ଏଥର ଲଢ଼ିବେ ନୂଆ ଚେହେରା
ଭୁବନେଶ୍ୱନର: ନିମାପଡା ବିଧାନସଭା କ୍ଷେତ୍ର ରାଜନୀତି ସରଗରମ । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଦଳୀୟ ନେତା, କର୍ମୀ ମହଲରେ ତତ୍ପରତା ସେତିକି ବଢ଼ି ବଢ଼ି ଚାଲିଛି । ନିର୍ବାଚନୀ ପ୍ରଚାର ଏବେ ଗାଁରୁ ସହର ଉଠୁଛି ପଡ଼ୁଛି । ଗ୍ରୀଷ୍ମ ଲହରୀ ସାଙ୍ଗକୁ ପ୍ରଚାର ଅଭିଯାନ ସତେ ଯେମିତି ତାଳକୁ ତାଳ ଦେଇ ନିର୍ବାଚନ ଉଷ୍ମତା ବଢ଼େଇ ଦେଇଛି । ସାହି ବସ୍ତି ଗାଁ ଗାଁରେ ଭୋଟରକୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ରଣ କୌଶଳ ଆରମ୍ଭ କରିଦେଇଛି । ନିର୍ବାଚନକୁ ନେଇ ଭୋଜି ଭାତ ଆସର ବେଶ ଜମୁଛି । ସବୁଦଳ ପକ୍ଷରୁ ନଜର ରହିଛି ଯୁବ ଭୋଟରଙ୍କ ଉପରେ । କଳେବଳେ କୌଶଳେ ଯୁବ ଭୋଟରଙ୍କୁ ଟାଣିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ଅସନ୍ତୁଷ୍ଟ ନେତା କର୍ମୀଙ୍କୁ ମନେଇବା ପାଇଁ ଦଳୀୟ ନେତୃମଣ୍ଡଳୀ ଉଦ୍ୟମ ଚଳାଇଛନ୍ତି । କେବଳ ବିଜେଡ଼ି, ବିଜେପି ନୁହେଁ କଂଗ୍ରେସ ପଛୁଆ ଥିଲେ ମଧ୍ୟ ଅସନ୍ତୁଷ୍ଟ ବିଜେଡ଼ି ବିଜେପି କର୍ମୀମାନଙ୍କୁ ମଧ୍ୟ ସାମିଲ କରୁଥିବା ଜଣାପଡ଼ିଛି । ନିମାପଡାରେ ବିଧାନସଭା ନିର୍ବାଚନ ରାଜନୀତି ଯୋଗୁଁ ସମୀକରଣ ବଦଳିବାରେ ଲାଗୁଛି ବୋଲି ରାଜନୈତିକ ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି ।
ଜଗତସିଂହପୁର ଲୋକସଭା ଅନ୍ତର୍ଗତ ଏହି ନିର୍ବାଚନମଣ୍ଡଳୀ ଲଗାତାର ୧୫ ବର୍ଷ ହେବ ବିଜେଡି କବ୍ଜାରେ ରହିଛି । ହେଲେ ଏଥର ଏହି ଆସନରୁ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଗତ ତିନୋଟି ନିର୍ବାଚନ ଫଳାଫଳକୁ ଦେଖିଲେ, ଏଠାରେ ବିରୋଧୀଙ୍କ ଆସନ ଅସ୍ଥିର । ଅର୍ଥାତ ୨୦୦୯ରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୨୦୧୪ ଓ ୨୦୧୯ରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା ।
ଅପରପକ୍ଷରେ ଗତ ତିନୋଟି ନିର୍ବାଚନ ଜିତି ହ୍ୟାଟ୍ରିକ ମାରିଥିବା ବିଜେଡି ପୁଣି ବିଜୟ ହେବା ଲକ୍ଷ୍ୟ ରଖିଥିବା ବେଳେ ବିଜେପି ମଧ୍ୟ ସମାନ ଆଶା ରଖିଛି । ସେପଟେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଥମଥର ରାଜନୈତିକ ମଧ୍ୟ ଭିନ୍ନ ଅନ୍ଦାଜରେ ଭୋଟରଙ୍କ ନିକଟତର ହେବାକୁ ପ୍ରଚେଷ୍ଟା ଚଳାଇଛନ୍ତି । ନିମାପଡା ବ୍ଲକର ୩୨, ଗୋପ ବ୍ଲକର ୧୪ଟି ପଞ୍ଚାୟତ ଏବଂ ନିମାପଡା ଏନ୍ଏସିର ୧୧ଟି ୱାର୍ଡକୁ ନେଇ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ କରାଯାଇଛି । ୨୦୦୯ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପୂର୍ବରୁ ଏହି ଆସନ ସଂରକ୍ଷିତ ଥିଲା । ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ଏହା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ୨୦୦୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ, ୫ଟି ବିଧାନସଭା ନିର୍ବାଚନକୁ ଦୃଷ୍ଟି ଦେଲେ, ଏଠାରେ ସବୁଥର ଅଣକଂଗ୍ରେସ ପ୍ରାର୍ଥୀ ଜିତି ଆସୁଛନ୍ତି ।୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଆସନ ବୁଝାମଣା ହୋଇଥିଲା । ନିମାପଡା ସଂରକ୍ଷିତ ଆସନ ବିଜେପିକୁ ମିଳିଥିଲା । ବିଜେପି ନେତା ବାଇଧର ମଲ୍ଲିକ ୨୦୦୦ ଏବଂ ୨୦୦୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ମେଣ୍ଟ ଭାଙ୍ଗିଯିବା ପରେ ବିଜେଡି ଏହାକୁ କବ୍ଜା କରିଆସୁଛି । ୨୦୦୯ ନିର୍ବାଚନରେ ବିଜେଡିର ସମୀର ରଞ୍ଜନ ଦାଶ କଂଗ୍ରେସର ସତ୍ୟବ୍ରତ ପାତ୍ରଙ୍କୁ ପରାସ୍ତ କରିଥିବା ବେଳେ ୨୦୧୪ରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କୁ ହରାଇଥିଲେ ସମୀର ।
ଅନ୍ୟପଟେ ୨୦୧୯ରେ ସମୀର ପୁଣିଥରେ ପ୍ରଭାତୀଙ୍କୁ ପରାସ୍ତ କରିଥିଲେ । ଭୋଟ ହାର ଦେଖିଲେ, ପ୍ରତି ନିର୍ବାଚନରେ ବିଜେଡିର ଭୋଟ ବୃଦ୍ଧି ପାଇଛି । ୨୦୦୯ରେ ବିଜେଡିର ଭୋଟ ବୃଦ୍ଧି ପାଇଛି । ୨୦୦୯ରେ ସମୀର ପୁଣିଥରେ ପ୍ରଭାତୀଙ୍କୁ ପରାସ୍ତ କରିଥିଲେ । ଭୋଟ ହାର ଦେଖିଲେ, ପ୍ରତି ନିର୍ବାଚନରେ ବିଜେଡିର ଭୋଟ ବୃଦ୍ଧି ପାଇଛି । ୨୦୦୯ରେ ବିଜେଡିକୁ ୮୦,୭୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ୨୦୧୪ରେ ୮୬,୯୫୮ ଏବଂ ୨୦୧୯ରେ ୯୧,୧୬୦ ଭୋଟ ପାଇଥିଲା । ହେଲେ ନିମାପଡା ନିର୍ବାନମଣ୍ଡଳୀର ରାଜନୈତିକ ସମୀକରଣ ବେଶ୍ ଚର୍ଚ୍ଚାରେ ରହିଛି । ବିଜେଡି ସମୀର ରଞ୍ଜନ ଦାଶଙ୍କ ବଦଳରେ ଏଥର ନୂଆମୁହଁ ଭାବେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛନ୍ତି । ଦିଲ୍ଲୀପ ବିଜେଡି ପାଇଁ ନୂଆ ଚେହେରା ହୋଇଥିଲେ ହେଁ ରାଜନୀତିରେ ସେ ବେଶ୍ ଅଭିଜ୍ଞ ଓ ଦକ୍ଷ । ଗତ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ୩୩ ହଜାରରୁ ଊଦ୍ଧ୍ୱର୍ ଭୋଟ ପାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ବିକାଶମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ସେ ବିଜେଡିରେ ଯୋଗଦେବା ପରେ ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ, ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ଦିଲ୍ଲୀପ । ତାଙ୍କୁ ବି ନିମାପଡାବାସୀ ଦୃଢ ସମର୍ଥନ ଦେଉଛନ୍ତି ।
ସେହପରି କଂଗ୍ରେସ ବି ନୂଆ ଚେହେରା ସିର୍ଦ୍ଧାର୍ଥ ରାଉତରାୟଙ୍କୁ ଓହ୍ଲାଇଛି । ସିର୍ଦ୍ଧାର୍ଥ ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତିତ୍ୱ ସୁର ରାଉତରାୟଙ୍କ ପୁଅ । ସେ ମଧ୍ୟ ପ୍ରଥମ କରି ରାଜନୀତିରେ ପାଦ ଦେଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ଢଙ୍ଗରେ ପ୍ରଚାର କରୁଛନ୍ତି ସିଦ୍ଧାର୍ଥ । ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ମଧ୍ୟ ମୋଦି ହାୱାକୁ ପାଥେୟ କରି ଭୋଟରଙ୍କୁ ଭେଟୁଛନ୍ତି । ଏଥର କଡା ମୁକାବିଲା ହେବ ବୋଲି ରାଜନୈତିକ ଚର୍ଚ୍ଚା ହେଉଛି ।