ଶାସନ ପ୍ରକ୍ରିୟାରେ ଗୁଣାତ୍ମକ ସେବାକୁ ଗୁରୁତ୍ୱ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଶୁକ୍ରବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ବୈଠକରେ ଗତ ଡିସେମ୍ବର ମାସରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ନିଷ୍ପରି ମୁତାବକ କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସେହିପରି ଗତ ଡିସେମ୍ବର ମାସରେ ଅନୁଷ୍ଠିତ ୪ର୍ଥ ମୁଖ୍ୟ ଶାସନ ସଚିବସ୍ତରୀୟ ଜାତୀୟ ସମ୍ମିଳନୀରେ ଆୟୋଜିତ ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯାଇଥିବା ମୁଖ୍ୟ ଶାସନ ସଚିବ ଅବଗତ କରିବା ସହିତ ଏହାର ଆୟୋଜନରେ ସହଯୋଗ କରିଥିବା ସମସ୍ତ ବିଭାଗ ତଥା ସହଯୋଗୀ ଅନୁଷ୍ଠାନମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ । ବିଭିନ୍ନ କାର୍ଯ୍ୟ ସମ୍ପାଦନ ବେଳେ ଏଆଇର ଆବଶ୍ୟକତା ଓ ପ୍ରୟାଗ ବୃଦ୍ଧି ପାଇଥିବାରୁ ଏ ସମ୍ପର୍କରେ ଏକ ଗବେଷଣାଭିଭିକ ଇକୋ ସିଷ୍ଟମ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି କରିବାକୁ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗକୁ ପରାମର୍ଶ ଦିଆଯାଇଛି । ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି, ରଥଯାତ୍ରା ୨୦୨୫ ପାଇଁ ପ୍ରସ୍ତୁତି ସଂପର୍କରେ ଆସନ୍ତା ମାର୍ଚ୍ଚ ମାସରେ ବୈଠକ କରାଯିବା,ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଚିଠା ଭିଜନ ଡକୁ୍ୟମେଣ୍ଟ ପ୍ରସ୍ତାବ ଉପସ୍ଥାପନା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଟିପିସିଓଡିଏଲ ତରଫରୁ ବିଦୁ୍ୟତ ଯୋଗାଣ ବ୍ୟବସ୍ଥାରେ ଶେଷ ପଏଣ୍ଟ ପର୍ଯ୍ୟନ୍ତ ଟ୍ରାନ୍ସଫରମରର କାର୍ଯ୍ୟ ଯାଞ୍ଚ ଓ ତଦାରଖ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରାଯାଇଛି । ଏହି ବ୍ୟବସ୍ଥା ମଧ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଜଳ ସଂପଦ ବିଭାଗ ପକ୍ଷରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ଉଠାଜଳସେଚନ ପଏଣ୍ଟ କ୍ଷେତ୍ରରେ ଲାଗୁ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଏଥି ସହିତ କୃଷି ଉତ୍ପାଦିତ ଦ୍ରବ୍ୟର ବଜାର ସୁବିଧା ନିମନ୍ତେ ଆବଶ୍ୟକ ସଂସ୍କାର ପାଇଁ ସମବାୟ ବିଭାଗକୁ ଏଥିରେ ରହିଥିବା ବ୍ୟବସ୍ଥାର ତର୍ଜମା କରି ଆବଶ୍ୟକ ପ୍ରସ୍ତାବ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।