୪୧.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି ମଧ୍ୟାହ୍ନ ଭୋଜନ ଯୋଜନା : ନିତ୍ୟାନନ୍ଦ ଗଣ୍ଡ 

୪୧.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି ମଧ୍ୟାହ୍ନ ଭୋଜନ ଯୋଜନା : ନିତ୍ୟାନନ୍ଦ ଗଣ୍ଡ 

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୧,୭୪,୯୧୫ ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପୋଷଣ ମଧ୍ୟାହ୍ନ ଭୋଜନ ଯୋଜନାରେ ଉପକୃତ ହେଉଛନ୍ତି  । ଏନେଇ ସ୍କୁଲ ଏବଂ ଗଣଶିକ୍ଷା  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ସୂଚନା ଦେଇଛନ୍ତି ।

ବାଲିଗୁଡ଼ା ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଛାତ୍ରଛାତ୍ରୀଙ୍କ ଖାଦ୍ୟର ମୂଲ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଉଛି । ରାଜ୍ୟ ସରକାର ସ୍ଥିର ଖର୍ଚ୍ଚର ନିଜର ଅଂଶ ପ୍ରଦାନ କରୁଛନ୍ତି ଏବଂ ନିଜସ୍ୱ ବଜେଟରୁ ଅତିରିକ୍ତ ଖାଦ୍ୟ ଖର୍ଚ୍ଚ ଯୋଗାଉଛନ୍ତି  । ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମୂଲ୍ୟ ପ୍ରାଥମିକ ଶ୍ରେଣୀ ପ୍ରଥମରୁ  ପଞ୍ଚମ ପାଇଁ ୭.୬୪ ଟଙ୍କା ଏବଂ ଷଷ୍ଠ ରୁ ଅଷ୍ଟମ ପାଇଁ ୧୦.୯୪ ଟଙ୍କା ରହିଛି  । ଯଦି ମଧ୍ୟାହ୍ନ ଭୋଜନ ଯୋଜନାକୁ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପ୍ରସାରିତ କରାଯାଏ, ତେବେ ଅତିରିକ୍ତ ୧୦, ୮୦,୦୦୦ ପିଲା ଉପକୃତ ହେବେ ବୋଲି ସେ କହିଛନ୍ତି । ଏହି ସମ୍ପ୍ରସାରଣ ଦ୍ୱାରା ରାଜ୍ୟ ସରକାରଙ୍କ ବାର୍ଷିକ ୬୪୬.୩୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି ।