ପୀତବାସ ହତ୍ୟା ମାମଲା : ବିଜେଡ଼ିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ
- ଶିବଶଙ୍କରଙ୍କ ସମେତ ୧୨ ବନ୍ଧାହେଲେ
- ରାଜନୈତିକ ଓ ବ୍ୟବସାୟିକ କାରଣରୁ ହତ୍ୟା
- ହତ୍ୟା ପାଇଁ ୫୦ ଲକ୍ଷର ଡିଲ୍
- ପ୍ଲାନ-ଏ ଓ ପ୍ଳାନ-ବି ହୋଇଥିଲା
- କବାଡ଼ିଆ ଖୋଲିଦେଲା ଗୁମର
- ନମସ୍କାର କରି ଗୁଳି ମାରିଥିଲେ ହତ୍ୟାକାରୀ
- ବ୍ରହ୍ମପୁର ଉପନିର୍ବାଚନ ପାଇଁ ଅଙ୍କ କଷୁଥିଲେ ବିକ୍ରମ ଓ ପିଣ୍ଟୁ
ଭୁବନେଶ୍ୱର : ବହୁଚର୍ଚ୍ଚିତ ଆଡ଼ଭୋକେଟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ଗୁମର ଖୋଲିଛି । ବ୍ୟବସାୟିକ, ରାଜନୀତିକ ଓ ବ୍ୟକ୍ତିଗତ ଶତ୍ରୁତା କାରଣରୁ ବ୍ରହ୍ମପୁରର ଦୁଇ ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସ ହତ୍ୟା ଷଡ଼ଯନ୍ତ୍ରର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଏହି ଦୁଇ ନେତାଙ୍କ ସମେତ ଆଜି ପୁଲିସ୍ ୧୨ ଜଣଙ୍କୁ ଗିରଫ କରିଛି । ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିହୋଇଛି ।
ସିସିଟିଭିରୁ ତଦନ୍ତର ଖିଅ : ୨୦୨୫ ଅକ୍ଟୋବର ୬ ତାରିଖ ରାତି ୧୦ଟାରେ ପୀତବାସ ପଣ୍ଡା ଘରକୁ ଫେରୁଥିବାବେଳେ ତାଙ୍କୁ ଅଜ୍ଞାତ ଆତତାୟୀମାନେ ହତ୍ୟା କରିଥିଲେ । ଏନେଇ ବୈଦନାଥପୁର ଥାନାରେ ମାମଲା ରୁଜୁ ପରେ ଅପରାଧିଙ୍କୁ ଧରିବା ପାଇଁ ପୁଲିସ୍ ୬ଟି ଟିମ୍ ଗଠନ କରି ତଦନ୍ତ କରିଥିଲା । ପୀତବାସଙ୍କ ଅଫିସରୁ ଘର ପର୍ଯ୍ୟନ୍ତ ରାସ୍ତାର ସବୁ ସିସିଟିଭି ଯାଞ୍ଚ କରାଯାଇଥିଲା । ସିସିଟିଭି ଫୁଟେଜରୁ କିଛି ଅଜଣା ବ୍ୟକ୍ତି ପୀତବାସ ପଣ୍ଡାଙ୍କ ଯିବା ଆସିବା ରାସ୍ତାରେ ରେକି କରୁଥିବା ଜଣାପଡ଼ିଥିଲା । ସେପ୍ଟେମ୍ବର ୧୦ରୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ରେକି କରୁଥିବା ଶିଶୁପାଳ କୁମାର ପାଶୱାନ, କୁନ୍ଦନ କୁମାର, ବିପିନ ସ୍ୱାଇଁ ଓ ସୀମାଞ୍ଚଳ ନାୟକଙ୍କୁ ଚିହ୍ନଟ ପରେ ପୁଲିସର ତଦନ୍ତ ଆଗକୁ ବଢ଼ିଥିଲା । ଉମା ଶଙ୍କର ବିଷୋୟୀ ଓ ଯୋଗେନ୍ଦ୍ର ରାଉତ ଏହି ୪ ଅପରାଧିଙ୍କୁ ବ୍ରହ୍ମପୁର ଡକାଇଥିଲେ । ଏହି ୪ ଅପରାଧି ମଳୟ ବିଷୋୟୀଙ୍କ ନିର୍ଦ୍ଦେଶରେ ଅଳକାପୁରୀର ଶୂନ୍ୟ ଚନ୍ଦ୍ର ଦାସଙ୍କ ଭଡ଼ା ଘରେ ରହୁଥିଲେ । ଶୂନ୍ୟଚନ୍ଦ୍ରଙ୍କୁ ମଳୟ କହିଥିଲେଯେ, ସେମାନେ ହସପିଟାଲ କାମରେ ଆସିଛନ୍ତି । ତେବେ ବିହାରର ଦୁଇ ଜଣଙ୍କୁ ଦେଖିବା ପରେ ମଳୟଙ୍କୁ ଶୂନ୍ୟଚନ୍ଦ୍ର ପ୍ରଶ୍ନ କରିଥିଲେ । ତେବେ ମେଡ଼ିକାଲ ଚିକିତ୍ସା ପାଇଁ ସେମାନେ ଏଠାରେ ରହିବେ ବୋଲି ସେ ବୁଝାଇ ଦେଇଥିଲେ । ସେପ୍ଟେମ୍ବର ୧୦ରୁ ୧୪ ପର୍ଯ୍ୟନ୍ତ ସେମାନେ ସେଠାରେ ରହୁଥିବାବେଳେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ ସେମାନଙ୍କୁ ପ୍ରତିଦିନ ଭେଟିବା ସହ ବାଇକ୍, ଖାଦ୍ୟ ଆଦି ଯୋଗାଇ ଦେଉଥିଲେ । ସେପ୍ଟେମ୍ବର ୧୨ରେ ଏହି ୪ ବ୍ୟକ୍ତି ଯୋଗୀ ରାଉତଙ୍କ ସହ ପୀତବାସ ପଣ୍ଡାଙ୍କ ଅଫିସ୍ ଚାମ୍ବର ଆଗରେ ରେକି କରିଥିଲେ । ଯୋଗୀ ସେମାନଙ୍କୁ ପୀତବାସଙ୍କୁ ଚିହ୍ନାଇ ଦେଇଥିଲା ।
ହୋଇଥିଲା ପ୍ଳାନ୍-ଏ ଓ ପ୍ଳାନ-ବି : ପୀତବାସଙ୍କୁ ହତ୍ୟା କରିବା ପାଇଁ ଉମା ବିଷୋୟୀ ୨ଟି ବନ୍ଧୁକ ଓ ୧୦ ଲକ୍ଷ ଟଙ୍କା ଦେଇଥିଲା । ସେପ୍ଟେମ୍ବର ୧୪ରେ ହତ୍ୟା କରିବାକୁ ଯୋଜନା କରାଯାଇଥିଲା । ତେବେ ଶିଶୁପାଳ କୁମାର ପାଶୱାନର ସ୍ତ୍ରୀର ହଠାତ୍ ଗର୍ଭପାତ ହୋଇଥିଲା । ତଥାପିବି ସେ ହତ୍ୟାକାଣ୍ଡ ପାଇଁ ରାଜି ହେବା ସହ ରୁଟ୍, ସ୍ଥାନ ଆଦି ସ୍ଥିର କରିଥିଲେ । ହତ୍ୟାକାଣ୍ଡ ପରେ ସେମାନେ ତୁରନ୍ତ ବିହାର ପଳାଇବାକୁ ବି ଯୋଜନା କରିଥିଲେ । କାଳେ ପ୍ଳାନ-ଏ ଫେଲ୍ ମାରିବ ସେଥିପାଇଁ ପ୍ଳାନ୍-ବି ବି କରାଯାଇଥିଲା । ପରେ ମଳୟ ବିଷୋୟୀର ନିର୍ଦ୍ଦେଶରେ ଉମା ବିଷୋୟୀ ଓ ଯୋଗୀ ରାଉତ ଆଉ ଏକ ଯୋଜନା କରିଥିଲେ । ବନ୍ଥପାଲୀର ଦୁଇ ଲୋକ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ହତ୍ୟାକାଣ୍ଡ ପାଇଁ ସୁପାରି ଦିଆଯାଇଥିଲା । ହତ୍ୟା ପାଇଁ କୁରୁପତି ନିଜ ଗାଁରୁ ଆସିଥିବାବେଳେ ଚିଣ୍ଟୁ ବାଙ୍ଗାଲୋରରୁ ବସରେ ଆସିଥିଲା । ବ୍ରହ୍ମପୁରରେ ଦି ଜଣ ପହଁଚିବା ପରେ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ପ୍ରଶାନ୍ତ ଆଣ୍ଡ କୋର ବାଚଲର ରୁମ୍ରେ ରହିଥିଲେ । ଯୋଗୀ ରାଉତ ଓ ଉମା ବିଷୋୟୀ ସେହି ଘର ବୁଝିଥିବାବେଳେ ସେମାନେ ସେପ୍ଟେମ୍ବର ୨୯ରୁ ସେଠାରେ ରହିଥିଲେ । ପରେ ଯୋଗୀ, ଚିଣ୍ଟୁ ଓ କୁରୁପଥି ମିଳିତ ଭାବେ ରେକି କରିଥିଲେ । ସେମାନେ ପୀତବାସ ପଣ୍ଡାଙ୍କ ଅଫିସ, ରୁଟ୍ ଓ ତାଙ୍କ ଘରକୁ ଅନୁଧ୍ୟାନ କରିଥିଲେ ।
କେମିତି ହୋଇଥିଲା ହତ୍ୟାକାଣ୍ଡ ?
ହତ୍ୟାକାଣ୍ଡ ଦିନ ଯୋଗୀ ରାଉତ ଉଭୟ କୁରୁପତି ଓ ଚିଣ୍ଟୁଙ୍କୁ ଅଳକାପୁରୀ ଆଣିଥିଲେ । ସେମାନଙ୍କୁ ଏକ ଜାଲ୍ ନମ୍ବର ପ୍ଳେଟ ଥିବା ବାଇକ୍ ଦେଇଥିଲେ । ନୂଆ ସାର୍ଟ, ପ୍ୟାଣ୍ଟ, ଜୋତା ଓ ଦୁଇଟି ପିସ୍ତଲ ଦିଆଯାଇଥିଲା । ଚିଣ୍ଟୁ ବାଇକ୍ ଚଳାଇଲା ଓ ପଛରେ କୁରୁପତି ବସିଥିଲା । ପୀତବାସ ପଣ୍ଡା ରହୁଥିବା ଛକ ନିକଟରେ ସେମାନେ ପହଁଚି ଅପେକ୍ଷା କରି ରହିଥିଲେ । ରାତି ପ୍ରାୟ ୧୦ଟା ୧ ବେଳକୁ ପୀତବାସ ପଣ୍ଡା ସେହି ସ୍ଥାନରେ ପହଁଚିଥିଲେ । କୁରୁପତି ବାଇକରୁ ଓହ୍ଲାଇ ଠିଆ ହୋଇଥିଲା । ତା’ପରେ ସେ ପୀତବାସଙ୍କୁ ଅଟକାଇ ନମସ୍କାର କରିଥିଲା । ସେ ପୀତବାସ ପଣ୍ଡା କି ବୋଲି ପଚାରିଥିଲା । ସେ ହଁ କରିବା ପରେ ସେମାନେ ପିସ୍ତଲରୁ ଫାୟାରିଂ କରିଥିଲେ । ଗୁଳି ମାରିଦେବା ପରେ କୁରୁପତି ବାଇକ୍ରେ ବସିଥିଲା ଓ ଚିଣ୍ଟୁ ଗାଡ଼ି ଚଳାଇଥିଲା । ସେମାନେ ମାଉସୀମା ମନ୍ଦିର, ଲୋଚପା ଦେଇ ଶୀତଳାପଲ୍ଲୀ ଗାଁରେ ପହଁଚିଥିଲେ । ସେମାନେ ପିନ୍ଧିଥିବା ପୋଷାକ, ହେଲମେଟ ଫିଙ୍ଗିଦେବା ସହ ବନ୍ଧୁକ ଲୁଚାଇ ଦେଇଥିଲେ । ତେବେ ତଦନ୍ତ ବେଳେ ଏସବୁ ସାମଗ୍ରୀକୁ ପୁଲିସ ଜବତ କରିବାରେ ସଫଳ ହୋଇଛି ।
ହତ୍ୟାକରି ପଳାଇଥିଲେ ପୁରୀ, ପୁରୀରୁ କୋରାପୁଟ ?
