭ୍ୟା ଗୀତାଞ୍ଜଳି ପ୍ରଧାନ, ବିଜେଡି ଯୁବ ସଙ୍ଗଠକ ସନ୍ତୋଷ କୁମାର ତରେଇ, ସୋସିଆଲ ମିଡିଆ ସଂଯୋଜିକା ଚିନ୍ମୟୀ ବେହୁରା, ଯୁବ ସଙ୍ଗଠକ ଆଦିତ୍ୟ ପୃଷ୍ଟିଙ୍କୁ ବିଜେପି ପକ୍ଷକୁ ଆଣି ଧର୍ମଶାଳା ବିଜେଡ଼ିକୁ ଶକ୍ତିହିନ କରିବାକୁ ସମର୍ଥ ହୋଇଛନ୍ତି । ତେବେ ବିଜେପି ଅଧାରୁ କମ ଜିଲା ପରିଷଦ ନିଜ ପକ୍ଷକୁ ନେବାକୁ ସମର୍ଥ ହୋଇଥିଲେ ବି ବିଞ୍ଝାରପୁର, ଦଶରଥପୁର ବ୍ଲକରେ ଏହାର ପ୍ରଭାବ ପଡ଼ିନି । ଯଦିଓ କୋରେଇ ବିଜେଡ଼ିକୁ କରାୟତ କରିବାକୁ ସମର୍ଥ ହୋଇପାରିଛି, ତଥାପି ୧ନଂ ଜିଲା ପରିଷଦସଭ୍ୟା ବିଜେପିରେ ସାମିଲ ହୋଇନଥିଲେ ବି ମିଶ୍ରଣପର୍ବ ମଞ୍ଚରେ ତାଙ୍କ ନାଁ ଡ଼କାଯାଇ ଏକ ଭ୍ରମ ସୃଷ୍ଟି କରାଯାଇଛି । ସୁକିନ୍ଦାର ୬ ଜିଲା ପରିଷଦ ମଧ୍ୟରୁ ୪ଜଣ ବିଜେପିରେ ସାମିଲ ହୋଇଛନ୍ତି ସତ ହେଲେ ସୁକିନ୍ଦା ହେଉ କି ଦାନଗଦୀ ବ୍ଲକକୁ କିନ୍ତୁ ବିଜେଡ଼ି ହାତରୁ ଖସାଇବାରେ ଦଳ ସମର୍ଥ ହୋଇପାରିନି । ଏଠାରେ ପ୍ରକାଶ ଥାଉକି ଧର୍ମଶାଳା ବ୍ଲକ ପରେ ୨୦୨୫ ଅଗଷ୍ଟ ଶେଷଭାଗରେ ବଡ଼ଚଣା ବ୍ଲକକୁ ବିଜେପି ଅକ୍ତିଆର କରିଥିଲା ।
Samir Kumar Rout