ବିଜେପିକୁ ମୁହାଁଉଛନ୍ତି ଯୁବ ଓ ଛାତ୍ର

BJP BJD ODISHA POLITICS

ବିଜେପିକୁ ମୁହାଁଉଛନ୍ତି ଯୁବ ଓ ଛାତ୍ର

ବିଜେପି ଆଡ଼କୁ ଢ଼ଳିବାରେ ଲାଗିଛନ୍ତି ଯୁବ ଓ ଛାତ୍ର ବର୍ଗ  । ଯାହା ଏବେ ବିଜେଡ଼ି ମନରେ ଛନକା ପୂରାଇ ଦେଇଛି  । ଏଥିପାଇଁ ବିଜେଡ଼ି ନେତାମାନେ ସଂଗଠନ ସଜାଡ଼ିବାକୁ ଦିନରାତି ଏକ କରିଦେଇଛନ୍ତି  । ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଜିଲ୍ଲାଗସ୍ତ ଆରମ୍ଭ କରିଦେଇଛନ୍ତି  । ଛାତ୍ର ଓ ଯୁବନେତାମାନଙ୍କୁ ଭେଟି ସମସ୍ୟା ବୁଝୁଛନ୍ତି  । ଆଗକୁ ସବୁ କିଛି ବଦଳିବ ବୋଲି ଭରସା ବି ଦେଉଛନ୍ତି  । ହେଲେ ଅସନ୍ତୁଷ୍ଟ ଯୁବ ଓ ଛାତ୍ରନେତାମାନେ କିନ୍ତୁ ମାନିବାକୁ ନାରାଜ  । ସିଧାସିଧା ମୁହେଁମୁହେଁ ଶୁଣାଉଛନ୍ତି  । ପଞ୍ଚାୟତ ନିର୍ବାଚନ ପରେ ପରେ ସେମାନଙ୍କୁ ଅଣଦେଖା କରାଗଲା  । ସାଧାରଣ ନିର୍ବାଚନ ବେଳେ ବି ଗୁରୁତ୍ୱ ଦିଆଗଲା ନାହିଁ  । ଏବେ ଦଳ ହାରିବା ପରେ କାହିଁକି ଆସୁଛ ବୋଲି ବି ପଚାରିଛନ୍ତି  । ପୂର୍ବରୁ ବିଜେଡ଼ିର ପରାଜୟ ପାଇଁ ଅନେକ ଯୁବ ଓ ଛାତ୍ରନେତା ଶଙ୍ଖ ଭବନ ଭିତରେ ପଶି ପାଣ୍ଡିଆନ ଓ ବବି ଦାସଙ୍କ ବିରୋଧରେ ନାରାବାଜି ବି କରିଥିଲେ  । ସ୍ଥିତି ଏମିତି ହୋଇଥିଲାଯେ, ଶେଷରେ ନବୀନଙ୍କୁ ସାମ୍ନାକୁ ଆସିବାକୁ ପଡ଼ିଥିଲା  । ପାଣ୍ଡିଆନଙ୍କୁ ସେ କ୍ଳିନଚିଟ୍‌ ଦେବାକୁ ବାଧ୍ୟ ହୋଇଥିଲେ  । ତେବେ ଏବେ ମଧ୍ୟ ପାଣ୍ଡିଆନ ପରଦା ପଛପଟରେ ରହି ଗୋଟିଚାଳନା କରୁଛନ୍ତି  । ତେଣୁ ଯୁବ ଓ ଛାତ୍ରଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି  । ଆଗକୁ ବିଜେଡ଼ି ସାଂଗଠନିକ ପୁନର୍ବିନ୍ୟାସ କରିବାକୁ ଯାଉଛି  । ଗାଁ ଗାଁକୁ ନିଜେ ନବୀନ ଯାଇ ନେତାମାନଙ୍କୁ ଭେଟିବେ  । ଏହା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ନେତାଙ୍କୁ ଡାକି ବୁଝାସୁଝା କରିବାକୁ ଦଳ ପକ୍ଷରୁ ବାପି ଓ ଦେବୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଜାଣିବାକୁ ମିଳିଛି  । ନଚେତ୍‌ ନବୀନଙ୍କ ଗସ୍ତକାଳରେ ଅପ୍ରୀତିକର ସ୍ଥିତି ବି ସୃଷ୍ଟି ହେବାର ଆଶଙ୍କା ରହିଛି  । ଆଗରୁ ନବୀନ ମୁଖ୍ୟମନ୍ତ୍ରୀ ଥିବାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଯାଉଥିଲେ  । କିନ୍ତୁ ଏବେ ପୂର୍ବଭଳି ସୁରକ୍ଷା ବ୍ୟବସ୍ଥା ବି ମିଳିବ ନାହିଁ  । ସେହିପରି ନିଜ ଦଳୀୟ କର୍ମୀ ଯଦି ଅପ୍ରୀତିକର ସ୍ଥିତି ସୃଷ୍ଟି କରନ୍ତି ତେବେ ପଦାକୁ ଭୁଲ୍‌ ବାର୍ତ୍ତା ମଧ୍ୟ ଯିବ  । ଖାଲି ସେତିକିନୁହେଁ ବିଜେପି ନିର୍ବାଚନବେଳେ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା କାର୍ଯ୍ୟକାରୀ କରୁନାହିଁ  । ଏହା ବିରୋଧରେ ମଧ୍ୟ ବିଜେଡ଼ି ଜନ ଜାଗରଣ କରିବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି  ।