"ଭୋଟ ଚୋରି ଅଭିଯୋଗ ମିଛ'
ନୂଆଦିଲ୍ଲୀ/ପାଟନା : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ୱାରା ଅଣାଯାଇଥବା ଭୋଟ ଚୋରି ଆରୋପ ଉପରେ ଜବାବ ରଖିଛନ୍ତି ନିର୍ବାଚନ କମିସନ । କମିସନ କହିଛନ୍ତି ଯେ ଭୋଟ ଚୋରି ଅଭିଯୋଗ୍ୟ ଭିତ୍ତିହୀନ ଓ ଏହା ମାଧ୍ୟମରେ କମିସନଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । କିଛି ନେତା ଭୋଟରଙ୍କୁ ମଧ୍ୟ ଭ୍ରମିତ କରୁଛନ୍ତି । ନିର୍ବାଚନ ପରିଚାଳନା ନେଇ କଂଗ୍ରେସ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଣିଥିବା ସବୁ ଅଭିଯୋଗର ଖଣ୍ଡନ କରିଛନ୍ତି କମିସନ । ରାହୁଲ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ ଉପରେ ସାତ ଦିନ ମଧ୍ୟରେ ଶପଥ ପାଠ କରି ଘୋଷଣା କରିବା ଉଚିତ, ନଚେତ୍ ତାଙ୍କର ‘ଭୋଟ ଚୋରି' ଦାବି ଭିତ୍ତିହୀନ ଏବଂ ଅବୈଧ ବୋଲି ବିବେଚନା କରାଯିବ ବୋଲି କମିସନ କହିଛନ୍ତି । ଶପଥ ପାଠ କରି ନପାରିଲେ କ୍ଷମା ମାଗ ବୋଲି କମିସନ କହିଛନ୍ତି । ଯଦି କେହି ସେହି ନିର୍ବାଚନମଣ୍ଡଳୀର ଭୋଟର ନହୋଇ ଅଭିଯୋଗ ଦାଖଲ କରିବାକୁ ଚାହାଁନ୍ତି, ତେବେ ଏହା କେବଳ ଶପଥ ଗ୍ରହଣ ପୂର୍ବକ ସାକ୍ଷୀ ଭାବରେ କରାଯାଇପାରିବ ।
ଏକ ସାମ୍ବାଦିକ ସମ୍ମିଳନୀରେ କମିସନ କହିଛନ୍ତି ଯେ ନିର୍ବାଚନ କମିସନଙ୍କ ନିକଟରେ ପଂଜୀକରଣ ସହ ସବୁ ରାଜନୈତିକ ଦଳଙ୍କ ଜନ୍ମ ହୋଇଥାଏ । ଏଣୁ କମିସନ କିପରି କାହା ପ୍ରତି ପକ୍ଷପାତ କରିପାରିବେ? ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ଧରି ପ୍ରତ୍ୟେକ ରାଜନୈତିକ ଦଳ ଭୋଟର ତାଲିକାରେ ସଂଶୋଧନ ଲାଗି ଦାବି କରି ଆସୁଛନ୍ତି । ଏଥିପାଇଁ କମିସନ ଭୋଟର ତାଲିକାରେ ସ୍ୱତନ୍ତ୍ର ତ୍ୱରିତ ସମୀକ୍ଷା (ଏସଆଇଆର) ବିହାରରୁ ଆରମ୍ଭ କରିଛନ୍ତି । କମିସନ କହିଛନ୍ତି ଯେ ଭୋଟ ପୂର୍ବରୁ ଭୋଟର ତାଲିକା ସଂଶୋଧନ ପାଇଁ ସମୟ ଦିଆଯାଇଥାଏ । ଭୋଟ ପରେ ମଧ୍ୟ କୌଣସି ପ୍ରକାର ଅନିୟମିତତା ପାଇଁ ୪୫ ଦିନ ମଧ୍ୟରେ ଅଭିଯୋଗ କରାଯାଇପାରିବ । ଏପରି ନ କରି କେତେକ ଦଳ ରାଜନୈତିକ ଲାଭ ପାଇଁ ଭୋଟ ଚୋରି ପରି ଭୁଲ ଶବ୍ଦ ବ୍ୟବହାର କରି ଲୋକମାନଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି ।
