ଆଦାନୀ ନେବେ ଗୋପାଳପୁର ବନ୍ଦର

Adani Gopalpur Port

ଆଦାନୀ ନେବେ ଗୋପାଳପୁର ବନ୍ଦର

ଭୁବନେଶ୍ୱର : ଆଦାନୀ ଗ୍ରୁପ୍‌ ପାଖକୁ ଯିବ ଗୋପାଳପୁର ବନ୍ଦରର ୯୫% ଅଂଶଧନ  । ଆଦାନୀ ବନ୍ଦର ଓ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳକୁ ଏହି ଅଂଶଧନ ହସ୍ତାନ୍ତର ପାଇଁ ସମ୍ମତି ମାଗିଥିଲେ  । ଯେଉଁଥିରେ ଶାପୁରଜୀ ପୋର୍ଟ ମେଣ୍ଟେନାନ୍ସର ୫୬% ଓ ଓଡ଼ିଶା ଷ୍ଟିଭେଡୋରସର ୩୯% ଅଂଶଧନ ରହିଛି  । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛନ୍ତି  । ସୂଚନାଯୋଗ୍ୟଯେ, ଗୋପାଳପୁର ବନ୍ଦରରେ ଓଡ଼ିଶା ଷ୍ଟିଭେଡୋରସର ୩୪%, ନୋବଲେ ଗ୍ରୁପର ୩୩% ଓ ସାରା ଇଣ୍ଟର ନାସନାଲର ୩୩% ଅଂଶଧନ ରହିଛି  । ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ରାଜସ୍ୱ ଅଂଶ ବାବଦରେ ବନ୍ଦରରୁ ୩୮ କୋଟି ଟଙ୍କା ପାଇଛନ୍ତି  । 

ସେହିପରି କ୍ୟାବିନେଟରେ ହୋଇଥିବା ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଅବିବାହିତା ଝିଅ ଓ ଅବିବାହିତା ସାବତ ଝିଅମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବିଚାର କରାଯାଉଛି  । ହେଲେ ବିବାହିତା ଝିଅ କିମ୍ବା ବିବାହିତା ସାବତ ଝିଅଙ୍କୁ ବିଚାରକୁ ନିଆଯାଉନାହିଁ  । ତେଣୁ ପିତାମାତାଙ୍କ ଉପରେ ନିର୍ଭରଶୀଳ ଥିବା ଝିଅ କିମ୍ବା ସାବତ ଝିଅ ବାହା ହୋଇଥିଲେବି ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ  । ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ଲଗାଇଛନ୍ତି  । ଏସଂକ୍ରାନ୍ତରେ ଆଇନରେ କେତେକ ସଂଶୋଧନ ଅଣାଯିବ  । 

ରାଜ୍ୟର ୟୁନିଫର୍ମ ସେବାରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହେଉଥିବା ସମସ୍ତ ‘ଗ’ ଓ ‘ଘ’ ପଦବୀରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ  ୧୦% ସଂରକ୍ଷଣ ଦିଆଯିବ  । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହୋଇଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ ସଂରକ୍ଷଣ ରହିବ  । ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ  । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ  ।