ଚତୁର୍ଥ ସିଆଇଆଇ ସମ୍ମିଳନୀରେ କେଭି

 ଭୁବନେଶ୍ୱର :  ମହାରାଷ୍ଟ୍ର ମୁମ୍ବାଇସ୍ଥିତ ହୋଟେଲ ତାଜମହଲ ପ୍ୟାଲେସରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘ, ପୂର୍ବ ଭାରତ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଛନ୍ତି । ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀ ପୂର୍ବ ଭାରତର ବିଶାଳ ଆର୍ଥିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ କେନ୍ଦ୍ରିତ ଏକ ପ୍ରମୁଖ ପଦକ୍ଷେପ । ଏହି ସମ୍ମିଳନୀରେ ନିବେଶକ ଏବଂ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ, ଗୋଲଟେବୁଲ ନୀତି ନିର୍ଦ୍ଧାରଣ ଓ ଆଲୋଚନା କରାଯାଇଛି ।
ା ଶ୍ରୀ ସିଂହଦେଓ ତାଙ୍କ ମୁଖ୍ୟ ଅଭିଭାଷଣରେ କହିଛନ୍ତି ଯେ, ଓଡିଶା ଖଣିଜ ସମ୍ପତ୍ତି, ଗଭୀର ଜଳ ବନ୍ଦର, ଦୃଢ଼ ରେଳ ଓ ରାସ୍ତା ସଂଯୋଗୀକରଣ, ଜମି, ପ୍ରାକୃତିକ ସମ୍ବଳ ସହିତ ଏକ ନିବେଶଯୋଗ୍ୟ ସ୍ଥାନ । ଏଥିସହିତ ଓଡ଼ିଶା ସମନ୍ୱିତ ଶିଳ୍ପ ଇକୋସିଷ୍ଟମ୍, ରପ୍ତାନୀ-ମୁଖୀ ଉତ୍ପାଦନ କରିଡର ନିର୍ମାଣ କରୁଛି ଯାହା ଲଜିଷ୍ଟିକ୍ ଏବଂ ବଜାର ପ୍ରବେଶକୁ ଆହୁରି ସୁଗମ ଓ ସହଜ କରିବ । ଉନ୍ନତ ପ୍ରଯୁକ୍ତିବିଦ୍ୟା, ଗ୍ରୀନ ଫିଲଡ଼ ପ୍ରୋଜେକ୍ଟ, ବନ୍ଦର-ନେତୃତ୍ୱାଧୀନ ଶିଳ୍ପ ଅଭିବୃଦ୍ଧିରେ ଓଡିଶା ନିବେଶ ଗ୍ରହଣ ପାଇଁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀଙ୍କ ଉକ୍ତିରେ ପୂର୍ବ ଭାରତରେ ନିବେଶ କରିବାର ଏହା ସଠିକ୍ ସମୟ, ତେଣୁ ଉପ-ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିବେଶ କରିବାକୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।
ଉପ-ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆମ ସରକାର ରେକର୍ଡ ସଂଖ୍ୟକ ୫୬ ଟି ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛି, ଯାହା  ୧.୭୮ ଲକ୍ଷ କୋଟି ନିବେଶକୁ ପ୍ରତିନିଧିତ୍ୱ କରୁଛି ଏବଂ ୧.୧୧ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି ।  ନୂତନ ନିବେଶ ସହ ଆହୁରି ଏକ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବା ଆମର ଲକ୍ଷ୍ୟ ରହିଛି । ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିହାରର ଶିଳ୍ପ ମନ୍ତ୍ରୀ ନୀତୀଶ ମିଶ୍ର, ଛତିଶଗଡ଼ର ଅର୍ଥମନ୍ତ୍ରୀ  ଓ ପି ଚୌଧୁରୀ,  ସିଆଇଆଇ ପୂର୍ବ କ୍ଷେତ୍ରର ଚେୟାରମ୍ୟାନ ଶାଶ୍ୱତ ଗୋଏଙ୍କା, ସିଆଇଆଇ ପଶ୍ଚିମ କ୍ଷେତ୍ରର ଚେୟାରମ୍ୟାନ ରିଷି କୁମାର ବାଗଲା, ଏମଏସଏମଇ ବିଭାଗ ଓଡ଼ିଶା କମିଶନର-ତଥା-ସଚିବ ଡି ପ୍ରଶାନ୍ତ କୁମାର ରେଡ୍ଡୀ ଓ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗର ପ୍ରଶାସନିକ ଅଧିକାରୀ, ନିବେଶକ, ଶିଳ୍ପପତି, ଉଦ୍ୟୋଗୀ ପ୍ରମୁଖ ଯୋଗଦେଇଛନ୍ତି ।