ଯୁଦ୍ଧଖୋର ଶାନ୍ତିଦୂତ

ପ୍ରଫୁଲ୍ଲ କୁମାର ପଣ୍ଡା : ଆଜି ଦିନରେ ବୈଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଆମର ହୃଦବୋଧ ହେଉଛି ଆମ୍ଭେମାନେ ଏକ ଅଶାନ୍ତ ପୃଥିବୀର ବାସିନ୍ଦା  । ପ୍ରତ୍ୟକ୍ଷ ଓ ପରୋକ୍ଷ ଯୁଦ୍ଧରେ ବିଶ୍ୱ ତ୍ରସ୍ତ। ଅନେକ  ଜାଗାରେ ଦେଶ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧ  ଚାଲିଛି  ଯେଉଁଠି ଗୋଳା ବାରୁଦ , ଡ୍ରୋନ୍‌, କ୍ଷେପଣାସ୍ତ୍ର ଦ୍ୱାରା  ଶତ୍ରୁ ଦେଶ ମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧରେ ଅନେକ କ୍ଷୟକ୍ଷତି ଘଟୁଛି ଏବଂ ବହୁସଂଖ୍ୟକ ନିରୀହ ମଣିଷ ମୁତ୍ୟୁ ବରଣ କରୁଛନ୍ତି । ଅନେକ ଜନସାଧାରଣ ସଂପତ୍ତି ଗୁଳିଗୋଳା କ୍ଷେପଣାସ୍ତ୍ର ମାଡରେ ଧ୍ୱଂସସ୍ତୁପରେ  ପରିଣତ ହୋଇଯାଇଛି । ମୃତ୍ୟୁର ତାଣ୍ଡବ ଲୀଳାରେ ମଜବୁର ମଣିଷ ଜୀବନ ଖୋଜୁଛି  । କିନ୍ତୁ ମାନବ ଜାତିର ଏହି ମର୍ମନ୍ତୁଦ ଓ ନିର୍ମମ ଦୁର୍ଦ୍ଦଶା ଯୁଦ୍ଧଖୋର୍‌  ନେତାମାନଙ୍କ ମନରେ ଟିକଏ ବି ପ୍ରଭାବ ପକାଉ ନାହିଁ । ଅନ୍ୟର ଦୁଃଖରେ ସେମାନେ ସୁଖୀ । ଏ ପ୍ରକାର ବିଧ୍ୱଂସକାରୀ ଯୁଦ୍ଧ ସମ୍ପ୍ରତ୍ତି ଇସ୍ରାଏଲ ଓ ହମାସ  ମଧ୍ୟରେ ଲେବାନନର ଗାଜାପଟିରେ ଚାଲିଛି । ସେଠି ମଣିଷ ଜୀବନ ଖଣ୍ଡବିଖଣ୍ଡିତ , ଶିଶୁ ପିତାମାତାଙ୍କୁ ହରାଇ ଅନାଥ ହେଇଛନ୍ତି, ମହିଳାମାନେ ନିଃସହାୟ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ମା ବାପା ସନ୍ତାନ ହରାଇ ବିଳାପ କରୁଛନ୍ତି, କ୍ଷତବିକ୍ଷତ ସୈନିକ ଓ ସାଧାରଣ ଲୋକ ଔଷଧ ଓ ଚିକିତ୍ସା ଅଭାବରେ ଆର୍ତ୍ତଚିତ୍କାର କରୁଛନ୍ତି, ଖାଦ୍ୟ ଓ ଜଳ ବିନା  କଙ୍କାଳ ଭଳି ଖୋଲା ଆକାଶ ତଳେ ପଡି ମୃତ୍ୟୁକୁ ଅପେକ୍ଷା କରିଛନ୍ତି । 

