ଭିଜିଲାନ୍ସ ଏବଂ ବନବିଭାଗର ଚଢାଉ, ୩ ଗିରଫ
କପ୍ତିପଦା : ଚଲାଇଥିଲେ କାଠ ସୋ ମିଲ୍ । ତାହା ପୁଣି ଗୋଟିଏ ଜାଗାରେ ସ୍ଥାୟୀ ଭାବରେ ନୁହେଁ । ଟାଟା ଏସିଇ ଗାଡିରେ ଲଗାଇଥିଲେ ମେସିନ ଆଉ ଜଙ୍ଗଲ ଭିତରକୁ ସାଙ୍ଗରେ ଡିଜି ଧରି ଯାଇ ବେଧଡକ ଭାବେ ଜଙ୍ଗଲରେ ଗଛ କାଟି ତାହାକୁ ବିକ୍ରୀ କରୁଥିଲେ । ହେଲେ ୫ ମାସ ପିଛା ବା ନଜର ରଖିବା ପରେ ଶେଷରେ ବନବିଭାଗ ଏବଂ ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢାଉ କରି ପର୍ଦ୍ଧାଫାଶ କରିଛନ୍ତି ପୁରା ଘଟଣା । ଆଉ ଏ ସବୁ ଭିତରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ସୋ ମିଲ ଆଳରେ କିପରି କାଠ ମାଫିଆମାନେ ବନ୍ୟଜନ୍ତୁ ଶିକାର ସହିତ ଜଡିତ ଥିଲେ ତାହାର ଠୋସ୍ ପ୍ରମାଣ ପାଇଛି ବନବିଭାଗ । ବାରିପଦା ଭିଜିଲାନ୍ସ ବିଭାଗ ଏବଂ କପ୍ତିପଦା ବନବିଭାଗ କପ୍ତିପଦା ବନାଂଚଳ ଅଧିନ ରଙ୍ଗାମାଟିଆ ଗ୍ରାମରେ ଏକ ସୋ ମିଲରେ ଚଢାଉ କରି ବ୍ୟାପକ ପରିମାଣର କାଠ କଟାଯାଉଥିବା ଭିଜିଲାନ୍ସ ଏବଂ ବନବିଭାଗ ଦେଖିବାକୁ ପାଇଥିଲେ । ଦୁଇ ଦିନ ଧରି ରଙ୍ଗାମାଟିଆ ଗ୍ରାମର ଜ୍ଞାନରଞ୍ଜନ ଦାସଙ୍କ ଫାର୍ମ ହାଉସରେ ଚଢାଉ ସମୟରେ ସମରେନ୍ଦ୍ର ଭୂୟାଁ, ରାଜେନ୍ଦ୍ର ଭୂୟାଁ ଏବଂ ଜ୍ଞାନରଞ୍ଜନ ଦାସଙ୍କୁ ଗିରଫ କରିଥିଲେ । ଗିରଫମାନେ ଫାର୍ମ ହାଉସରେ ବେନିୟମ ଭାବେ କାଠ ସୋ ମିଲ ଚଲାଇଥିଲେ । ସେମାନଙ୍କ ନିକଟରୁ ଏକ ଟାଟା ଏସିଇ ଗାଡିରେ କାଠକାଟିବା ମେସିନ ଲଗାଇ ବୁଲିବା ସହିତ ବିଭିନ୍ନ ସ୍ଥାନରେ ଗଛ କାଟି ତାହାକୁ ବିକ୍ରୀ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଏହା ସହିତ ଉକ୍ତ ସୋ ମିଲରୁ ସାଗୁଆନ, ଆକାଶିଆ, ଶାଳ କାଠ ବ୍ୟାପକ ପରିମାଣର ଜବତ କରିଥିଲେ । ଦୁଇ ଦିନ ଲଗାତାର ଚଢାଉରେ ୨୬୫.୩୨ କୁ୍ୟବିକ୍ ଫୁଟ କାଠ ଲଗ ଏବଂ ପଟ୍ଟା ଜବତ କରିବା ସହିତ ୧୨୦ କୁଇଣ୍ଟାଲ ଜାଳେଣି କାଠ ଜବତ କରିଥିଲା । ଯାହାକି ୨୩ ଲକ୍ଷରୁ ଅଧିକ ଟଙ୍କାର କାଠ ସମେତ ଅନ୍ୟ ଯନ୍ତ୍ରାଂଶ ଜବତ ହୋଇଥିବା ଜଣାଯାଇଛି ଏଥିସହ ବନବିଭାଗ ହାତରେ ଲାଗିଥିଲା ଏକ ହରିଣର ଦୁଇ ଗୋଟି ଶିଙ୍ଘ । ଯାହାକି ସୋ ମିଲର ମାଲିକ ଜ୍ଞାନରଞ୍ଜନ ଦାସ ନିଜ ଘରେ ଲୁଚାଇ ରଖିଥିଲେ । ଗିରଫ ୩ ଜଣଙ୍କୁ ବନବିଭାଗ ପଚରାଉଚରା କରିବା ସହିତ କୋର୍ଟଚାଲାଣ କରିଛି ।