ସୁପ୍ରିମକୋର୍ଟଙ୍କ ଇଚ୍ଛା : ସବୁ ଡିଜିଟାଲ ଆରେଷ୍ଟର ତଦନ୍ତ କରୁ ସିବିଆଇ

ସୁପ୍ରିମକୋର୍ଟଙ୍କ ଇଚ୍ଛା  : ସବୁ ଡିଜିଟାଲ ଆରେଷ୍ଟର ତଦନ୍ତ କରୁ ସିବିଆଇ

ନୂଆଦିଲ୍ଲୀ : ଦେଶର ସବୁ ଡିଜିଟାଲ ଆରେଷ୍ଟର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ସୋମବାର ଦିନ କହିଛନ୍ତି ଯେ ଏହି ପ୍ରକାରର ଅପରାଧର ପରିମାଣ ଓ ସମଗ୍ର ଭାରତରେ ପ୍ରସାରକୁ ବିଚାରକୁ ନେବା ପରେ ଡିଜିଟାଲ ଗିରଫ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ଆଗ୍ରହୀ । ଏନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପଞ୍ଜିକୃତ ଏଫଆଇଆରର ବିବରଣୀ ମାଗିଛନ୍ତି ।

    ବିଚାରପତି ସୂର୍ଯ୍ୟକାନ୍ତ ଓ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଡିଜିଟାଲ ଗିରଫ ମାମଲା ଉପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନୋଟିସ୍‌ ଜାରି କରିଛନ୍ତି । ନଭେମ୍ବର ୩ରେ ଠକମାନଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଜଣେ ବୃଦ୍ଧାଙ୍କ ଅଭିଯୋଗ ଉପରେ ଏହା ଦ୍ୱାରା ପଞ୍ଜିକୃତ ସ୍ୱତଃ ମାମଲାଗୁଡ଼ିକୁ ପୋଷ୍ଟ କରିଛନ୍ତି । ସିବିଆଇ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଉପସ୍ଥାପନକୁ ସର୍ବୋଚ୍ଚ ଅଦାଲତ ଉଲ୍ଲେଖ କରିଛନ୍ତି ଯେ ସାଇବର ଅପରାଧ ଓ ଡିଜିଟାଲ ଗିରଫ ମାମଲାଗୁଡ଼ିକ ମିଆଁମାର ଏବଂ ଥାଇଲ୍ୟାଣ୍ଡ ଭଳି ଦେଶରୁ ଉତ୍ପନ୍ନ ହେଉଛି । ଏହି ମାମଲାଗୁଡ଼ିକର ତଦନ୍ତ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ତଦନ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେ ସିବିଆଇ ତଦନ୍ତର ଅଗ୍ରଗତି ଉପରେ ନଜର ରଖିବୁ, ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବୁ ବୋଲି ଖଣ୍ଡପୀଠ କହିଛନ୍ତି । ଡିଜିଟାଲ ଗିରଫ ମାମଲାର ତଦନ୍ତ ପାଇଁ ପୁଲିସ ବଳରେ ନଥିବା ସାଇବର ବିଶେଷଜ୍ଞଙ୍କ ସମେତ ଅଧିକ ସମ୍ବଳ ଆବଶ୍ୟକ କି ନାହିଁ ସେ ବିଷୟରେ ଖଣ୍ଡପୀଠ ସିବିଆଇକୁ ଉତ୍ତର ଦେବାକୁ କହିଥିଲେ ।

   ୧୭ ତାରିଖରେ ଦେଶରେ ଅନଲାଇନ୍‌ ଠକେଇର ବଢ଼ୁଥିବା ଘଟଣା, ବିଶେଷକରି ନ୍ୟାୟିକ ନିର୍ଦ୍ଦେଶ ଜାଲ କରି ନାଗରିକମାନଙ୍କୁ ଠକିବା ପାଇଁ ଡିଜିଟାଲ ଗିରଫଦାରୀ ଉପରେ ଧ୍ୟାନ ଦେଇ ସର୍ବୋଚ୍ଚ଼ ଅଦାଲତ କେନ୍ଦ୍ର ଓ ସିବିଆଇର ଜବାବ ଲୋଡ଼ି କହିଥିଲେ ଯେ ଏପରି ଅପରାଧ ବ୍ୟବସ୍ଥା ଜନସାଧାରଣଙ୍କ ବିଶ୍ୱାସର "ଭିତ୍ତି’ ଉପରେ ଆଘାତ କରେ । ସର୍ବୋଚ୍ଚ ଅଦାଲତ ହରିୟାଣାର ଅମ୍ବାଲାରେ ଏକ ବରିଷ୍ଠ ନାଗରିକ ଦମ୍ପତିଙ୍କୁ କୋର୍ଟ ଏବଂ ତଦନ୍ତ ଏଜେନ୍ସିଗୁଡ଼ିକର ନକଲି ନିର୍ଦ୍ଦେଶ ଆଧାରରେ ଠକମାନେ ୧.୦୫ କୋଟି ଟଙ୍କା ଆଦାୟ କରିବା ପାଇଁ ଡିଜିଟାଲ ଗିରଫଦାରୀ କରିବାର ଏକ ଜ୍ୱଳନ୍ତ ମାମଲାର ବିଚାର କରିଥିଲେ ।