ମହାରାଷ୍ଟ୍ର କ୍ରୀଡାମନ୍ତ୍ରୀଙ୍କ ନାଁରେ ଗିରଫ ପରୱାନା
ମୁମ୍ବାଇ : ଜୁନିଅର କୋର୍ଟଙ୍କ ଆଦେଶକୁ ବଜାୟ ରଖି ନାସିକ ଜିଲ୍ଲା ସେସନ୍ସ କୋର୍ଟ ବୁଧବାର ଦିନ ମହାରାଷ୍ଟ୍ର କ୍ରୀଡା ମନ୍ତ୍ରୀ ତଥା ଏନସିପି ବିଧାୟକ ମାଣିକରାଓ କୋକାଟେଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୧୦ ପ୍ରତିଶତ ବାସଗୃହ କୋଟା ଅଧୀନରେ ଦୁଇଟି ଆପାର୍ଟମେଣ୍ଟ ପାଇବା ପାଇଁ ଠକେଇ ଓ ଜାଲିଆତି ପାଇଁ ଏହି ଗିରଫ ପରୱାନା ଜାରି କରିଛନ୍ତି । ନାସିକ ସେସନ୍ସ କୋର୍ଟ ମଙ୍ଗଳବାର ଦିନ ଆପାର୍ଟମେଣ୍ଟ ପାଇବା ପାଇଁ ଆୟ ପ୍ରମାଣପତ୍ର ଜାଲିଆତି କରିବା ପାଇଁ ଦୁଇ ବର୍ଷ ଜେଲଦଣ୍ଡ ଓ ୫୦,୦୦୦ ଟଙ୍କା ଜରିମାନା ନିଶ୍ଚିତ କରି ପ୍ରଥମ ଶ୍ରେଣୀ କୋର୍ଟର ଆଦେଶକୁ ବଜାୟ ରଖିଛନ୍ତି । ଯଦି ସେ ଗିରଫ ପରେ ଇସ୍ତଫା ଦିଅନ୍ତୁ ଶ୍ରୀ କୋକାଟେଙ୍କ ବଦଳରେ ସମ୍ଭାବ୍ୟ ନାମ ବିଷୟରେ ଆଲୋଚନା କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଡିସିଏମ୍ ଅଜିତ ପାୱାରଙ୍କୁ ଡାକିଥିଲେ । ଅଜିତ ପାୱାର ଏଥିପାଇଁ ସମୟ ମାଗିଛନ୍ତି । ଛାତିରେ ଯନ୍ତ୍ରଣା ଓ ଅସୁସ୍ଥି ଅଭିଯୋଗ କରିବା ପରେ ଶ୍ରୀ କୋକାଟେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ପ୍ରଥମ ଶ୍ରେଣୀ ସେସନ୍ସ କୋର୍ଟଙ୍କ ଦୁଇ ବର୍ଷର ଦଣ୍ଡାଦେଶ ରାୟ ବିରୁଦ୍ଧରେ ମାଣିକରାଓ କୋକାଟେ ପୂର୍ବରୁ ଜିଲ୍ଲା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତଥାପି ଜିଲ୍ଲା କୋର୍ଟ ରାୟ ପରିବର୍ତ୍ତନ କରିବାକୁ ମନା କରିଦେଇଥିଲେ, କିନ୍ତୁ ଏନସିପି ମନ୍ତ୍ରୀ ମାଣିକରାଓ କୋକାଟେଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ଓ ୫୦,୦୦୦ ଟଙ୍କା ଜରିମାନା ପାଇଁ ଜୁନିଅର କୋର୍ଟଙ୍କ ଆଦେଶକୁ ବଜାୟ ରଖିଥିଲେ । ଜିଲ୍ଲା କୋର୍ଟଙ୍କ ଏହି ରାୟ ମନ୍ତ୍ରୀ କୋକାଟେଙ୍କ ପାଇଁ ଏକ ବଡ଼ ଝଟକା । ଯଦି ବମ୍ବେ ହାଇକୋର୍ଟ ତାଙ୍କୁ ତୁରନ୍ତ ଆଶ୍ୱସ୍ତି ନଦିଅନ୍ତି ତେବେ ସେ ତାଙ୍କର ମନ୍ତ୍ରୀ ପଦ ହରାଇବେ ଏବଂ ଦୁଇ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ । କୋକାଟେ ଓ ତାଙ୍କ ଭାଇ ସୁନୀଲ କୋକାଟେଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୦ (ପ୍ରତାରଣା), ୪୬୫ (ଜାଲିଆତି), ୪୭୧ (ଏକ ଜାଲିଆତି ଡକ୍ୟୁମେଣ୍ଟକୁ ପ୍ରକୃତ ଭାବରେ ବ୍ୟବହାର କରିବା), ୪୭୪ (ଜାଲିଆ କାଗଜପତ୍ର ରଖିବା) ଏବଂ ୩୪ (ସାଧାରଣ ଉଦ୍ଦେଶ୍ୟ ସହିତ ଅନେକ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ) ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।