୫ ଟନ୍ ଲୁଟିଥିଲେ ମାଓବାଦୀ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ଅଞ୍ଚଳରୁ ମାଓବାଦୀମାନେ ୫ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ  । ସେଥିମଧ୍ୟରୁ ୩.୮ ଟନ୍ ବିସ୍ଫୋରକ ଜବତ ହୋଇଛି  । ବିସ୍ଫୋରକ ପରିବହନ ବେଳେ ଏସଓପି ପାଳନ କରାଯାଇନଥିଲା  । ପୁଲିସ୍ ଡିଜି ଯୋଗେଶ ବାହାଦୂର ଖୁରାନିଆ ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି  । ଭୁବନେଶ୍ୱର ଡ଼ିଜିପି କ୍ୟାମ୍ପ ଅଫିସରେ ଡିଜିପି କହିଛନ୍ତିଯେ, ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି  । ଗତ ୨୭ ରାତିରୁ ଆରମ୍ଭ ହୋଇଥିବା ଅପରେସନ୍ ଜାରି ରହିଛି । ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏସଆଇଟି ଦ୍ୱାରା ତଦନ୍ତ ହେଉଛି  । ଲୁଟ୍ ହୋଇଥିବା ୫ ଟନ୍ ବିସ୍ଫୋରକରୁ ୩.୮ ଟନ୍ ବିସ୍ଫୋରକ ଜବତ କରାଯାଇଛି  । ତେବେ ବିସ୍ଫୋରକ ପଠାଗଲା ବେଳେ ଏସଓପି ଅନୁସରଣ କରାଯାଇନଥିଲା । ଅବଶିଷ୍ଟ ବିସ୍ଫୋରକକୁ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି  । ସୂଚନାଯୋଗ୍ୟ ଯେ, ଗତ ମଇ’ ୨୭ ତାରିଖରେ ରାଉରକେଲାର କେ.ବଲାଙ୍ଗ ଥାନା ଅଞ୍ଚଳରୁ ୨ ଶହ ପେଟି ଅର୍ଥାତ୍ ପ୍ରାୟ ୫ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ ମାଓବାଦୀ । ସୁରକ୍ଷାକର୍ମୀମାନେ ସରଣ୍ଡା ଜଙ୍ଗଲରେ କମ୍ବିଂ କରି ମାଟିତଳୁ ପ୍ରାୟ ୭୦ ପ୍ରତିଶତ ବିସ୍ଫୋରକ ଜବତ କରିଥିଲେ  । ମଙ୍ଗଳବାର ସରଣ୍ଡା ଜଙ୍ଗଲର ତିରିଲପୋଷରେ ଆହୁରି ଅଢ଼େଇ ଟନ୍ ବିସ୍ଫୋରକ ଜବତ ହୋଇଥିଲା  । ରାଉରକେଲାର ଏକ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ଗାଡ଼ିରୁ ଏହି ବିସ୍ଫୋରକ ମିଳିଥିଲା  ।