ସୀମାନ୍ତ ଗାନ୍ଧୀ


ଭାରତୀୟ ନ ହୋଇ ମଧ୍ୟ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଲାଭ କରିଥିବା ପ୍ରଥମ ବିଦେଶୀ ହେଉଛନ୍ତି ଖାନ ଅବଦୁଲ ଗଫର ଖାନ । ୧୯୮୭ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ପରେ ୧୯୯୦ରେ ଭାରତ ରତ୍ନ ପାଇଥିଲେ ଆଉ ଜଣେ ବିଦେଶୀ ନେଲ୍ସନ୍ ମଣ୍ଡେଲା । ଉଲ୍ଲେଖଯୋଗ୍ୟ ଯେ, ୧୯୮୦ରେ ମଦର ଟେରେସାଙ୍କୁ ଏହା ପ୍ରଦାନ କରାଯାଇଥିଲେ ହେଁ ଏହାର ବହୁ ପୂର୍ବରୁ ସେ ଭାରତର ନାଗରିକତ୍ୱ ପାଇସାରିଥିଲେ । ଗଫର ଖାନ ଏକାଧିକ ନାମରେ ପରିଚିତ ବଚ୍ଚା ଖାନ, ପାଶା ଖାନ, ବାଦଶାହ ଖାନ । ତାଙ୍କୁ ସୀମାନ୍ତ ଗାନ୍ଧୀ ମଧ୍ୟ କୁହାଯାଏ । ସେ ସାରା ଜୀବନ ଅହିଂସାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ସେ ଥିଲେ ସଚ୍ଚୋଟ ମୁସଲମାନ । ମହାତ୍ମାଙ୍କ ସହ ତାଙ୍କର ଅନ୍ତରଙ୍ଗ ବନ୍ଧୁତା ଥିଲା । ଭାରତୀୟ ମୁକ୍ତି ସଂଗ୍ରାମର ଏହି ମହାନ୍ ମୁକ୍ତି ଯୋଦ୍ଧା ୧୯୨୯ରେ ଖୁଦାଈ ଖିଦମତଗାର ନାମକ ରାଜନୈତିକ ଦଳ ଗଠନ କରିଥିଲେ । ଅଖିଳ ଭାରତ ମୁସଲିମ୍ ଲିଗ୍ ଯେତେ ବେଳେ ଭାରତ ବିଭାଜନ ପାଇଁ ଦାବି କରିଥିଲା, ସର୍ବ ପ୍ରଥମେ ବିରୋଧ କରିଥିଲେ ଏହି ମୁସଲମାନ ନେତା । ଆଉ ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସ ବିଭାଜନକୁ ସମର୍ଥନ ଦେଲା, ହତାଶ ହୋଇ ଗଫର ଖାନ କଂଗ୍ରେସ ନେତୃବୃନ୍ଦଙ୍କୁ କହିଥିଲେ, “ତୁମ୍ଭେମାନେ ଆମକୁ ଗଧିଆ ପଲଙ୍କ ମଧ୍ୟକୁ ଠେଲିଦେଲା ।” ବିଭାଜନ ପରେ ସେ ପାକିସ୍ତାନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସ୍ୱୟଂ ଶାସିତ ପକ୍ତୂନିସ୍ତାନ ଗଠନ ପାଇଁ ଦାବି କରିଥିଲେ ହେଁ ପାକିସ୍ତାନ ସରକାରଙ୍କ ଦ୍ୱାରା ତାଙ୍କୁ ବାରମ୍ବାର ଅକାରଣରେ ଗିରଫ କରାଯାଉଥିଲା ଏବଂ ଦୀର୍ଘ ସମୟ କାରାଗାରରେ ଅଟକ ରଖାଯାଉଥିଲା । ପେଶାୱାରରେ ଗୃହ ବନ୍ଦୀ ଥିବାବେଳେ ହିଁ ତାଙ୍କର ଦେହାନ୍ତ ହୋଇଥିଲା ।  ଆଫଗାନିସ୍ତାନ ଅନ୍ତର୍ଗତ ଜଲାଲାବାଦସ୍ଥିତ ନିଜର ପୈତୃକ ଘରେ କବର ପାଇବା ଥିଲା ତାଙ୍କର ଶେଷ ଇଛା । ଏହାକୁ ସମ୍ମାନ ଜଣାଇ ଦଶ ହଜାରରୁ ଅଧିକ ପ୍ରଶଂସକ ଓ ଅନୁଗାମୀ ତାଙ୍କ ଶବାଧାର ସହ ଖାଇବର ପାସ ଦେଇ ଚାଲି ଚାଲି ପେଶାୱାରରୁ ଜଲାଲାବାଦ ଯାଇଥିଲେ । ଉକ୍ତ ମହାଯାତ୍ରାକୁ ବିରୋଧୀମାନେ ସଫଳ କରାଇ ନଦେବା ପାଇଁ ଦୁଇ ଦୁଇଟି ବିସ୍ଫୋରଣ ଘଟାଇଥିଲେ । ପନ୍ଦର ଜଣଙ୍କ ମୃତୁ୍ୟ ଘଟିବା ସତ୍ତ୍ୱେ ମହାଯାତ୍ରା ଅଟକି ନଥିଲା ।  ୧୮୯୦ରେ ପେଶାୱାର ଉପତ୍ୟକାରେ ଏକ ସଂଭ୍ରାନ୍ତ ପରିବାରେ ସେ ଜନ୍ମ ହୋଇଥିଲେ । ଉଚ୍ଚ ଶିକ୍ଷା ଲାଭ ପୂର୍ବରୁ ବ୍ରିଟିସ୍ ସେନାରେ ଅଫିସର ଭାବେ ଯୋଗଦେବା ପାଇଁ ତାଙ୍କୁ ପ୍ରସ୍ତାବ ମିଳିଥିଲେ ହେଁ ସେ ଗ୍ରହଣ ନକରି ସ୍ୱାଧୀନତା ଆନେ୍ଦାଳନରେ ସାମିଲ ହୋଇଥିଲେ । ୧୯୮୮ ଜାନୁଆରୀ ୨୦ ତାରିଖ  ଦିନରେ ତାଙ୍କର ପରଲୋକ ହୋଇଥିଲା ।
ଡ. ତପନ କୁମାର ପାଳ,କଟକ