କୁରୁପତି ଓ ଚିଣ୍ଟୁ ବାଇକରେ ଏନଏଚରେ ପହଁଚିବା ପରେ ଗାଡ଼ିକୁ ଚନ୍ଦନପୁର ଛକର ଏକ ପାନଦୋକାନ ନିକଟରେ ରଖିଦେଇ ପଳାଇଥିଲେ । ସେମାନେ ବସରେ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱରରୁ ପୁରୀ ଯାଇ ସେଠାରେ ଏକ ଲଜ୍ରେ ରହିଥିଲେ । ପୁରୀରୁ କୁରୁପତି କୋରାପୁଟର ଜୟପୁରକୁ ଯାଇଥିଲେ । ସେଠାରେ ସୁନୀଲ ହୋତା ନାମକ ଜଣେ ବ୍ୟକ୍ତି ଆଶ୍ରୟ ଦେଇଥିଲେ । ଉମା ବିଷୋୟୀ ଓ କୁରୁପତି ହତ୍ୟାରେ ସଂଶ୍ଲିଷ୍ଟ ଥିବା ଜାଣିବା ପରେ ମଧ୍ୟ ସେ ସେମାନଙ୍କୁ ଆଶ୍ରୟ ଦେଇଥିଲା । ୪ ଦିନ ଧରି ସେମାନେ ସୁନୀଲ ହୋତାର ଫାର୍ମ ହାଉସରେ ରହିଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ନିୟମିତ ଭାବେ ସୁନୀଲ ସହ ଯୋଗସୂତ୍ରରେ ରହିଥିଲେ ।
କେମିତି ଧରାହେଲେ ବଡ଼ମୁଣ୍ଡ ?
ହତ୍ୟାକାରୀଙ୍କୁ ପୁଲିସ୍ ଧରିବା ପରେ ସେମାନଙ୍କ ଠାରୁ ବଡ଼ମୁଣ୍ଡମାନଙ୍କର ଖିଅ ମିଳିଥିଲା । ମଳୟ ବିଷୋୟୀ, ମଦନ ଦଳେଇ ଓ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କର ସିଧାସଳଖ ସଂପୃକ୍ତି ଥିବା ଜଣାପଡ଼ିଥିଲା । ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ସେମାନଙ୍କ ଭିତରେ ଥିବା ଯୋଗାଯୋଗରୁ ଏନେଇ ପ୍ରମାଣ ମିଳିଥିଲା ।
କେମିତି ମିଳିଲା ବିକ୍ରମ ଓ ଶିବଶଙ୍କରଙ୍କ ଲିଙ୍କ : ଜୟପୁରର ସୁନୀଲ ହୋତା ଅପରାଧିଙ୍କୁ ନିଜ ଫାର୍ମ ହାଉସରେ ଲୁଚାଇ ରଖିଥିଲେ । କଲେଜ ବେଳୁ ସୁନୀଲ ଓ ବିକ୍ରମଙ୍କର ବନ୍ଧୁତା ରହିଛି । ବିକ୍ରମଙ୍କର ସମସ୍ତ ଦଳୀୟ ବୈଠକ ଓ ରାଲିରେ ସୁନୀଲକୁ ଦେଖିବାକୁ ମିଳେ । ମଳୟ ବିଷୋୟୀ ଓ ମଦନ ଦଳେଇ ଉଭୟ ଆଡ଼ଭୋକେଟ ଥିବାବେଳେ ବିକ୍ରମ ପଣ୍ଡାଙ୍କର ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା । ସେମାନଙ୍କ ମଧ୍ୟରେ ୨୫ ବର୍ଷ ଧରି ଘନିଷ୍ଠ ସମ୍ପର୍କ ରହିଛି । ହତ୍ୟାକାଣ୍ଡର ଯୋଜନାରେ ଶିବଶଙ୍କର ଦାସ ସଂପୃକ୍ତ ଥିଲେ । ମଳୟ ଓ ମଦନ ସହ ସେ ନିୟମିତ କଥା ହେବା ସହ ଟଙ୍କା ଦେଇଥିଲେ । ଆର୍ଥିକ, ବ୍ୟକ୍ତିଗତ ଓ ରାଜନୈତିକ କାରଣରୁ ବିକ୍ରମ ଓ ଶିବଶଙ୍କର ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ।
ଶାନ୍ତି ମିଶ୍ର ହତ୍ୟାକାଣ୍ଡ ବେଳୁ ପୀତବାସଙ୍କ ସହ ପିଣ୍ଟୁଙ୍କ ଶତ୍ରୁତା : ପିଣ୍ଟୁ ଦାସ ବ୍ରହ୍ମପୁର ମୁନିସପାଲଟିର ପୂର୍ବତନ ମେୟର । ୨୦୧୩ରେ ପିଣ୍ଟୁର ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ରର ହତ୍ୟା ହୋଇଥିଲା । ଏହି ମାମଲାରେ ୧୩ ଜଣ ଗିରଫ ହୋଇଥିଲେ । ସେମାନଙ୍କର ଓକିଲ ଥିଲେ ପୀତବାସ ପଣ୍ଡା । ପୀତବାସଙ୍କ ପାଇଁ ଏହି ମାମଲାର ଶୁଣାଣୀ ବିଳମ୍ବିତ ହେଉଥିବାବେଳେ କେତେଜଣ ଜାମିନ୍ରେ ବି ଆସିଥିଲେ । ସେମାନଙ୍କ ମଧ୍ୟରୁ ମୌଜା ମିଶ୍ର ବେଲ୍ରେ ଆସି ଫେରାର ହୋଇଯାଇଥିଲା । ସେ ବନ୍ଧୁକ ଓ ବୋମାମାଡ଼ କରି ପିଣ୍ଟୁକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ପୀତବାସଙ୍କ ପାଇଁ ତାଙ୍କ ଉପରେ ଆକ୍ରମଣ ହେଉଥିବା ପିଣ୍ଟୁ ମନେ କରୁଥିଲା । ସେହିପରି ପିଣ୍ଟୁ ବିଜେପିରୁ ବିଧାୟକ ଟିକେଟ ନେବାକୁ ଚାହୁଁଥିଲା । କିନ୍ତୁ ପୀତବାସଙ୍କ ପାଇଁ ଟିକେଟ୍ ନମିଳିବାରୁ ତା’ର ରାଗ ବଢ଼ି ଯାଇଥିଲା । ପିଣ୍ଟୁର ଅପରାଧିକ ବ୍ୟାକଗ୍ରାଉଣ୍ଡ ରହିଛି । ତା’ ନାମରେ ୩୮ଟି ଅପରାଧିକ ମାମଲା ରହିଛି । ୪ ବର୍ଷ ଧରି ସେ ଜେଲରେ ରହି ବେଲ୍ରେ ଆସିଥିଲା ।
ପୀତବାସ ଓ ବିକ୍ରମଙ୍କ ସମ୍ପର୍କ ତିକ୍ତ ହେଲା କେମିତି ?
