ବରପୁତ୍ର ଐତିହ୍ୟ ଗାଁ ପାଇଁ ୩୪୫ କୋଟି
-
ବିକଶିତ ହେବ ୨୫ ବରପୁତ୍ରଙ୍କ ଗାଁ
-
ବିକଶିତ ଗାଁ ବିକଶିତ ଓଡ଼ିଶାରେ ସଂଶୋଧନ
-
ପୁଣି ପ୍ରକଳ୍ପ ପ୍ରସ୍ତାବ ଆହ୍ୱାନ
-
୧୦ ଲକ୍ଷରୁ ଉଦ୍ଧ୍ୱର୍ ପ୍ରକଳ୍ପ ପାଇଁ ବାଧ୍ୟତାମୂଳକ ଡିଏଲପି
-
୫ ଆଇଟିଆଇ ହେବ ଉତ୍କର୍ଷ ଆଇଟିଆଇ
-
୩ ଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟିର ଟେଣ୍ଡର ଅନୁମୋଦନ
-
ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ଗୋଟିଏ ସଂରକ୍ଷଣ ନୀତି
ଭୁବନେଶ୍ୱର : ବରପୁତ୍ରମାନଙ୍କ ସ୍ମୃତି ରକ୍ଷା ପାଇଁ ବରପୁତ୍ର ଐତିହ୍ୟ ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ୧୫ ବରପୁତ୍ରଙ୍କ ସ୍ମୃତି ରକ୍ଷା ପାଇଁ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ବିକଶିତ ଗାଁ, ବିକଶିତ ଓଡ଼ିଶାରେ ସଂଶୋଧନ କରାଯିବା ସହ ପୁଣି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆହ୍ୱାନ କରାଯାଇଛି । ୫ ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ରୂପାନ୍ତରିତ କରାଯିବ। ସେହିପରି ଜଳସେଚନ ପାଇଁ ୫ ଶହ କୋଟିର ଟେଣ୍ଡରକୁ ବି ଅନୁମୋଦନ କରାଯାଇଛି । ରାଜ୍ୟ କ୍ୟାବିନେଟର ୩୩ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମୋଟ ୭ ବିଭାଗର ୧୦ ପ୍ରସ୍ତାବ ଆଗତ ସହିତ ସମସ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା । ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନ ସଭାର ୫ମ ଅଧିବେଶନର ସତ୍ରା ବସାନ ସମ୍ପର୍କିତ ଥିଲା ।
ବରପୁତ୍ର ଐତିହ୍ୟ ଯୋଜନା : ଓଡ଼ିଶାର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି, ସାହିତ୍ୟିକ, ଶିକ୍ଷାବିତ୍, ସମାଜ ସୁଧାରକ ଏବଂ ମହାନ୍ ବ୍ୟକ୍ତିତ୍ୱ, ଯେଉଁମାନେ ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତ୍ୟିକ ପରିବେଶକୁ ଗଢ଼ିଥିଲେ, ସେମାନଙ୍କର ଜୀବନବ୍ୟାପୀ ସାଧନା ଓ ବଳିଦାନକୁ ସ୍ମରଣ କରି ସେମାନଙ୍କର ସ୍ମୃତିକୁ ପରପିଢି ପାଇଁ ସାଇତି ରଖିବାର ଆବଶ୍ୟକତା ରହିଛି । ସେମାନଙ୍କର ଅବଦାନ ପରପିଢିକୁ ପ୍ରେରିତ ଓ ଅନୁପ୍ରାଣିତ କରିବା ପାଇଁ ସେମାନଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ମନେକରି ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବ । ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ସ୍ଥାପନ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ କରାଯିବ । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ସ୍ଥାପନ କରାଯିବ । ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ଆଦିର ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବ । ବରପୁତ୍ରମାନଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କର ଆଦର୍ଶ, ପ୍ରେରଣା ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରାଯିବ ।
ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ନିମନ୍ତେ ୨୫ ଜଣ ବରପୁତ୍ରଙ୍କ ନାମ ନିର୍ଦ୍ଧାରିତ ହୋଇଅଛି । ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ଆବଶ୍ୟକତା ଅନୁଯାୟୀ ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ସର୍ବାଧିକ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ।
ବିକଶିତ ଗାଁ ବିକଶିତ ଓଡ଼ିଶା : ୧୦ ଲକ୍ଷର ପ୍ରକଳ୍ପରେ ୩ ବର୍ଷର ବାଧ୍ୟତାମୂଳକ ଡିଏଲପି
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ରାଜ୍ୟ ସରକାର ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ନିର୍ଦ୍ଦେଶାବଳୀରେ ଏକ ସଂଶୋଧନ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ, ତୃଣମୂଳ ସ୍ତରରେ ଅଂଶଗ୍ରହଣ ଏବଂ ବଟମ୍- ଅପ୍ ଆଭିମୁଖ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଚୟନ ଏବଂ ଅନୁମୋଦନ ପାଇଁ ଏକ ନୂତନ, ଢାଞ୍ଚା ପ୍ରସ୍ତୁତ କରାଯାଇଛି । ସଂଶୋଧିତ ପ୍ରକ୍ରିୟା ଅଧୀନରେ, ଆବଶ୍ୟକତା-ଭିତ୍ତିକ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ଏବେ ଜିଲ୍ଲାପାଳ, ଜିଲ୍ଲା ପରିଷଦ, ବ୍ଳକ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ସୂଚନା ଫଳକ ଓ ଜିଲ୍ଲା ୱେବପୋର୍ଟାଲରେ ଏକ ବିଜ୍ଞପ୍ତି ପ୍ରକାଶ କରି ନିର୍ବାଚିତ ପ୍ରତିନିଧି/ନାଗରିକ ସମାଜ ସଦସ୍ୟଙ୍କ ଠାରୁ ଆହ୍ୱାନ କରାଯିବ । ଏହି ପ୍ରସ୍ତାବଗୁଡ଼ିକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ସମୀକ୍ଷା କରାଯିବ। ଚୂଡ଼ାନ୍ତ ପ୍ରକଳ୍ପଗୁଡ଼ିକର ତାଲିକା ସମ୍ପୃକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ କରାଯିବ। ଉତ୍ତରଦାୟିତ୍ୱକୁ ସୁଦୃଢ କରିବା ପାଇଁ, ୧୦ ଲକ୍ଷ ଟଙ୍କାରୁ ଅଧିକ ସମସ୍ତ ପ୍ରକଳ୍ପ ପାଇଁ, ସମାପ୍ତି ତାରିଖରୁ ତିନି ବର୍ଷର ଏକ ବାଧ୍ୟତାମୂଳକ ତ୍ରୁଟି ଦାୟିତ୍ୱ ଅବଧି (ଡିଏଲପି) ପ୍ରଚଳନ କରାଯାଇଛି । ଏହି ସଂଶୋଧିତ ମାର୍ଗଦର୍ଶିକା ଆର୍ଥିକ ବର୍ଷ ୨୦୨୫-୨୬ରୁ କାର୍ଯ୍ୟକାରୀ ହେବ ।
ଉତ୍କର୍ଷ ଆଇଟିଆଇ ଯୋଜନା : ଆଇଟିଆଇଗୁଡ଼ିକୁ ଜୋନାଲ ଆଇଟିଆଇ ଭାବେ ଅପଗ୍ରେଡ଼ କରିବା ପାଇଁ ଯୋଜନା ହୋଇଛି । ୫ ଆଇଟିଆଇକୁ ଉତ୍କର୍ଷ ଆଇଟିଆଇ କରାଯିବ । ପୁରୀ, ବଲାଙ୍ଗୀର, ଅମ୍ବାଗୁଡ଼ା, ରାଜକନିକା ଓ ରାଉରକେଲାକୁ ଉତ୍କର୍ଷ ଆଇଟିଆଇ ଭାବେ ଅପଗ୍ରେଡ଼ କରାଯିବ । ଝାରସୁଗୁଡ଼ାରେ ଜଳସେଚନ ପାଇଁ ୧୬୭ କୋଟିର ଟେଣ୍ଡର ଅନୁମୋଦନ କରାଯାଇଛି । ଜିଲ୍ଲାର ୬୮୪୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇବା ସହ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ । ଏହି ପ୍ରକଳ୍ପର ୧୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୧୩ କୋଟି ୩୮ ଲକ୍ଷର ଟେଣ୍ଡରକୁ ବି ଅନୁମୋଦନ କରାଯାଇଛି । ୩୬ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣର ଲକ୍ଷ୍ୟ ରହିଛି । ଝାରସୁଗୁଡ଼ା ଜିଲ୍ଲାରେ ଅନ୍ୟ ଏକ ପ୍ରକଳ୍ପ ଜରିଆରେ ୬୩୬୦ ହେକ୍ଟର ଚାଷଜମିକୁ ଜଳସେଚନ ନିମନ୍ତେ ୧୭୬ କୋଟି ୮୭ ଲକ୍ଷ ଟଙ୍କା ଓ ୧୫ ବର୍ଷର ରକ୍ଷଣାବେକ୍ଷଣ ନିମନ୍ତେ ୧୪ କୋଟିର ଟେଣ୍ଡରକୁ ଅନୁମୋଦନ କରାଯାଇଛି । କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ ଅଧିନରେ ୫ ହଜାର ହେକ୍ଟର ଚାଷ ଜମିକୁ ଭୂତଳ ପାଇପ ଲାଇନ ଯୋଗେ ଜଳସେଚନ ଯୋଗାଇ ଦେବାକୁ ୧୫୪ କୋଟି ୭୨ ଲକ୍ଷ ଟଙ୍କା ଓ ୫ ବର୍ଷର ରକ୍ଷଣାବେକ୍ଷଣ ନିମନ୍ତେ ୭ କୋଟି ୭୩ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି । ୩୦ ମାସ ମଧ୍ୟରେ ଏହା ଶେଷ ହେବ । ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ଏକ ସଂରକ୍ଷଣ ନୀତି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ବିଚାର କରିବାକୁ ଅଧ୍ୟାଦେଶରେ ପ୍ରସ୍ତାବ ଦିଆଯାଇଛି ।
Samir Kumar Rout