ହିମାଂଶୁ ଶେଖର ଆ·ର୍ଯ୍ୟ : ଶିକ୍ଷା ଗୋଟିଏ ଜାତିର ସମ୍ପଦ,ପରିଚୟ ଓ ସ୍ୱୀକୃତି । ଯେଉଁ ଦେଶ ଯେତେ ଶିକ୍ଷିତ,ସେ ଦେଶ ସେତେ ଉନ୍ନତ । ଏହା ଉପରେ ମାନବ ସମ୍ବଳର ବିକାଶ ନିର୍ଭର କରେ । ବିଶେଷକରି କମ୍ପ୍ୟୁଟର, ଇଣ୍ଟରନେଟ୍, ମୋବାଇଲ ,ହ୍ୱାଟସଆପ୍,ଫେସବୁକ୍ ଓ ଟ୍ୱିଟର ସମଗ୍ର ବିଶ୍ୱକୁ ଏକ ଛୋଟିଆ ଗାଆଁରେ ପରିଣତ କରିଥିବା ବେଳେ ସାକ୍ଷରତାର ଗୁରୁତ୍ୱ ବୃଦ୍ଧି ପାଇଛି । ସାକ୍ଷରତା କେବଳ ଏକ ଅଧିକାର ନୁହେଁ ବରଂ ସାମାଜିକ ଓ ମାନବିକ ବିକାଶର ମାଧ୍ୟମ ଅଟେ । ତେଣୁ କୌଣସି ଦେଶର ବାସ୍ତବ ବିକାଶ ସେ ଦେଶର ସାକ୍ଷରତା ସହ ଅଙ୍ଗାଙ୍ଗୀଭାବେ ଜଡିତ । ଦାରିଦ୍ର୍ୟ ଦୂରୀକରଣ, ଶିଶୁ ମୃତୁ୍ୟହାର ହ୍ରାସ, ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ପୁରୁଷ ମହିଳା ଲିଙ୍ଗାନୁପାତ ହ୍ରାସ ଓ ଉଚ୍ଚମାନର ଜୀବନଧାରଣର ମାନକୁ ଏହା ସିଧାସଳଖ ପ୍ରଭାବିତ କରେ । ଏବେବି ବିଶ୍ୱରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୭୫ କୋଟିରୁ ଊଦ୍ଧ୍ୱର୍ । ପ୍ରତି ପାଞ୍ଚଜଣ ପ୍ରାପ୍ତ ବୟସ୍କ ଲୋକଙ୍କ ମଧ୍ୟରେ ଜଣେ ନିରକ୍ଷର । ଅନୁ୍ୟନ ୭କୋଟି ଶିଶୁ ନିମ୍ନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ । କେତେ ଶିଶୁ ପ୍ରାଥମିକ ସ୍ତରରୁ ହିଁ ଶିକ୍ଷା ଛାଡୁଛନ୍ତି ତାହାର କୌଣସି ହିସାବ ନାହିଁ । ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଦକ୍ଷିଣ ଓ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ । ଏହା ପଛକୁ ଅଛନ୍ତି ଆରବ ଓ ଆଫ୍ରିକାନ୍ ରାଷ୍ଟ୍ରସମୂହ । ବର୍କିନା ଫାସୋ, ନିଗର ଓ ମାଲିରେ ସାକ୍ଷରତା ହାର ବିଶ୍ୱରେ ସବୁଠାରୁ କମ୍ ଯଥାକ୍ରମେ ୧୨.୮ ପ୍ରତିଶତ, ୧୪.୪ ପ୍ରତିଶତ ଓ ୧୯ ପ୍ରତିଶତ । କିନ୍ତୁ ବିଶ୍ୱର ସାକ୍ଷରତା ହାର ୮୪ ପ୍ରତିଶତକୁ ବିଚାରକୁ ନେଲେ ସ୍ୱୀକାର କରିବାକୁ ହେବ ଯେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି । ଏକ ସର୍ବେକ୍ଷଣରୁ ଯଣାପଡିଛିଯେ ଏବେବି ଆମ ଦେଶରେ ପ୍ରାୟ ୨୮ କୋଟିରୁ ଊଦ୍ଧ୍ୱର୍ ଲୋକ ନିରକ୍ଷର ଅଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱରେ ସାକ୍ଷରତା ହାର ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟବ୍ରିଟେନ, ସୋଭିଏତ୍ ଋଷ, ସୁଇଡେନ, କାନାଡା ପ୍ରଭୃତି ଦେଶରେ ସାକ୍ଷରତା ହାର ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ, ୯୯.