ହାତୀ ଭାଙ୍ଗିଲେ ସରକାର ଦେବେ ଘର
Elephant
ଭୁବନେଶ୍ୱର : ଅନେକ ସମୟରେ ହାତୀ ପଲ ଜନବସତି ମୁହାଁ ହେବା ସହ ଲୋକମାନଙ୍କ ଘର ଭାଙ୍ଗିଦେବା ସହ ଫସଲ ନଷ୍ଟ କରିଦେଇଥା’ନ୍ତି । ତେବେ ଘର ଭାଙ୍ଗିବା ପାଇଁ ସରକାର ଆଗରୁ ମାତ୍ର ୨୦ ହଜାର ଟଙ୍କା ଦେଉଥିଲେ । କିନ୍ତୁ ଏବେ ହାତୀ ଘର ଭାଙ୍ଗିଲେ ରାଜ୍ୟ ସରକାର ନୂତନ ଘର ନିର୍ମାଣ ପାଇଁ ଅର୍ଥ ଯୋଗାଇଦେବେ ।
ବିଶ୍ୱ ହସ୍ତୀ ଦିବସ ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ଜଙ୍ଗଲ ଭିତରେ ଯେଉଁଠି ଗାଁ ଅଛି ସେଠାରେ ସୋଲାର ବିଦ୍ୟୁତ୍ ଯୋଗାଇବା ପାଇଁ ବ୍ୟବସ୍ଥା ସହିତ ଖୋଲା ବିଦ୍ୟୁତ୍ ତାରକୁ କେବଲକୁ ପରିବର୍ତ୍ତନ କରାଯିବ । ଯାହା ଫଳରେ ହାତୀ ସୁରକ୍ଷିତ ରହିବେ ।
ସେହିପରି ପୂର୍ବରୁ ହାତୀ ଘର ଭାଙ୍ଗିଲେ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଥିଲା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀ ଯୋଗୁଁ ଯଦି ଲୋକଙ୍କ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୁଏ ତେବେ ସରକାରଙ୍କ ଗୃହ ଯୋଜନାରେ ଯେତିକି ଅର୍ଥ ହିତାଧିକାରୀଙ୍କୁ ମିଳୁଛି ସେତିକି ଅର୍ଥ କ୍ଷତିଗ୍ରସ୍ତଙ୍କୁ ନୂତନ ଘର ନିର୍ମାଣ ପାଇଁ ଦିଆଯିବ ।