ଠିକ୍‌ ସେଇଭଳି ଅବସ୍ଥା ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ପରିଣତି । ସେଠାରେ ଏତେ ପରିମାଣରେ ଉଭୟ ଦେଶର ସୈନିକ ମୃତ୍ୟୁ ବରଣ କରୁଛନ୍ତି ଯେ  ସୈନ୍ୟଙ୍କର ଅଭାବ ଯୁଦ୍ଧର ଗତିକୁ ଶିଥିଳ କରିଦେଇଛି । ଉଭୟ ଦେଶରେ ନିଜର ସାଧାରଣ ନାଗରିକ ଯେଉଁ ମାନଙ୍କ ମଧ୍ୟରେ ବୃଦ୍ଧ ଓ ବାଳକ ବି ଅଛନ୍ତି , ସେମାନଙ୍କୁ ଜୋର୍‌ ଜବରଦସ୍ତି  ଅସ୍ତ୍ର ଶସ୍ତ୍ର ଦେଇ ସୀମାନ୍ତରେ ଯୁଦ୍ଧ କରିବାକୁ ଛାଡି ଦିଆଯାଉଛି । ଜେଲରୁ କଏଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଇ  ଯୁଦ୍ଧ କ୍ଷେତ୍ରରେ ମରିବାକୁ ଛାଡି ଦିଆଯାଉଛି ।  ନିକଟ ରେ ଆମେରିକା ଇରାନ୍‌ ଉପରେ ଆକ୍ରମଣ କରି ଅନେକ କ୍ଷୟ କ୍ଷତି ଘଟାଇଚି । ଏସବୁକୁ ବିଚାରକୁ ନେଲେ ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ  ଅନୁଧ୍ୟାନ କଲେ ଆମ ପୃଥିବୀରେ କେବେ ଯେ ଶାନ୍ତି ଫେରି ଆସିବ ତାହା ଚିନ୍ତା ବାହାର କଥା  । ପାଠକ ମାନେ ଯଦି ମନେ ପକାଇବେ ତେବେ ସ୍ପଷ୍ଟ ଭାବରେ ହୃଦୟଙ୍ଗମ କରିବେ ଯେ ନିକଟ ଅତୀତରେ ଯେତେ ଯୁଦ୍ଧ ସଂଘଟିତ ହୋଇଛି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରରୋଚନାରେ, ସହଯୋଗ କିମ୍ବା ସଂପୃକ୍ତି ଦ୍ୱାରା ହୋଇଛି । କେଉଁଠି  ଶାସକକୁ ହଟାଇବାର ଅଛି ,କେଉଁଠି ତୈଳ ଓ ପ୍ରାକୃତିକ ସଂପଦ ଉପରେ ଅଧିକାର ଜାହିର୍‌ କରିବାର ଅଛି, କେଉଁଠି ବିଧ୍ୱଂସକାରୀ ରାସାୟନିକ ଅସ୍ତ୍ର ରଖିବାର ମିଥ୍ୟା ଅଭିଯୋଗ, କେଉଁଠି ଆଣବିକ ଶକ୍ତି ରୋକିବାର ଅଛି ଏହିପରି ବିଭିନ୍ନ ଆଳରେ ଆମେରିକା ନିଜର ଯୁଦ୍ଧ ଖୋର୍‌ ମନୋବୃତ୍ତି ଜାହିର୍‌ କରି ଆସୁଛି । 

କେବଳ ସିଧା ସଳଖ ଯୁଦ୍ଧ ନୁହେଁ  ଆମେରିକା ତାର ପ୍ରତିପତ୍ତି ଜାହିର୍‌ କରିବା ପାଇଁ ବାଣିଜ୍ୟିକ ତଥା ଆର୍ଥିକ କଟକଣା ମାନ ପ୍ରୟୋଗ କରି ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସବୁ ବେଳେ ଚେଷ୍ଟିତ ଥାଏ । ନିକଟ ରେ ଅନେକ ରାଷ୍ଟ୍ର ମାନଙ୍କ ଉପରେ ଅତ୍ୟଧିକ ଟାରିଫ ଲଗାଇ ବିଶ୍ୱ ଅର୍ଥନୀତିକୁ ଅସନ୍ତୁଳିତ କରି ନିଜର ଇଛା ସାଧନ ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଲାଗିଛନ୍ତି  । ଭାରତ ଭଳି ପାରମ୍ପରିକ ବନ୍ଧୁ ରାଷ୍ଟ୍ର ଉପରେ ୫୦  ପ୍ରତିଶତ ଟାରିଫ ଲଗାଇଛନ୍ତି । ତାଙ୍କ ହମ୍‌ବଡା ନୀତିକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଯୁକ୍ତି ଦର୍ଶାଇଛନ୍ତି ଯେ ଭାରତ ରୁଷ୍‌ ଠାରୁ ତେଲ କିଣି ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣ ଓ ଜାରି ରହିଥିବା ଯୁଦ୍ଧକୁ ସହୋଯୋଗ କରୁଛି । ଏଭଳି ଅବାନ୍ତର  ଅଯୁକ୍ତିକର ବାହାନା ଦେଖାଇ ଭାରତୀୟ ଅର୍ଥନୀତିକୁ ଅସ୍ଥିର କରିବା ପାଇଁ ଚକ୍ରାନ୍ତ କରୁଛନ୍ତି  । ଏସବୁ କାର୍ଯ୍ୟ କଳାପ ରାଷ୍ଟ୍ରପତି ଟ୍ରମ୍ପଙ୍କର ଜିଦଖୋର ଓ ଯୁଦ୍ଧଖୋର ମୋନବୃତ୍ତିକୁ ସ୍ପଷ୍ଟ କରିଦେଇଛି । 

ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଯେ , ବିଶ୍ୱରେ ସବୁ ପ୍ରକାର ଅଶାନ୍ତିର କାରଣ ହୋଇ ରାଷ୍ଟ୍ରପତି ଟ୍ରମ୍ପ ନିଜକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ହକଦାର ମନେ କରୁଛନ୍ତି । ପାକିସ୍ତାନ ପରି ଆର୍ଥିକ ଦୁର୍ବଳ ଓ ରାଜନୀତିକ ଅସ୍ଥିର ଦେଶ ଟ୍ରମ୍ପ୍‌ଙ୍କର ସ୍ତାବକ  ସାଜି ତାଙ୍କ ପାଇଁ ନୋବେଲ ପୁରସ୍କାର ପାଇଁ ପ୍ରସ୍ତାବ ଦେଉଛନ୍ତି । ବିଶ୍ୱର ଅଧିକାଂଶ ଦେଶ ଏହି ହୀନମନ୍ୟତା ଓ କୁଚକ୍ରାନ୍ତକୁ ବୁଝୁଛନ୍ତି  । କିନ୍ତୁ ଯେହେତୁ ଅନେକ ଦେଶ ଆମେରିକା ଉପରେ ଆର୍ଥିକ ଓ ସାମରିକ ନିର୍ଭରଶୀଳ ଅଛନ୍ତି, ତେଣୁ ପ୍ରତ୍ୟକ୍ଷ ଭାବରେ ଆମେରିକା ବିରୁଦ୍ଧରେ କିଛି ମନ୍ତବ୍ୟ ଦେବାରୁ ବିରତ ରହୁଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ଘର ମାଉସୀ ସେ ଘର ପିଉସୀ ହୋଇ ଦେଶ ଦେଶ ମଧ୍ୟରେ ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱ ସୃଷ୍ଟି କରାଉଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମୁଁହରୁ ଯୁଦ୍ଧ ଆଢୁଆଳରେ ଶାନ୍ତିବାର୍ତ୍ତା ଦେବା କଥା ଟି ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ଓ ଅବାସ୍ତବ ଅଟେ ।  