ନାବାଳିକା କୁକର୍ମକାରୀକୁ ୨୦ ବର୍ଷ ସଜା

 ଭୁବନେଶ୍ୱର  : ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି  କରି କଟକ, ସ୍ୱତନ୍ତ୍ର ପୋସ୍କ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦,୦୦୦ଟଙ୍କା ଜରିମାନା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି  ।  ଅଭିଯୁକ୍ତ ଜଣକ ବାରଙ୍ଗ ଅଞ୍ଚଳର କୈଳାସ ସୁନାର । ମାମଲା ବିବରଣୀ ଅନୁଯାୟୀ, ଗତ ନଭେମ୍ବର ୨୦, ୨୦୨୪ରେ ବାରଙ୍ଗ ଥାନାରେ ଏହି ମାମଲା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ କୈଳାସ ସୁନାର ପୀଡିତା ନାବାଳିକାଙ୍କୁ ଚକୋଲେଟ୍ ଦେଇ ପ୍ରଲୋଭିତ କରିବା ସହ ନରଣପୁରରେ ଥିବା ଏକ ଇଟା ଭାଟି ପରିସରରେ ଯୌନ ନିର୍ଯାତନା ଦେଇଥିଲା  । ଏହା ସହ ଘଟଣା ସଂକ୍ରାନ୍ତରେ କାହା ସମ୍ମୁଖରେ ପ୍ରକାଶ ନ କରିବାକୁ ଧମକ ଦେଇଥିଲା । ତେବେ ଘଟଣା ସଂକ୍ରାନ୍ତରେ ନାବାଳିକା ଜଣକ ନିଜ ପିତାମାତାଙ୍କୁ ଜଣାଇଥିଲେ । ପରେ ନାବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ସହ  ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରୀ ପରୀକ୍ଷା ପାଇଁ ଶିଶୁ ଭବନ ଏବଂ କଟକର ଏସସିବି ମେଡିକାଲରେ  ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଭାରତୀୟ ନୂତନ ନ୍ୟାୟ ସଂହିତାର କଠୋର ବିଧି ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତ ବିରୋଧରେ ତଦନ୍ତ କରାଯାଇ ୧୫ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରାଯାଇଥିଲା । ଏହା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା ।