ମାଛ ପାଇଁ ରୋଷେୟାଙ୍କୁ ପନିକିରେ ହାଣିଦେଲେ
ମାଛକୁ ନେଇ ମହାଭାରତ। ରାଜଧାନୀର ଏକ ହୋଟେଲରେ ମାଛ ପାଇଁ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ । ଡମଣା ଛକରେ ଥିବା ହୋଟେଲ ତାରାଦେଇରେ ଘଟିଛି ଏପରି ଏକ ଅଭାବନୀୟ କାଣ୍ଡ । ସାମାନ୍ୟ ମାଛ ପାଇଁ ରୋଷେୟାଙ୍କୁ ହତ୍ୟା କଲା ଅନ୍ୟ ଜଣେ ହୋଟେଲର କର୍ମଚାରୀ । ମୃତକ ହୋଟେଲ ରୋଷେୟା ପୀତାମ୍ବର ଜେନା ବୋଲି ଜଣାଯାଇଛି। ମୃତ ପୀତାମ୍ବରଙ୍କ ଘର ଗଞ୍ଜାମ ସୋରଡ଼ାରେ । ସେ ୧୫ ବର୍ଷ ଧରି ଉକ୍ତ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ପରିବାର ଲୋକଙ୍କ କହିବାନୁଯାୟୀ, ଗତ ରାତିରେ ମାଛ ଖାଇବାକୁ ନେଇ ହୋଟେଲର ଜଣେ କର୍ମଚାରୀ ଓ ପୀତାମ୍ବରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଅଭିଯୁକ୍ତଜଣକ ପୀତାମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ବୁତ୍ତ ପନିକିରେ ହାଣି ସାରିବା ପରେ, ମୃତଦେହକୁ ଲୁଚାଇବା ପାଇଁ କରୁଥିଲା ଯୋଜନା । ମାତ୍ର ତାହା ସମ୍ଭବ ନ ହେବାରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଖବର ପାଇ ପୁଲିସ୍ ଓ ମୃତକଙ୍କ ପରିବାର ଲୋକେ ହୋଟେଲ ନିକଟରେ ପହଞ୍ଚିଛନ୍ତି। ତେବେ ମୃତଦେହ ହୋଟେଲରେ ପଡ଼ିଥିବା ବେଳେ ସାଇଣ୍ଟିଫିକ୍ ଟିମ୍କୁ ଅପେକ୍ଷା କରିଛି ପୁଲିସ୍। ସାଇଣ୍ଟିଫିକ୍ ଟିମ୍ ସାମ୍ପଲ ସଂଗ୍ରହ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବ ପୁଲିସ୍।