ଏହିଠାରେ ପାଠକମାନଙ୍କୁ ନୋବେଲ ପୁରସ୍କାର ବିଷୟରେ ସମ୍ୟକ ଧାରଣା ଦେବା ଉଚିତ ମନେକରୁଛୁ । ସ୍ୱିଡେନ ଦେଶର ପ୍ରଖ୍ୟାତ ରସାୟନବିତ୍‌, ଯନ୍ତ୍ରବିଜ୍ଞାନୀ ତଥା ଶିଳ୍ପପତି ସାର୍‌ ଆଲଫ୍ରେଡ଼  ନୋବେଲ ଡିନାମାଇଟ୍‌ ଭଳି ରାସାୟନିକ ବିସ୍ଫୋରକ ଉଦ୍ଭାବନ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ଏହି ବିସ୍ଫୋରକ ବ୍ୟବହାର କରି ଅନେକ ଗଠନମୂଳକ କାର୍ଯ୍ୟ କରାଯାଇପାରିବ । ଏହା ମାନବ ଜାତିର କଲ୍ୟାଣ ଓ ଶିଳ୍ପବିକାଶ ଦିଗରେ ସହାୟକ ହେବ । ପରବର୍ତ୍ତୀ ସମୟରେ , ସେ ଯେତେବେଳେ ଉପଲବ୍ଧି କଲେ ଯେ ତାଙ୍କ ଦ୍ୱାରା ଉଦ୍ଭାବିତ ଡିନାମାଇଟ ବ୍ୟବହାର କରି ଗୋଳା ବାରୁଦ ବୋମା ଆଦି ପ୍ରସ୍ତୁତ ହେଉଛି ଏବଂ ତାହା ମାନବ ଜାତିର ଧ୍ୱଂସ ପାଇଁ ବ୍ୟବହାର କରା ଯାଉଛି, ସେ ଖୁବ୍‌ ବ୍ୟଥିତ ହେଲେ । ତାଙ୍କର ଦେହାନ୍ତ ପୁର୍ବରୁ ସେ ତାଙ୍କ ଅର୍ଜିତ ସମସ୍ତ ଧନ ସଂପତ୍ତି ଦେଇ ୧୮୯୫ ମସିହାରେ ନୋବେଲ ପୁରସ୍କାର ପାଇଁ ଏକ ଫଣ୍ଡର ବ୍ୟବସ୍ଥା କଲେ  । ତାଙ୍କର ଇଛାପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ "ଯିଏ ମାନବ ଜାତି ପାଇଁ ସର୍ବୋଚ୍ଚ଼ ଉପକାର କରିଥିବ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ " । ଏଥିପାଇଁ ଏକ ପାଞ୍ଚ ଜଣିଆ ଚୟନ କମିଟିର ବ୍ୟବସ୍ଥା କରିଥିଲେ ଯେଉଁମାନେ ସ୍ୱିଡେନ ପାର୍ଲିଆମେଣ୍ଟ ଦ୍ୱାରା ନିର୍ବାଚିତ ହେବେ  । ନୋବେଲ ପୁରସ୍କାର ରସାୟନ ବିଜ୍ଞାନ , ଭୌତିକ ବିଜ୍ଞାନ  ଚିକିତ୍ସା ବିଜ୍ଞାନ   ଅର୍ଥନୀତି  ଓ ଶାନ୍ତି  ଏହି ଭଳି ପାଞ୍ଚଟି କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ପାଇଁ ପ୍ରତିବର୍ଷ ଦିଆଯାଇଥାଏ  । ଏସବୁ କ୍ଷେତ୍ର ଭିତରେ ଶାନ୍ତି ପ୍ରତିଷ୍ଠା ଓ ମାନବ ସମାଜର ହିତ ପାଇଁ ଯେଉଁମାନଙ୍କର ଅତୁଳନୀୟ ଅବଦାନ ଥାଏ ସେହିଭଳି ବ୍ୟକ୍ତି ବିଶେଷଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି କ୍ରମରେ ମଦର୍‌ ଟେରେସା , ନେଲସନ୍‌ ମଣ୍ଡେଲା , କୋଫି ଆନନ , ଡେସମଣ୍ଡ ଟୁଟୁ, କୈଳାସ ସତ୍ୟାର୍ଥିଙ୍କ ଭଳି ମହାନ ନେତା ଓ ସମାଜ ସେବକଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । 

