‘ପରିକ୍ରମା’ ବେଳେ ଅକ୍ଷୁଣ୍ଣ ଥିଲା ମଠ ସଂସ୍କୃତି: ବିଜେଡି
ଭୁବନେଶ୍ୱର : ପରିକ୍ରମା ପ୍ରକଳ୍ପ ବେଳେ ଏହି ସ୍ଥଳରେ ଥିବା ୧୯ଟି ଐତିହ୍ୟ ମଠ ଗୁଡିକର ପୁନର୍ବିନ୍ୟାସ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଐତିହ୍ୟ ସ୍ୱରୂପ ବିରାଜମାନ ଥିବା ଏହି ୧୯ଟି ମଠର ମୂଳ ପୀଠ ବା ବିଜେସ୍ଥଳୀକୁ ପ୍ରକଳ୍ପ ଆରମ୍ଭ ସମୟରେ ଅକ୍ଷୁଣ୍ଣ ରଖାଯାଇଥିଲା ବୋଲି ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡଃ ଲେନିନ ମହାନ୍ତି । ମଠାଧିଶମାନଙ୍କ ସହ ଆଲୋଚନା କରାଯାଇ କେବଳ ବିଦ୍ୟାର୍ଥୀ ଭବନ ଓ ସନ୍ଥ ଭବନ ଇତ୍ୟାଦି ଗୁଡିକ ଭଙ୍ଗାଯାଇ, ସେଗୁଡିକ ଅନ୍ୟ ଏକ ସ୍ଥଳରେ ନିର୍ମାଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସେହି ଅନୁସାରେ, ମଠ ଗୁଡିକର ବିଜେସ୍ଥଳୀର ସୌନ୍ଦର୍ଯ୍ୟକରଣ କରାଯାଇ ଏବେ ବି ପୂର୍ବସ୍ଥାନରେ ବିରାଜମାନ ଅଛି ଓ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ସେଗୁଡିକ ଦର୍ଶନ କରୁଛନ୍ତି । ମଠ ଗୁଡିକର ସନ୍ଥ ଭବନ ଓ ବିଦ୍ୟାର୍ଥୀ ଭବନ ଇତ୍ୟାଦି ଆଉ ଏକ ସ୍ଥାନରେ ପୁନଃବିନ୍ୟାସ କରାଯିବ ବୋଲି ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ, ଯାହାକୁ ମଠାଧିଶମାନେ ମଧ୍ୟ ଗ୍ରହଣ କରିଥିଲେ ବୋଲି ଲେନିନ କହିଛନ୍ତି । ସେହିପରି ମଠ ଗୁଡିକୁ ସମ୍ପୂର୍ଣ ଭାଙ୍ଗି ଦିଆ ଯାଇଥିଲା ବୋଲି ଯେଉଁ ଭୁଲ୍ ଧାରଣା ସୃଷ୍ଟି କରାଯାଉଛି, ତାହା ଆଦୌ ଠିକ ନୁହେଁ । ଶ୍ରୀକ୍ଷେତ୍ରର ମଠ ସଂସ୍କୃତି ବେଶ ସମୃଦ୍ଧ । ମଠ ସଂସ୍କୃତିକୁ ଅକ୍ଷୁଣ୍ଣ ରଖିବା ଉଦେ୍ଦଶ୍ୟରେ ବିଜେସ୍ଥଳୀକୁ ଅକ୍ଷୁଣ୍ଣ ରଖିବା ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଥିଲା ବୋଲି କହିଛନ୍ତି ।