୧୫ ଘଣ୍ଟା ହେଲା ଜଳୁଛି ଡମ୍ପିଂୟାର୍ଡ

୧୫ ଘଣ୍ଟା ହେଲା ଜଳୁଛି ଡମ୍ପିଂୟାର୍ଡ

 ରାଜଧାନୀ ଆକାଶ ଧୂଆଁମୟ । ହୁ ହୁ ଜଳୁଛି ଡମ୍ପିଂୟାର୍ଡ। ନିଆଁ ଯୋଗୁ ଅସହ୍ୟ ଗରମ ସାଙ୍ଗକୁ ନିଶ୍ୱାସ ନେବାବି କଷ୍ଟକର ହୋଇପଡିଛି। ଏହାକୁ ନେଇ ଏବେ ପୁଲିସ ଆକ୍ସନ ମୁଡ୍‌କୁ ଆସିଛି। ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ରୁଜୁ କରିଛି ଏଫ୍‌ଆଇଆର୍‌ ।

ପୁର୍ବ ଦିଲ୍ଲୀର ଗାଜିପୁରରେ ଥିବା ଡମ୍ପିଂୟାର୍ଡ ତଥା ଲ୍ୟାଣ୍ଡଫିଲ୍‌ ସାଇଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗତ ସନ୍ଧ୍ୟାରୁ ହୁ ହୁ ହୋଇ ଜଳୁଛି ଡମ୍ପିଂୟାର୍ଡ। ଏହି ନିଆଁକୁ ଆୟତ୍ତ କରିବା ଏବେ କଷ୍ଟକର ହୋଇପଡିଛି। ଚାରିଆଡେ ଧୂଆଁ ବ୍ୟାପିବା ଯୋଗୁ ଆଖପାଖର ଲୋକେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। କେବଳ ସେତିକି ନୁହେଁ ଧୂଆଁ ଯୋଗୁ ପିଲାଙ୍କୁ ସ୍କୁଲ ପଠାଇବା ପାଇଁ ବି ଠିକ୍‌ ମଣୁ ନାହାନ୍ତି ଲୋକେ। ସେପଟେ ଏହାକୁ ନେଇ ପୁଲିସ ଏକ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛି।

ପୁଲିସ ଅନୁସାରେ ଗାଜିପୁର ଥାନାରେ ଧାରା ୩୩୬ ଓ ୨୭୮ରେ ମାମଲା ରୁଜୁ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି। ଦିଲ୍ଲୀ ଦମକଳ ବାହିନୀର କହିବା ଅନୁସାରେ, ଏହି ବିଶାଳ ଅଳିଆ ଗଦାର ପାହାଡରୁ ଉତ୍ପନ୍ନ ଗ୍ୟାସ୍‌ ଯୋଗୁ ରବିବାର ସନ୍ଧ୍ୟାରେ 'ଲ୍ୟାଣ୍ଡଫିଲ୍‌'ରେ ଅଗ୍ନିକାଣ୍ଡ ଘଟିଥିଲା।

ଲ୍ୟାଣ୍ଡଫିଲ୍‌ ନିକଟରେ ଥିବା ଘଡୋଲି ଗ୍ରାମବାସିନ୍ଦାଙ୍କ କହିବା ମୁତାବକ, ଏହି ଡମ୍ପିଂୟାର୍ଡରେ ଗତ ୧୫ ଘଣ୍ଟା ହେଲା ନିଆଁ ଲାଗିଲାଣି। ଏଯାଏଁ ଏହାକୁ ଆୟତ୍ତ କରାଯାଇପାରି ନାହିଁ। ଏଥିରୁ ବାହାରୁଥିବା ବିଶାକ୍ତ ଧୂଆଁ ଯୋଗୁ ଲୋକଙ୍କୁ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। କେବଳ ସେତିକି ନୁହେଁ ଆଖି ମୁହଁ ମଧ୍ୟ ପୋଡିଲା ଭଳି ଅନୁଭବ ହେଉଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ଦିଲ୍ଲୀ ମହାନଗର ନିଗମ ଓ ସରକାରକୁ ଟାର୍ଗେଟ କରିଛି ବିଜେପି। ଲୋକଙ୍କୁ ଭଲ ସ୍ୱାସ୍ଥ୍ୟକର ଜୀବନ ଦେବାରେ ସ୍ଥାନୀୟ ସରକାର ବିଫଳ ହୋଇପଡିଥିବା ବିଜେପି ଅଭିଯୋଗ କରିଛି।