ଅନେକ ସମୟରେ ଏହି ପୁରସ୍କାରର ନିରପେକ୍ଷତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଯାଉଛି, କାରଣ ଆମେରିକାର ରାଷ୍ଟ୍ରପତି ରୁଜ୍‌ଭେଲ୍ଟ, ବରାକ ଓବାମା , ଜିମି କାର୍ଟର ଇତ୍ୟାଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରାଯାଇଥିଲା  ଯାହାକୁ ବିଶ୍ୱବାସୀ ଏତେ ସହଜରେ ଗ୍ରହଣ କରିପାରିନାହାଁନ୍ତି । ଏବେକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକଳାପ ଓ ତାଙ୍କର କିଛି ସମର୍ଥକ ଯେଭଳି ଆଚରଣ ଓ ଉଚ୍ଚ଼ାରଣ କରୁଛନ୍ତି ସେଥିରୁ ପ୍ରତୀତ ହେଉଚି ଯେମିତି ଟ୍ରମ୍ପ୍‌ କଳେ ବଳେ କୌଶଳେ ନୋବେଲ ଶାନ୍ତି ପୁରସ୍କାର ହାସଲ କରିବାକୁ ଚେଷ୍ଟିତ  ଓ  ସେଥିପାଇଁ ସେ ବିଭିନ୍ନ ହାତକଣ୍ଡା ଆପଣେଇବାରେ ଲାଗିଛନ୍ତି । ଭାରତ  ପାକିସ୍ତାନ ଉପରେ ଆତଙ୍କବାଦୀ ନିପାତ କରିବା ପାଇଁ ଅପରେସନ ସିନ୍ଦୂର୍‌ ଚଲାଇଥିଲା ଓ ସଫଳତାର ସହ ଅତଙ୍କବାଦୀଙ୍କ ଆଡା ଧ୍ୱଂସ କରିବା ସହ ପାକିସ୍ତାନର ଏୟାର ବେସ୍‌ ଗୁଡ଼ିକୁ ନଷ୍ଟ କରିଦେଇଥିଲା । ଭାରତର ଆକ୍ରମଣ ରଣନୀତି ଏତେ ସଠିକ୍‌ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ଥିଲା ଯେ ପାକିସ୍ତାନ କିଛି ବୁଝିବା ଆଗରୁ ଭାରତ ତାର ଲକ୍ଷ୍ୟ ହାସଲ କରି ଦେଲା । ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ପାକିସ୍ତାନ ତରଫରୁ  ଯୁଦ୍ଧ ବିରତି ପାଇଁ ଗୁହାରି କରାଗଲା ଓ ଭାରତ ସହୃଦୟତାର ସହ ବିଚାର କରି ଆକ୍ରମଣ ବନ୍ଦ କରିଦେଲା  ।

ଏବେ ଟ୍ରମ୍ପ ନିଜ ଆଡୁ ଦାବି କରୁଛନ୍ତି ଯେ ସେ ନିଜେ  ଭାରତ ପାକିସ୍ତାନକୁ ବୁଝାଇ ଯୁଦ୍ଧ ବନ୍ଦ  କରିଦେଲେ । ଏ ପ୍ରକାର ଦାବି ସମ୍ପୂର୍ଣ ଅମୂଳକ । ସେହିପରି ଲେବାନନ୍‌ ର ଗାଜା ପଟି ରେ ଇସ୍ରାଏଲ୍‌ ନିଜର ଆଧିପତ୍ୟ ପାଇଁ ଯୁଦ୍ଧ ଜାରି ରଖିଛି ଯେଉଁଥିରେ ଆମେରିକାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାଗିଦାରି ପୁରା ପ୍ରମାଣିତ ହୋଇଛି  । ଆମେରିକା ମଧ୍ୟ ସିଧା ସଳଖ ଭାବେ ଇରାନ ଉପରେ ଆକ୍ରମଣ କରୁଛି । ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଚାଲୁରହିଛି କେବଳ ଆମେରିକା ଓ ସହୋଯୋଗୀ ରାଷ୍ଟ୍ର ମାନଙ୍କ ପାଇଁ । ସେମାନେ ୟୁକ୍ରେନ୍‌କୁ ଯୁଦ୍ଧ ପାଇଁ ବିଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଛନ୍ତି ଯେଉଁଥିପାଇଁ ଯୁଦ୍ଧ ଶେଷ ହଉନି। ଏସବୁକୁ ଅନୁଶୀଳନ କଲେ  ଯେକୌଣସି ପାଠକ କହିବେ ବିଶ୍ୱ ଶାନ୍ତି ବ୍ୟାହତ କରିବା ପାଇଁ ଆମେରିକା ଓ ମିତ୍ର ରାଷ୍ଟ୍ର ମାନେ ହିଁ ବିଶେଷ ପରିମାଣ ରେ ଦାୟୀ । ଏହି ପରିପ୍ରେକ୍ଷୀରେ ଟମ୍ପ୍‌ଙ୍କର ନୋବେଲ  ଶାନ୍ତି ପୁରସ୍କାର ପାଇଁ ପ୍ରଚେଷ୍ଟା  ଅତ୍ୟନ୍ତ ହାସ୍ୟାସ୍ପଦ । ସେ ଜଣେ ଯୁଦ୍ଧଖୋର ମଣିଷ କିନ୍ତୁ ଶାନ୍ତି ଦୂତ ସାଜିବା ପାଇଁ ବ୍ୟଗ୍ର । ଯଦି ସେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ହାସଲ କରିବାରେ ସଫଳ ହୁଅନ୍ତି ତେବେ ନୋବେଲ୍‌ ସାହେବଙ୍କ ଆତ୍ମା ବ୍ୟଥିତ ନିଶ୍ଚୟ  ହେବ । ବିଶ୍ୱବାସୀଙ୍କର ବିଶ୍ୱାସ ଯେ ନୋବେଲ ପୁରସ୍କାର ହେଉଛି ମାନବ କଲ୍ୟାଣ କ୍ଷେତ୍ରରେ ସର୍ବୋଚ୍ଚ଼ ସମ୍ମାନ ଓ ଏହି  ସମ୍ମାନ ପାଇଁ ଯୋଗ୍ୟ ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଯିଏ ସମଗ୍ର ମାନବ ସମାଜର ଉନ୍ନତି ଅଗ୍ରଗତି ପାଇଁ ସଂପୂର୍ଣ୍ଣ ଭାବେ ସମର୍ପିତ ସିଏ ହିଁ ଏହିଁ ମହାନ୍‌ ସମ୍ମାନ ଦ୍ୱାରା ସମ୍ବର୍ଦ୍ଧିତ ହୁଅନ୍ତି । ଆମର ନୋବେଲ ପୁରସ୍କାର ଚୟନ କମିଟି ଉପରେ ସଂପୂର୍ଣ୍ଣ ଆଶା ଓ ଭରସା ଅଛି ଓ "ଯୁଦ୍ଧଖୋର ଶାନ୍ତି ଦୂତ’ ଏହି ସର୍ବଶ୍ରେଷ୍ଠ ସମ୍ମାନ ପାଇବାର ହକଦାର ହେବ ନାହିଁ ବୋଲି ଦୃଢ଼ ବିଶ୍ୱାସ ରଖିଛୁ ।
  ମୋ: ୯୯୩୭୦୮୦୭୧୦