ବିକ୍ରମ ପଣ୍ଡା ଓ ପୀତବାସ ପଣ୍ଡା କଲେଜ ଅମଳରୁ ଘନିଷ୍ଠ ସାଙ୍ଗ ଥିଲେ । କିନ୍ତୁ ୨୦୧୮ରେ ବିକ୍ରମ ଦଳ ବଦଳାଇଥିଲେ ବି ପୀତବାସ କିନ୍ତୁ ତାଙ୍କ ସହ ଆସିନଥିଲେ । ସେବେଠାରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା । ବରଂ ପୀତବାସ ନିୟମିତ ଭାବେ ବିକ୍ରମଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିଲେ । ୨୦୧୩ରେ ପୀତବାସ ଓଡ଼ିଶା ରାଜ୍ୟ ବାର କାଉନସିଲ ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇଥିଲେ । କିନ୍ତୁ ତାଙ୍କୁ ଉପ ସଭାପତି ନକରିଦେବା ପାଇଁ ବିକ୍ରମ ଉଦ୍ୟମ କରିଥିଲେ । ସେବେଠାରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ିଥିଲା । ସେହିପରି ବ୍ୟବସାୟିକ କ୍ଷତି ପାଇଁ ବିକ୍ରମ ସବୁବେଳେ ପୀତବାସଙ୍କୁ ଦାୟୀ କରୁଥିଲେ । ବିକ୍ରମଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ୍ ପଛରେ ପୀତବାସଙ୍କର ହାତ ଥିବା ସେ ଅନୁମାନ କରିଥିଲେ ।
ପୀତବାସଙ୍କୁ ହଟାଇବା ପାଇଁ ବିକ୍ରମ ଓ ପିଣ୍ଟୁଙ୍କର ଷଡ଼ଯନ୍ତ୍ର : ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ଭାବୁଥିଲେ, ପୀତବାସ ବଞ୍ôଚରହିଲେ ସେମାନଙ୍କର ଭବିଷ୍ୟତ ଅନ୍ଧାର ହୋଇଯିବ । ତେଣୁ ସେମାନେ ମିଳିତ ଷଡ଼ଯନ୍ତ୍ର କରିଥିଲେ । ବିକ୍ରମ ତାଙ୍କ ସହଯୋଗୀ ମଳୟ ବିଷୋୟୀ, ମଦନ ଦଳେଇଙ୍କ ସହାୟତାରେ ହତ୍ୟାର ଷଡ଼ଯନ୍ତ୍ର କରିଥିଲେ । ବିହାରର ଅପରାଧିମାନେ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହେବାରୁ ସେମାନେ ସ୍ଥାନୀୟ ଅପରାଧିଙ୍କ ସହାୟତାରେ ହତ୍ୟାର ଯୋଜନା କରିଥିଲେ । ସେହିପରି ପିଣ୍ଟୁ ଦାସ ହାଇକୋର୍ଟରେ କରିଥିବା ନିର୍ବାଚନୀ ମାମଲାର ଖର୍ଚ୍ଚ ବିକ୍ରମ ଦେଉଥିବା ଜଣାପଡ଼ିଛି । ବ୍ରହ୍ମପୁର ବିଧାୟକଙ୍କ ସତ୍ୟପାଠରେ ଭୁଲ୍ ଥିବାବେଳେ ସେଠାରେ ଉପନିର୍ବାଚନ ହେବବୋଲି ସେମାନେ ଅନୁମାନ କରୁଥିଲେ । ବିକ୍ରମ ଟିକେଟ ପାଇ ଲଢ଼ିଥା’ନ୍ତେ ଓ ପିଣ୍ଟୁ ତାଙ୍କୁ ସମର୍ଥନ କରିଥା’ନ୍ତା । ସେହିପରି ପିଣ୍ଟୁଙ୍କୁ ବ୍ରହ୍ମପୁର ମେୟର କରାଯାଇଥା’ନ୍ତା ।