୩୦ ଦିନିଆ ପ୍ରଶିକ୍ଷଣ  ନେବେ ୨୦ ଲକ୍ଷପତି ଦିଦି 

ଛତ୍ରପୁର : ଲକ୍ଷପତି ଦିଦିଙ୍କୁ ତାଲିମ ପ୍ରଦାନ କରି ଅଧିକ ସ୍ୱାବଲମ୍ବୀ କରିବା ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ପକ୍ଷରୁ ୨୦ ଜଣ ଲକ୍ଷପତି ଦିଦି ରବିବାର ହାଇଦ୍ରାବାଦ ଗ୍ରସ୍ତ କରିଛନ୍ତି । ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ୨୦ ଜଣ ଲକ୍ଷପତି ଟ୍ରେନ ଯୋଗେ ବାହାରିଛନ୍ତି । ଛତ୍ରପୁର ରେଳ ଷ୍ଟେସନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ.ଶାରଦା ରେଡ୍ଡୀ ଓ ବିଡ଼ିଓ ସମ୍ବିତ ସଂଗ୍ରାମ ଜିତ ସାହୁ ପହଁଚି ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଡ୍ରେସ ଡିଜାଇନିଙ୍ଗ ଓ ଲେଦର ବ୍ୟାଗ କାର୍ଯ୍ୟ ପାଇଁ ସେମାନେ ତାଲିମ ନେବେ । ଡିସେମ୍ବର ୧ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେମାନେ ଏହି କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ନେବେ । ପ୍ରଶିକ୍ଷଣ ନେଇ ଫେରିବା ପରେ ସେମାନଙ୍କୁ ନେଇ ପ୍ରଶାସନ ପକ୍ଷରୁ ଏକ ପ୍ରୋଜେକ୍ଟ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯିବ, ଯାହା ଫଳରେ ସେମାନେ ଲକ୍ଷପତି ଦିଦିରୁ କୋଟିପତି ଦିଦି ହୋଇପାରିବେ ବୋଲି ଓଡିଶା ଜୀବିକା ମିଶନର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା କହିଛନ୍ତି । ଏହି ଅବସରରେ ଷ୍ଟେସନରେ ଓଡିଶା ଜୀବିକା ମିଶନ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରଥ, ମିଶନ ଶକ୍ତି ର ବ୍ଲକ ସଂଯୋଜିକା ସୀତା ବରାଳ ଓ ଓଡିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନାଙ୍କ ସମେତ ବହୁ ଏସଏଚଜି ମାନେ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ ।