ରାଜଧାନୀରେ ଏନ୍ଏଚ୍ଆର୍ସିର ସ୍ୱତନ୍ତ୍ର ଶିବିର : ୧୪୪ ମାମଲାର ଶୁଣାଣି, ୨୮ ଲକ୍ଷ ସହାୟତା ସୁପାରିଶ

 ଭୁବନେଶ୍ୱର : ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ଆଜି ପୂର୍ଣ୍ଣ କମିଶନ ଏବଂ ଡିଭିଜନ ବେଞ୍ଚରେ ୧୪୪ଟି ମାମଲାର ଶୁଣାଣି କରି ଏହାର ଦୁଇ ଦିନିଆ ଭୁବନେଶ୍ୱର ଶିବିର ବୈଠକ ସମାପ୍ତ କରିଛି ଏବଂ ଓଡିଶା ରାଜ୍ୟରେ ମାନବାଧିକାର ଉଲ୍ଲଂଘନର ପୀଡିତମାନଙ୍କୁ ୨୮ ଲକ୍ଷ ଟଙ୍କା ସହାୟତା ସୁପାରିଶ କରିଛି । ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ, ନ୍ୟାୟମୂର୍ତ୍ତି ଭି. ରାମାସୁବ୍ରମଣ୍ୟମ୍, ସଦସ୍ୟ ଡକ୍ଟର ନ୍ୟାୟମୂର୍ତ୍ତି ବିଦୁ୍ୟତ୍ ରଞ୍ଜନ ଷଡ଼ଙ୍ଗୀ ଏବଂ ବିଜୟା ଭାରତୀ ସାୟାନି ମାମଲାଗୁଡ଼ିକର ଶୁଣାଣି କରିଥିଲେ । ସଦସ୍ୟା ପ୍ରିୟଙ୍କା କାନୁନଗୋ ଅନ୍ୟ କାର୍ଯ୍ୟ ଯୋଗୁଁ ଶୁଣାଣିରେ ଯୋଗ ଦେଇପାରି ନ ଥିବାରୁ, ମାନ୍ୟବର ଅଧ୍ୟକ୍ଷ ଏକକ ବେଞ୍ଚ ଶୁଣାଣି କରିଥିଲେ  । ଶୁଣାଣି ସମୟରେ ପୀଡିତ, ଅଭିଯୋଗକାରୀ ଏବଂ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।
କମିଶନ ହାଜତ ମୃତୁ୍ୟ, ସରକାରୀ ଗୃହରେ ସ୍ୱାସ୍ଥ୍ୟ ସମସ୍ୟା, ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନାରେ ଶିଶୁ ମୃତୁ୍ୟ, ବୁଡ଼ି ମୃତୁ୍ୟ, ବୁଲା କୁକୁର କାମୁଡ଼ା, ଶିଶୁ ଚାଲାଣ, ମୌଳିକ ମାନବିକ ସୁବିଧା ପାଇବାରୁ ବଞ୍ଚିତ, ମହିଳାମାନଙ୍କ ବିରୁଦ୍ଧରେ ଅପରାଧ, ବଳାକôାର, ଶିଶୁ ବିରୁଦ୍ଧରେ ଅପରାଧ, ନିଖୋଜ ବ୍ୟକ୍ତି, ପୁଲିସ ଅତ୍ୟାଚାର, ଆତ୍ମହତ୍ୟା ମୃତୁ୍ୟ, ପୁଲିସ ଦ୍ୱାରା ଏଫଆଇଆର ପଞ୍ଜିକରଣ ନ କରିବା, ବିଦୁ୍ୟତ ଆଘାତ ମାମଲା ଇତ୍ୟାଦି ମାମଲାଗୁଡ଼ିକର ବିଚାର କରିଥିଲେ । ସାମାଜିକ କଲ୍ୟାଣ ଯୋଜନା ଅଧୀନରେ ଜଣେ ବରିଷ୍ଠ ଆଦିବାସୀ ମହିଳାଙ୍କୁ ପେନସନ, ୧୫୦୦୦ ଟଙ୍କା ମଧ୍ୟବର୍ତ୍ତୀକାଳୀନ ସହାୟତା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥିଲା । ବିପଦପୂର୍ଣ୍ଣ ବାଣ କାରଖାନାରେ କାମ କରୁଥିବା ସମୟରେ ୧୨ ବର୍ଷର ବାଳକ ସମେତ ପାଞ୍ଚ ଜଣ ଶ୍ରମିକଙ୍କ ମୃତୁ୍ୟ କ୍ଷେତ୍ରରେ ପ୍ରତ୍ୟେକ ପୀଡିତଙ୍କ ନିକଟତମ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ଏବଂ ବିପଦପୂର୍ଣ୍ଣ କାରଖାନାକୁ ସିଲ୍ କରିଦିଆଯାଇଛି  । ଉଭୟ ପକ୍ଷଙ୍କ କଥା ଶୁଣିବା ପରେ କମିଶନ ୩୮ଟି ମାମଲା ବନ୍ଦ କରିଛନ୍ତି  । କ୍ଷତିପୂରଣ ପ୍ରଦାନର ପ୍ରମାଣ ସହିତ ଅନୁପାଳନ ରିପୋର୍ଟ ପାଇବା ପରେ ୩ଟି ମାମଲାକୁ  ବନ୍ଦ କରାଯାଇଛି  । କମିଶନ ଦେଖିଛନ୍ତି ଯେ ୨୫ଟି ମାମଲାରେ 'ପିଡ଼ିତଙ୍କୁ କ୍ଷତିପୂରଣ ଯୋଜନା' ଅଧୀନରେ ଏକ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ବିଚାରାଧୀନ ଅଛି । କମିଶନ ଓଡ଼ିଶା ରାଜ୍ୟ ଆଇନ ସେବାର ସଦସ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ, ଯିଏ ପନ୍ଦର ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯାଇ ମାମଲାଗୁଡ଼ିକର ସମାଧାନ ନିଶ୍ଚିତ କରିଛନ୍ତି ।