ପୃଥକ ଦୁର୍ଘଟଣାରେ ୭ ମୃତ, ଟ୍ରେଲର ଧକ୍କାରେ ମାଆପୁଅ ହାଇୱା ଧକ୍କାରେ ୩ ଶ୍ରମିକ ମନ୍ଦିରା ଡ୍ୟାମରେ ବୁଡି ୨ ଯୁବକ

ପୃଥକ ଦୁର୍ଘଟଣାରେ ୭ ମୃତ, ଟ୍ରେଲର ଧକ୍କାରେ ମାଆପୁଅ ହାଇୱା ଧକ୍କାରେ ୩ ଶ୍ରମିକ ମନ୍ଦିରା ଡ୍ୟାମରେ ବୁଡି ୨ ଯୁବକ


 ଭୁବନେଶ୍ୱର:
ଆଜି ରାଜ୍ୟରେ ପୃଥକ ଦୁର୍ଘଟଣାରେ ୭ଜଣଙ୍କ ମୃତୁ୍ୟ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁସୁମୀ ରାସ୍ତାର ଲଇଡାଗୁଣା ଛକ ନିକଟରେ ଏକ ଟ୍ରେଲର ଧକ୍କାରେ ମା’-ପୁଅଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିବାରୁ ସାମୟିକ ଭାବେ ରାସ୍ତା ବନ୍ଦ ରହିଥିଲା  । ସମ୍ବଲପୁର ଜିଲ୍ଲା ତୁରେଇ ପଞ୍ଚାୟତ କୁର୍ମୁଲୋଇ ଗ୍ରାମର ସୁବାସିନୀ ନାୟକ ଓ ତାଙ୍କ ପୁଅ ସୁବ୍ରତ ନାୟକ ଏକ ବାଇକ ଯୋଗେ ସକାଳେ କୁଚିଣ୍ଡା ଆସୁଥିବା ବେଳେ  କୁଚିଣ୍ଡା–ମହୁଲପାଲି ସୀମାନ୍ତ  ଲାଇଡ଼ାଗୁଣା ଛକ ଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ଧକ୍କା ଦେଇଥିଲା ।  ଏଥିରେ ମା ଓ ପୁଅଙ୍କ ଶୋଚନୀୟ ମୃତୁ୍ୟ ଘଟିଥିଲା  । ଏହି ଘଟଣା ପ୍ରଚାର ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା  । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ପ୍ରାୟ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ପରେ  କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା, ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କା, କୁଚିଣ୍ଡା ତହସିଲଦାର ପ୍ରସନ୍ନ ଟେଟ, କୁସୁମୀ ଫାଣ୍ଡି ଅଧିକାରୀ ଏମଡି ଜାହାଙ୍ଗୀର ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଉଭୟ ମୃତକଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏଁ ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ପ୍ରଦାନ ସହ ଏହି ରାସ୍ତାରେ ଦିନ ବେଳା ଭାରିଯାନ ଚଳାଚଳ ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା । 
ସେହିପରି ସୁନ୍ଦରଗଡ ଜିଲ୍ଲା  ୫୨୦ ନମ୍ବର ଜାତୀୟ ରାଜପଥରେ ହାଇୱା ଧକ୍କାରେ ୩ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି । କୋଇଡା ଥାନା କାଲଟା ଫାଣ୍ଡି ଅନ୍ତର୍ଗତ ତୋଡା ବସ୍ତିର ଦେବେନ୍ଦ୍ର ଦେହୁରୀ, ଅନାଦି ନାଏକ ଓ ଅନୀଲ ଦେହୁରୀ ଶ୍ରମିକ ଭାବେ କାମ କରନ୍ତି । ସବୁଦିନ ପରି ଆଜି କାମ କରିବା ପାଇଁ ବାଇକ୍ରେ ଯାଇ ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେମାନେ ଘରକୁ ଫେରୁଥିଲେ । ତେବେ ୫୨୦ ଜାତୀୟ ରାଜପଥର ବେଞ୍ଜାଢ଼ି ବ୍ରିଜରେ ସମ୍ମୁଖରୁ ଆସୁଥିବା ହାଇୱା ବାଇକ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସେମାନଙ୍କର ମୃତୁ୍ୟ ଘଟିଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାରମ୍ୱାର ସେଠାରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବୁଝାସୁଝା ପରେ ଉତ୍ତେଜନା ପ୍ରଶମିତ ହୋଇଛି । ସେପଟେ ହାଇୱା ଡ୍ରାଇଭର କିଛି ଦୂରରେ ଗାଡି ଛାଡି ପଳାଇ ଯାଇଛି । ପୁଲିସ୍ ଗାଡିଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । 
ସେହିପରି ସୁନ୍ଦରଗଡ ଜିଲ୍ଲା ମନ୍ଦିରା ଡ୍ୟାମରେ ବୁଡି ଯାଇ ୨ଜଣ ଯୁବକଙ୍କ ମୃତୁ୍ୟ ହୋଇଛି । ଆଜି ଅପରାହ୍ଣରେ ମନ୍ଦିରା ଡ୍ୟାମକୁ ୫ଜଣ ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ସମୟରେ ୨ଜଣ ଯୁବକ ଡ୍ୟାମର ଗଭୀର ଜଳରେ ବୁଡି ଯାଇଥିଲେ । ଖବର ପାଇ ରାଏବଗା ଓ କୁଅାଁରମୁଣ୍ଡା ଅଗ୍ନିଶମ ବାହିନୀ ସେମାନଙ୍କ ମୃତଦେହ ଉଦ୍ଧାର କରିଛି । ସେମାନେ ହେଲେ ଝାରବେଡା ଗାଁର ପିୟୁଷ ବାଖଲା ଓ ବୀରମିତ୍ରପୁର ଦେଓକରଣ ଦଫେଇ ଗାଁର ସୁମନ ଡାଙ୍ଗ ।