ନିର୍ବାଚନ କମିସନ ସତ୍ୟପାଠ ମାଗିନାହାନ୍ତି: ବିଜେଡି



ଭୁବନେଶ୍ୱର : ୨୦୨୪ ନିର୍ବାଚନରେ ପରିଲକ୍ଷିତ ହୋଇଥିବା କିଛି ଅସଙ୍ଗତିକୁ ନେଇ ବିଜୁ ଜନତା ଦଳ ନିର୍ବାଚନ କମିସନଙ୍କ ସମ୍ମୁଖରେ ଉଠାଇଥିବା ପ୍ରସଙ୍ଗରେ, ବିଜୁ ଜନତା ଦଳ ସତ୍ୟପାଠ ଦାଖଲ ନକରି କେବଳ ଉପର ଠାଉରିଆ ଭାବେ ଅଭିଯୋଗ କରିଛି ବୋଲି କିଛି ବୈଦୁ୍ୟତିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ ଏହି ଖବରକୁ ଖଣ୍ଡନ କରିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମିହିର ରାୟ ଓ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଗତ ନିର୍ବାଚନରେ ପରିଲକ୍ଷିତ ହୋଇଥିବା ଅସଙ୍ଗତିକୁ ନେଇ ଲିଖିତ ଭାବେ ନିର୍ବାଚନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିର୍ବାଚନ କମିସନଙ୍କ ତରଫରୁ କୌଣସି ସମୟରେ ବିଜେଡିକୁ ସତ୍ୟପାଠ ମଗାଯାଇ ନାହିଁ, ତେଣୁ ଏହି ସତ୍ୟପାଠ ଦେବାର ଆବଶ୍ୟକତା ନାହିଁ । 
 ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଫଳାଫଳକୁ ଅନୁଶୀଳନ କରିବା ପରେ, ଅନେକ ଅସଙ୍ଗତି ପରିଲକ୍ଷିତ ହୋଇଥିଲା ।ଏହି ଅସଙ୍ଗତି ଗୁଡିକର ତଥ୍ୟ ଦେଇ ବିଜୁ ଜନତା ଦଳ ଲିଖିତ ଭାବେ ନିର୍ବାଚନ କମିସନଙ୍କୁ ୨୦୨୪ ମସିହା ଡିସେମ୍ୱର ୧୯ ତାରିଖ ଦିନ ପତ୍ର ମାଧ୍ୟମରେ ଜଣାଇବା ସହିତ, ଏହାର ସ୍ପଷ୍ଟୀକରଣ ଚାହିଁଥିଲା  । ବିଜେଡି ପତ୍ରର ଉତ୍ତରରେ, ନିର୍ବାଚନ କମିସନଙ୍କ ତରଫରୁ  ମାର୍ଚ୍ଚ  ୧୦ତାରିଖରେ  ଉତ୍ତର ଦିଆଯାଇଥିଲା ।  ଏହି ଉତ୍ତର ସନ୍ତୋଷଜନକ ହୋଇ ନଥିବାରୁ, ବିଜେଡି ତରଫରୁ ଏପ୍ରିଲ ମାସରେ ଆଉ ଏକ ଚିଠି ପ୍ରଦାନ କରାଯାଇଥିଲା  । ଏହି ପତ୍ରର ଉତ୍ତର ନିର୍ବାଚନ କମିସନ ଜୁଲାଇ ୧୪ ତାରିଖରେ ଦେଇଥିଲେ, ଯାହା ମଧ୍ୟ ବିଭିନ୍ନ ଦୃଷ୍ଟିରୁ ସନ୍ତୋଷଜନକ ନଥିଲା । ଏହାପରେ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ କ୍ରମେ, ଆଜି ନିଜେଡିର ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ ନିର୍ବାଚନ କମିସନଙ୍କୁ ଭେଟିଛନ୍ତି । ନିର୍ବାଚନ କମିସନ ଓ ବିଜେଡି ମଧ୍ୟରେ ଗତ ଡିସେମ୍ୱର ମାସରୁ ନିୟମିତ ଭାବେ ବାର୍ତ୍ତାଳାପ ଚାଲିଥିବା ବେଳେ, କୌଣସି ସମୟରେ ବିଜେଡିକୁ ସତ୍ୟପାଠ କରିବା କଥା ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇ ନାହିଁ ବୋଲି ଉଭୟ ଆଜି ସୂଚନା ଦେଇଛନ୍ତି ।