ସେପ୍ଟେମ୍ବର ୧୮ରୁ ମୌସୁମୀ ଅଧିବେଶନ
ମୌସୁମୀ ଅଧିବେଶନର ତାରିଖ ଆସିଲା । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ୧୮ ତାରିଖରୁ ଆରମ୍ଭ ହୋଇ ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥର ଆଶାଠୁ ଅନେକ ବିଳମ୍ବରେ ବସିବାକୁ ଯାଉଛି ମୌସୁମୀ ଅଧିବେଶନ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ପ୍ରତିଦିନ ନାରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠୁଛି । ରାଜ୍ୟର କୋଣ ଅନୁକୋଣରୁ ଯୁବତୀଙ୍କୁ ଜାଳିଦେବାର ଖବର ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ସରକାର । ତେଣୁ ଏହି କାରଣରୁ ସରକାର ଜାଣିଶୁଣି ମୌସୁମୀ ଅଧିବେଶନ ବିଳମ୍ବ କରୁଥିବା ବିରୋଧୀ ଦାବି କରୁଛନ୍ତି ।ତେବେ ବିଧାନସଭା ମୌସୁମୀ ଅଧିବେଶନ ନେଇ ତାରିଖ ଆସିବାପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏଥର ନାରୀ ନିର୍ୟାତନା, ଛାତ୍ରୀ ଆତ୍ମାହୁତି, ଚାଷୀ ହନ୍ତସନ୍ତ ପ୍ରସଙ୍ଗରେ ସ୍ୱର ଉଠାଇବ ବିଜେଡି । ଗଲା ଦେଢ଼ ବର୍ଷ ଭିତରେ ସରକାର ଯେଉଁ ସବୁ କୃତିତ୍ୱ ଅର୍ଜନ କରିଛନ୍ତି, ସେ ନେଇ ସରକାରଙ୍କ ବିଜେଡି ପ୍ରଶ୍ନ କରିବ ବୋଲି ପ୍ରମିଳା କହିଛନ୍ତି ।