ଜ୍ଞାନେଶ କୁମାର କହିଛନ୍ତି, "ଏହା ଗମ୍ଭୀର ଚିନ୍ତାର ବିଷୟ ଯେ କିଛି ଦଳ ଏବଂ ସେମାନଙ୍କ ନେତାମାନେ ବିହାରରେ ଏସଆଇଆର ବିଷୟରେ ଭୁଲ ସୂଚନା ପ୍ରସାର କରୁଛନ୍ତି । ବିହାର ଏସଆଇଆରରେ ଅନିୟମିତତା ଦୂର ପାଇଁ ଆହୁରି ୧୫ ଦିନ ବାକି ଅଛି । ମୂଳଗତ ବାସ୍ତବତାକୁ ଅଣଦେଖା କରି ଭ୍ରମ ପ୍ରସାର କରିବାକୁ ଚେଷ୍ଟା କରାଯାଉଛି । ନିର୍ବାଚନ କମିସନଙ୍କ ଦ୍ୱାର ସମସ୍ତଙ୍କ ପାଇଁ ସମାନ ଭାବରେ ଖୋଲା । ବୁଥ୍ ସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନେ ସ୍ୱଚ୍ଛ ଭାବରେ ଏକାଠି କାମ କରୁଛନ୍ତି । ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ଏକ କୋଟିରୁ ଅଧିକ କର୍ମଚାରୀ, ୧୦ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ, ପ୍ରାର୍ଥୀଙ୍କ ୨୦ ଲକ୍ଷରୁ ଅଧିକ ପୋଲିଂ ଏଜେଣ୍ଟ କାମ କରନ୍ତି । ଏତେ ସବୁ ଲୋକଙ୍କ ସାମନାରେ ଏତେ ପାରଦର୍ଶୀ ପ୍ରକ୍ରିୟାରେ କଣ କେହି ଭୋଟ ଚୋରି କରିପାରିବ । ସେ କହିଛନ୍ତି, କିଛି ନେତା ଡବଲ୍ ଭୋଟିଂର ଅଭିଯୋଗ କରୁଛନ୍ତି । ଯେତେବେଳେ ପ୍ରମାଣ ମଗାଯାଉଛି, ସେତେବେଳେ କୌଣସି ଜବବା ମିଳେ ନାହିଁ । ଏପରି ମିଛ ଅଭିଯୋଗରେ ନା ନିର୍ବାଚନ ଆୟୋଗ, ନା ମତଦାତା କେହିବି ଡରନ୍ତି ନାହିଁ । ନିର୍ବାଚନ ଆୟୋଗଙ୍କ କାନ୍ଧରେ ବନ୍ଧୁକ ରଖି ଭାରତର ମତଦାତାଙ୍କୁ ଟାର୍ଗେଟ୍ କରିବାର ରାଜନୀତି କରାଯାଉଛି । ନିର୍ବାଚନ ଆୟୋଗ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିନା କୌଣସି ଭୟ, ପକ୍ଷପାତରେ ଗରିବ, ଧନୀ, ବୟସ୍କ, ମହିଳା, ଯୁବ ସବୁ ବର୍ଗ ଓ ସବୁ ଧର୍ମର ମତଦାତାଙ୍କ ସହ ଦୃଢତାର ସହ ଥିଲୁ, ଅଛୁ ଓ ରହିବୁ । ସେ ଏହା ମଧ୍ୟ କହିଛନ୍ତି ଯେ କମିଶନ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧ ଏବଂ ସମସ୍ତ ରାଜନୈତିକ ଦଳକୁ ସମାନ ଭାବରେ ଦେଖେ । କମିସନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପଶ୍ଚିମ ବଙ୍ଗ କିମ୍ବା ଅନ୍ୟ ରାଜ୍ୟରେ ଏସଆଇଆର ପ୍ରକ୍ରିୟା କେବେ କରାଯିବ ତାହା ତିନି ନିର୍ବାଚନ କମିଶନର ନିଷ୍ପତ୍ତି ନେବେ । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି ବିହାରର ସାସାରାମରୁ ତାଙ୍କର ୧୩୦୦ କିଲୋମିଟର ଭୋଟର ଅଧିକାର ଯାତ୍ରା ଆରମ୍ଭ କରିବାର କିଛି ଘଣ୍ଟା ପରେ ନିର୍ବାଚନ କମିଶନଙ୍କ ଏହି ମନ୍ତବ୍ୟ ଆସିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କ ସହ ଯୋଗ ଦେଇ ରାହୁଲ ଏହି ଯାତ୍ରାକୁ "ସମ୍ବିଧାନ ବଞ୍ଚାଇବା ପାଇଁ ଲଢେଇ’ ବୋଲି ବର୍ଣ୍ଣନା କରିଛନ୍ତି । ଏହି ପଦଯାତ୍ରା ବିହାରର ୨୦ଟି ଜିଲ୍ଲା ପରିକ୍ରମା କରିବ ଓ ଏହା ନିର୍ବାଚନ ଅନିୟମିତତା ବିରୁଦ୍ଧରେ ବିରୋଧୀ ଇଣ୍ଡିଆ ବ୍ଲକ୍ର ଅଭିଯାନର ଏକ ଅଂଶ ।