ରେଖାପଞ୍ଚମୀରେ ରାହୁରେଖା ଲାଗି ହେଲେ ମହାପ୍ରଭୁ
ପୁରୀ : ଭାଦ୍ରବ କୃଷ୍ଣପଞ୍ଚମୀ ବା ରେଖାପଞ୍ଚମୀରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଶ୍ରୀ ମନ୍ଦିରରେ ଶ୍ରୀ ଜୀଉମାନଙ୍କ ରାହୁରେଖା ଲାଗି ନୀତି ସଂପନ୍ନ ହୋଇଛି । ବୁଧବାର ଭୋର ୫ଟା ୫୫ମି ମନ୍ଦିରର ଦ୍ୱାର ଫିଟିଥିଲା । ସକାଳ ୬ଟା ୨୫ମି ଭିତରଶୋଧ କରାଯାଇ ୬ଟା ୪୦ମି ସଂପନ୍ନ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆଳତି । ୬ଟା ୪୫ମି ମଇଲମ, ୭ଟା ୧୦ମି ତଡପଲାଗି ଓ ୭ଟା ୩୦ମି ଅବକାଶ ପୂଜା ଆରମ୍ଭ ହୋଇ ୭ଟା ୫୫ମି ଶେଷ ହୋଇଥିଲା । ୮ଟାରେ ପୁନଶ୍ଚ ମଇଲମ, ୮ଟା ୫ମି ରୋଷହୋମ, ୮ଟା ୨୦ମି ବେଶଶେଷ, ୯ଟା ସୂର୍ଯ୍ୟପୂଜା, ୯ଟା ୧୫ମି ଦ୍ୱାରପାଳ ପୂଜା ଓ ୯ଟା ୩୫ମି ଗୋପାଳବଲ୍ଲଭ ପୂଜା ଆରମ୍ଭ ହୋଇ ୯ଟା ୪୫ମିନିଟ୍ରେ ଶେଷ ହୋଇଥିଲା । ଶୁଦ୍ଧ ସୁଆରଙ୍କ ଦ୍ୱାରା ଓଷୁଅ ପ୍ରସ୍ତୁତ କରାଯାଇ ସିଂହାସନ ତଳେ ରଖାଯାଇଥିଲା । ବୋଇରାଣୀ ପାହାଡା ଉପରେ ବଣିଆମାନେ ସଫାକରି ରଖିଥିବା ରାହୁରେଖାର ମୁହଁ ଓଷୁଅରେ ମୁଦ କରାଯାଇଥିଲା । ଦଇତାପତି ସେବକମାନେ ବେହରଣ ତଳେ ଗୋଡଧୋଇ ରତ୍ନସିଂହାସନ ଉପରକୁ ଉଠିଥିଲେ । ପାଳିଆମେକାପ ବାଡବାଡ କରି ପତି ମହାପାତ୍ରଙ୍କ ହାତକୁ ରାହୁରେଖା ବଢାଇଥିଲେ । ପତିମହାପାତ୍ର ବାଡଗ୍ରାହୀମାନଙ୍କୁ ରାହୁରେଖା ଦେବା ପରେ ଦଇତାପତିମାନେ ଶୁଦ୍ଧସୁଆରଙ୍କ ଠାରୁ ଓଷୁଅ ଓ ଚାଙ୍ଗଡା ମେକାପଙ୍କ ଠାରୁ ବଇତମ ନେଇ ରୁନ୍ଧାକାର୍ଯ୍ୟ ଶେଷ କରିଥିଲେ । ଦଇତାପତିମାନେ ପାଳିଆ ମେକାପଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ସିଂହାସନରୁ ଓହ୍ଲାଇବା ପରେ ଶୁଦ୍ଧ ସୁଆର ପୋଛା ମାରିବା ସହ ସିଂହାସନ ତଳେ ୩ବଢା ଦହିକୁ ମହାସ୍ନାନ ପୂଜା ଠା’ କରିଥିଲେ । ଏହାପରେ ପୂଜାପଣ୍ଡାଙ୍କ ଦ୍ୱାରା ମହାସ୍ନାନ ନୀତି ସଂପନ୍ନ କରାଯାଇଥିଲା । ପାଳିଆ ପୁଷ୍ପାଳକ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ଖଟ ଶେଯ ଘରୁ ଆଣି ସିଂହାସନରେ ବିଜେ କରାଇଥିଲେ । ରାହୁରେଖା ଲାଗି ସାରି ଦଇତାପତିମାନେ ବାହାରିଥିଲେ । ସିଂହାସନରେ ବିଜେ କରିବା ପରେ ଠାକୁରମାନଙ୍କୁ ମଇଲମ ଓ ବେଶ କରାଯାଇଥିଲା । ଦ୍ୱିପ୍ରହର ଧୂପପୂଜା ଶେଷ ହୋଇ ଭିତରେ ପାଣିପଡିବା ପରେ ପୂଜାପଣ୍ଡା ଓ ମୁଦିରସ୍ତ ବନ୍ଦାପନା କରିଥିଲେ । ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।