ରଥଖଳା


ବୀଣାପାଣି ସାହୁ 
ଜଗା ଦରଶନ କରିବି ବୋଲିରେ
ଆସିଅଛି ଶିରି କ୍ଷେତ୍ର 
ରଥଖଳା ତାର ଦେଖିବା ମାତ୍ରକେ 
ବେନି ନୟନ ପବିତ୍ର ।
ସେ ରଥକାଠର ପ୍ରତି କୋଣେ କୋଣେ
ଦେଖୁଛି ତା ପ୍ରତିଛବି
ମହାରଣା କୂଳ କଳାକାର ଗଣ
ଗଢନ୍ତି ଆନନ୍ଦ ଲଭି ।
ରଥ ଅନୁକୂଳ ଅକ୍ଷୟ ତୃତୀୟା 
ମନ ଉଲ୍ଲାସରେ ଭରେ
ମୋ ଜଗା କାଳିଆ ଦରଶନ ଦେବ 
ଚଢି ତା ନନ୍ଦିଘୋଷରେ ।
ଧଉରା କାଠରେ ଗଢା ହୁଏ ରଥ 
ହୋଇଣ ଧୋତ ସୋଧନ 
ପ୍ରଭୁଙ୍କୁ ସ୍ମରିଣ  ଶିଳ୍ପୀକାରଗଣ
ହାତେ ଧରି ତାଙ୍କ ନିହଣ ।    
ବସନ୍ତ ପଞ୍ଚମୀ ଆସିଥାଏ କାଠ
ରାମ ନବମୀରେ ଚିରା
ଭାବଭକତିରେ ଅତି ଶରଧାରେ 
ବିଧହୁଏ ଯେ ଗର୍ଗରା ।
ରଥଖଳା ପର୍ବ ଲାଗିଇ ଅପୂର୍ବ 
ସେବକ ଦ୍ୱାରା ପ୍ରସ୍ତୁତ 
ରଥର ଗୋଜରେ ଖୋଦେଇ କରନ୍ତି
ରୂପକାର ସେବାୟତ ।
ମହାରଣା କୂଳ କାରିଗର ଗଣ
ଅଣ୍ଟାରେ ଗାମୁଛା ଭିଡ଼ି
ଭଉଁରୀ ତିଥିର ମହତ୍ତ୍ୱ ପ୍ରତିତ 
ଚକା ଅଖ ଦେଲେ ଯୋଡ଼ି ।
ଦେଖି ଚାରୁଚିତ୍ର ଲାଗଇ ବିଚିତ୍ର
ଉକôର୍ଷ କଳା କୀରତି 
ହୋମ ଯାଗଯଜ୍ଞ ମନ୍ତ ଆହୁତିରେ
ଚତୁର୍ଦ୍ଦିଗ କମ୍ପୁଥାନ୍ତି ।
ମହାରଣା ଜାତି ରଥ ଗଢିଥାନ୍ତି
ଚିତ୍ରକାର ଚିତ୍ର ଝୋଟି
ରୂପକାର ଗଣ ମୂରତି ଗଢନ୍ତି 
ଲୋହକାର କଣ୍ଟା ପିଟି ।
ଚତୁର୍ଦ୍ଧା ମୂରତି ପଠାଇ ଦିଅନ୍ତି
ନିଜ ନିଜ ଆଜ୍ଞାମାଳ 
ପୂଜା ପଣ୍ଡାଗଣ ସ୍ୱହସ୍ତେ ଧରିଣ
କରିଥାନ୍ତି ଅନୁକୂଳ ।
ଝାଞ୍ଜଘଣ୍ଟା ଖୋଳ  ମୃଦଙ୍ଗର ତାଳ
ହରିବୋଲ ଶବଦରେ 
ଆକାଶରୁ ସତେ ଓହ୍ଲାଇ ଆସନ୍ତି
ଦେବାଦେବୀ ସହିତରେ ।
ଷୋହଳ ଚକରେ ଗଢା ନନ୍ଦିଘୋଷ 
ଚଉଦରେ ତାଳଧ୍ୱଜ 
ବାରଚକ ଲାଗି ଦେବଦଳନ ଯେ
ହେଲେଣି ତ ସଜବାଜ ।
ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ 
ରଥଯାତ୍ରା ଅନୁଷ୍ଠିତ 
ରଥ ପରେ ବସି ମାଉସୀ ଘରକୁ
ଗଡିଯିବ ତିନି ରଥ ।
ଜୟ ଜଗନ୍ନାଥ  ।
 ଶିକ୍ଷୟିତ୍ରୀ
ସହ ସଂପାଦିକା ବର୍ଣ୍ଣାଳୀ ସାହିତ୍ୟ ସଂସଦ, ତାଳଚେର
ମୋ: ୭୬୦୯୦୬୫୧୩୩