ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା : ଉତ୍କଳିକା ସହ ଡବ୍ଳ୍ୟୁସିଡ଼ିର ଏମଓୟୁ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା : ଉତ୍କଳିକା ସହ ଡବ୍ଳ୍ୟୁସିଡ଼ିର ଏମଓୟୁ

ଭୁବନେଶ୍ୱର : ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ବିଭାଗୀୟ ସମ୍ମିଳନୀ କକ୍ଷରେ ବହୁ ପ୍ରତିକ୍ଷିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଉତ୍କଳିକା, ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

  ଏହି ବୁଝାମଣାପତ୍ର ମାଧ୍ୟମରେ ଉତ୍କଳିକା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଯୋଗ୍ୟ କନ୍ୟାମାନଙ୍କୁ ଉପହାର ସାମଗ୍ରୀ ଯଥା; ଶାଢୀ, ଚୁଡ଼ି, ପାଉଁଜି, ଝୁଣ୍ଟିଆ, ଅଳତା, ସିନ୍ଦୂର ସମେତ ସମସ୍ତ ଶୃଙ୍ଗାର ସାମଗ୍ରୀ ସହ ବାସନ କୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ଭଳି ଉପଲବ୍ଧ କରାଇବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି । ଏହି ସହଯୋଗ ମାଧ୍ୟମରେ ମହିଳା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଅତିରିକ୍ତ ସଚିବ ପ୍ରତାପ ହୋତା ଏବଂ ଉଭୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ ଏବଂ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ମମତା ନାୟକଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେଇଛି ।