ଲୋକଙ୍କ ହୃଦୟ ଜିତିବାକୁ ହେଲେ ସେବା ହିଁ ମୁଖ୍ୟ ମାଧ୍ୟମ : ନବୀନ

ଲୋକଙ୍କ ହୃଦୟ ଜିତିବାକୁ ହେଲେ ସେବା ହିଁ ମୁଖ୍ୟ ମାଧ୍ୟମ : ନବୀନ

ଭୁବନେଶ୍ବର : ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ଭତ୍ତା ସବୁଥିରେ ପ୍ରତାରଣା କରୁଛି ବିଜେପି ସରକାର। ଲୋକଙ୍କୁ ମିଛ ଆଶ୍ୱାସନା ଦେଇ ନିର୍ବାଚନ ଜିତିବା ପରେ ବିଜେପି ସରକାରଙ୍କ ମାଳ ମାଳ ପ୍ରତିଶ୍ରୁତିରେ ଏବେ ସାଧାରଣ ଜନତାଙ୍କୁ ମିଳୁଛି ଧୋକା। ମିଛ କହି ନିର୍ବାଚନ ଜିତିହୁଏ ମାତ୍ର ଲୋକଙ୍କ ହୃଦୟ ନୁହେଁ। ଲୋକଙ୍କ ହୃଦୟ ଜିତିବାକୁ ହେଲେ ସେବା ହିଁ ମୁଖ୍ୟ ମାଧ୍ୟମ । ଏଭଳି କିଛି କହି ବିଜେପି ସରକାର ଉପରେ ବର୍ଷୀଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
 ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ବିଜୁ ଯୁବ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ନିଜ ଅଭିଭାଷଣ ରଖିବା ସମୟରେ ନବୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜନତାଙ୍କ ପ୍ରତି ଶାସକ ଦଳର ବୈମାତୃକ ମନଭାବନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ। ଏହାସହ ନବୀନ ଆହୁରି ମଧ୍ୟ କହିଛନ୍ତି ବଡ଼ ପାଟିରେ କହିଲେ ମିଛ ସତ ହୁଏ ନାହିଁ। ନିର୍ବାଚନ ଜିତିବାକୁ ୩ମାସ ପୂରିଗଲା। ଏବେ ଆଇ ମା ଗପ ଛାଡ଼ି ସରକାର କାମ କରି ଦେଖାନ୍ତୁ ।
ନବୀନ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଜଣ ଅଛନ୍ତି ଯେଉଁମାନେ ଆମ ପୂର୍ବ ସୁରୀ ତଥା ମହାପୁରୁଷମାନଙ୍କ ସୁନାମକୁ କଳଙ୍କିତ କରିବାକୁ ଲାଗିଛନ୍ତି, ଏହା କ’ଣ ଓଡ଼ିଆ ଅସ୍ମିତା ? ସେମାନଙ୍କ ବଳିଦାନକୁ ଅସମ୍ମାନ କରିବା ଏହା କ’ଣ ଆମ ସମ୍ମାନ କୁହାଯିବ ? ଭାରତୀୟ ଜନତା ପାର୍ଟିର ସରକାର ଆରମ୍ଭରୁ ବଡ଼ ପାଟିରେ ବାରମ୍ବାର ମିଛ କହିଚାଲିଛନ୍ତି। ସେ ବୁଝିବା ଦରକାର ଯେ, ବଡ଼ ପାଟିରେ କହିଦେଲେ ମିଛ ସତ ହୁଏ ନାହିଁ। ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ୩୦୦ ୟୁନିଟ୍‌ ମାଗଣା ବିଜୁଳି, ପେନସନ୍‌ ଯୋଗାଇବାର ପ୍ରତିଶ୍ରୁତି ଦେଖାଇ ସବୁଥିରେ ବିଫଳ। ମିଛ କହି ଏ ସରକାର ନିର୍ବାଚନ ଜିତିଯାଇ ପାରନ୍ତି, କିନ୍ତୁ ଲୋକଙ୍କର ହୃଦୟ ନୁହେଁ। ଏ ସମସ୍ତ ବିଷୟରେ ବିଜେଡିର ଯୁବ ସଂଗଠନ ଓଡ଼ିଶାବାସୀଙ୍କୁ ସଚେତନ କରିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ମିଥ୍ୟା ଖବର ଓ ଅପପ୍ରଚାର ବିରୋଧରେ ଦୃଢ଼ ସଂଗ୍ରାମ ଜାରି ରଖିବା ନିମନ୍ତେ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।