୬ ପ୍ରତିଶତ, ୯୯ ପ୍ରତିଶତ ରହିଛି । ଏପରିକି କାନାଡା, ନିଉଜିଲ୍ୟାଣ୍ଡ ଓ ବର୍ମା ପ୍ରଭୃତି ଦେଶରେ ସାକ୍ଷରତା ହାର ହେଉଛି ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ ଓ ୮୯ ପ୍ରତିଶତ । ଏହି ପରିପ୍ରେକ୍ଷୀରେ ଆମ ଦେଶକଥା ବିଚାରକୁ ନେଲେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ । ତନ୍ମଧ୍ୟରୁ ପୁରୁଷ ସାକ୍ଷରତା ହାର ୮୨.୧୪ ପ୍ରତିଶତ ହୋଇଥିବା ବେଳେ ନାରୀ ସାକ୍ଷରତା ହାର ୬୫.୪୬ ପ୍ରତିଶତ । ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉକ୍ରଟତର । ସେହିପରି ଆମ ପ୍ରଦେଶ ଓଡ଼ିଶା କଥା ଚିନ୍ତାକଲେ ଅନ୍ୟ ରାଜ୍ୟ ତୁଳନାରେ ଆମେ ପଛରେ । କେରଳ ଓ ମିଜୋରାମରେ ସାକ୍ଷରତା ହାର ଯଥାକ୍ରମେ ୯୩.୯୧ ପ୍ରତିଶତ ଓ ୯୧.୬ ପ୍ରତିଶତ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ ସାକ୍ଷରତା ହେଉଛି ୬୩.୮୨% । ଆମ ଓଡିଶାର ସାକ୍ଷରତା ହାର ୭୩.୫ ପ୍ରତିଶତ ଯାହାକି ଜାତୀୟ ହାର ଠାରୁ କମ୍ । ଏମାନଙ୍କ ମଧ୍ୟରୁ ପୁରୁଷ ସାକ୍ଷରତା ହାର ୮୨.୪ ପ୍ରତିଶତ ଓ ମହିଳା ସାକ୍ଷରତା ହାର ୬୪.୩୬ ପ୍ରତିଶତ । ମାନବ ଜାତିର ସର୍ବାଙ୍ଗୀନ ବିକାଶର ଉତ୍ସ ହେଉଛି ଶିକ୍ଷା । ପ୍ରତ୍ୟେକ ମଣିଷକୁ ଶିକ୍ଷାର ଅଙ୍ଗନକୁ ଆଣିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି । ଏସବୁ ସତ୍ତ୍ୱେ ବିଶ୍ୱ ସ୍ତରରେ ପ୍ରତି ୫ଜଣ ବୟସ୍କଙ୍କ ମଧ୍ୟରେ ଜଣେ ଅଶିକ୍ଷିତ ଅଛନ୍ତି । ଆମ ଦେଶ ଓ ରାଜ୍ୟ କଥା ଆହୁରି ତଦ୍ରୂପ । ଏହି ସମସ୍ୟାର ସମାଧାନ ପାଇଁ ପ୍ରାକ୍ ସ୍ୱାଧୀନତା କାଳରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୯୭୮ ମସିହା ଅକ୍ଟୋବର ୨ ତାରିଖରେ ଭାରତ ସରକାର ବହୁଚର୍ଚ୍ଚିତ ପ୍ରୈ÷ାଢ ଶିକ୍ଷା କାର୍ଯ୍ୟକ୍ରମ ଓ ୧୯୮୭ ମଇ ମାସ ୫ ତାରିଖରୁ ଦେଶରେ ସାକ୍ଷରତା ମିଶନ୍ କାର୍ଯ୍ୟକାରୀ ହେଉଛି । ପରବର୍ତ୍ତୀ କାଳରେ ସମ୍ପୂର୍ଣ୍ଣ ସାକ୍ଷରତା ଯୋଜନା, ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ଭଳି ଅନେକ ଯୋଜନା ପ୍ରଣୟନ ହୋଇଛି । ସେହିପରି ଓଡ଼ିଶା ସରକାର ୨୦୦୨ ମସିହାରୁ ସର୍ବଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି । ଭାରତ ସରକାର ୨୦୦୯ ମସିହାରେ ଐତିହାସିକ ଶିକ୍ଷା ଅଧିକାର ବିଲ୍ ଆଣି ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଏହାଦ୍ୱାରା ୬ ରୁ ୧୪ ବର୍ଷ ବୟସର ପ୍ରାୟ ୯୨ ଲକ୍ଷ ଶିଶୁ ଶିକ୍ଷାଲାଭର ସୁଯୋଗ ପାଇବାର ଲକ୍ଷ୍ୟ ରଖାଯାଇଛିା ଏକ ହିସାବରୁ ଜଣାଯାଏ ଓଡ଼ିଶାରେ ମଧ୍ୟ ମୋଟ ୬୮ ଲକ୍ଷ ୨୮ ହଜାର ୩୫୭ ଜଣ ଶିଶୁଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୧୪୭ ଜଣ ପିଲା ସ୍କୁଲ ଦୁଆରମୁହଁ ମାଡିନାହାଁନ୍ତି ।
ସବୁଠୁ ବଡ କଥା ହେଉଛି ନାରୀ ସାକ୍ଷରତା କ୍ଷେତ୍ରରେ ଆମର ଅଗ୍ରଗତି ସନ୍ତୋଷ ଜନକ ନୁହେଁ । ଗୋଟିଏ ଲୋକକଥା ଅଛି - “ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ” । ଦିନେ କେବେ ବ୍ୟାସକବି ଫକିର ମୋହନଙ୍କ ଆଖି ଦେଖା କଥାରେ ପାଠପଢି ବସିଥିବା ଝିଅ ରେବତୀକୁ ତା ବୁଢୀ ମା କହିଥିଲା - ରେବତୀ ପାଠ ପଢିବ ! ଘର ଉଜୁଡି ଯିବ । ହେଲେ ରେବତୀ ଆଜି ଅର୍ଗଳିରୁ ବାହାରି ଯାଇ ପାଠ ପଢିଛି । ପୁଅମାନଙ୍କ ସହ ତାଳ ଦେଇ ଅନେକରେ ଏକ ହୋଇଛି । ତଥାପି ସଂଗ୍ରାମ ସରିନାହିଁ । ନାରୀଶିକ୍ଷାର ପ୍ରସାର ଓ ପ୍ରଚାର ପାଇଁ ଅଣ୍ଟାଭିଡି ବାହାରିଥିବା ମଲାଲାକୁ ତାଲିବାନଙ୍କ ଗୁଳିମାଡର ଆଘାତ ସହିବାକୁ ପଡିଛି । ଆଜି ବି ବିଶ୍ୱର ବିଭିନ୍ନ ଦେଶରେ ପୁରୁଷ ସାକ୍ଷରତା ତୁଳନାରେ ନାରୀ ସାକ୍ଷରତା ହାର ପଛରେ ରହିଛି । ସମଗ୍ର ବିଶ୍ୱରେ ନାରୀ ସଶକ୍ତିକରଣର ସ୍ଲୋଗାନ ଦିଆଯାଉଥିବା ବେଳେ ନାରୀ ସାକ୍ଷରତା ହାର ବୃଦ୍ଧି କରାଯିବା ଉପରେ ଅଗ୍ରାଧିକାର ଦିଆଯିବା ଉଚିତ୍ ।କାରଣ ନାରୀ ଜାଗିଲେ, ପରିବାର ଜାଗିବ,ପରିବାର ଜାଗିଲେ, ଦେଶ ଜାଗିବ ଓ ଦେଶ ଜାଗିଲେ, ବିଶ୍ୱ ଜାଗିବ । ଏକଥା ଆମକୁ ମନେ ରଖିବାକୁ ହେବ । ନିରକ୍ଷରତା ଏକ ଜାତୀୟ ଲଜ୍ଜା । ଏହାକୁ ହଟାଯିବା ଜରୁରୀ । ଏ ଦିଗରେ ସବୁସ୍ତରରେ ବ୍ୟାପକ ଉଦ୍ୟମ ଲୋଡା ତାହାଲେ ଯାଇ ନିରକ୍ଷରତା ଭଳି ଏକ ସାମାଜିକ ବ୍ୟାଧିକୁ ଆମେ ନିୟନ୍ତ୍ରଣ କରିପାରିବା ଓ ଦେଶକୁ ପ୍ରଗତି ପଥରେ ଆଗେଇନେବା । ଏହି କଥାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ । ସେଥିପାଇଁ କୁହାଯାଏ-- “ପଢିଲେ ଜାଣିବା, ଜାଣିଲେ ଜିଣିବା” ।
ଜଗତସିଂହପୁର,ମୋ-୯୯୩୭୧୫୧୦୫