ବୁମେରାଂ ହେବ ବିଜେଡ଼ିର ଜନ ଜାଗରଣ
Biju Janata Dal
ଭୁବନେଶ୍ୱର : ବିଜେପି ସରକାର ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି ବିଜୁ ଜନତା ଦଳ । ଇସ୍ତାହାର ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଜେଡ଼ି ଜନଜାଗରଣ ଅଭିଯାନ ଆରମ୍ଭ କରିଛି । ହେଲେ ଦଳର ଏହି ତରବରିଆ ଅଭିଯାନ ବୁମେରାଂ ହେବବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ବିଜେପି ସରକାର ଗଢ଼ିବାର ମାତ୍ର ଦୁଇ ମାସ ପୂରଣ ହୋଇଛି । ତେବେ ଏହି ସମୟ ମଧ୍ୟରେ ମୋହନ ସରକାର ବହୁ ବଡ଼ ପଦକ୍ଷେପ ନେଇଛନ୍ତି । ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ଆରମ୍ଭ ହେବବୋଲି ଘୋଷଣା ବି ସରିଛି । ସେପଟେ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା ଓ ୮୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ୩୫ ଶହ ଟଙ୍କା ଭତ୍ତା ମିଳିବ ବୋଲି ଘୋଷଣା ବି ହୋଇଛି । ହେଲେ ଏହି ପ୍ରସଙ୍ଗରେ ବିଜେଡ଼ି ଏବେ ଜନଜାଗରଣ କରିବାକୁ ଚାହୁଁଛି । ସମସ୍ତଙ୍କୁ କାହିଁକି ୩୫ ଶହ ଟଙ୍କା ଭତ୍ତା ଦିଆଗଲାନି ବୋଲି ବିଜେଡ଼ି ପ୍ରଶ୍ନ ଉଠାଇଛି ? ତେବେ ୨୪ ବର୍ଷର ସରକାର କେତେ ଭତ୍ତା ଦେଉଥିଲା ? ବୋଲି ଲୋକେ ବି ନିହାତି ପ୍ରଶ୍ନ କରିବେ । ବିଜେଡ଼ିର ଏହି ଜନଜାଗରଣକୁ ନେଇ ଦଳରେ ବି ଫାଟ ସୃଷ୍ଟିହୋଇଛି । କ୍ଷମତାରେ ଏତେ ବର୍ଷ ଥିବା ପରେ ବି ଯାହା ବିଜେଡ଼ି କରିନଥିଲା ଏବେ ବିଜେପି ତାହା କରି ଦେଖାଇଛି । ସରକାରଙ୍କ ଭୁଲ ମାପିବା ପାଇଁ ଆଉ ଛଅ ମାସ ଅପେକ୍ଷା କରିବାକୁ ଦଳର କେତେକ ନେତା ପ୍ରସ୍ତାବ ଦେଇଛନ୍ତି । ଚାଷୀଙ୍କୁ ୩୧ ଶହ ଟଙ୍କା ଏମଏସପି ଦେବା ଛୋଟିଆ କଥା ନୁହେଁ । ଯାହାକି ଏବେ ଚାଷୀଙ୍କ ମନରେ ଆନନ୍ଦ ଖେଳାଇ ଦେଇଛି । କିନ୍ତୁ ଏହାକୁ ନେଇ ବିଜେଡ଼ି ଯଦି ପ୍ରଶ୍ନ କରେ ତେବେ ଚାଷୀ ହିଁ ଖପ୍ପା ହୋଇଯିବେ । ଦଳର ନେତା ଗାଁ ଗାଁକୁ ଯାଇ ଏବେ ଜନଜାଗରଣ ନକରିବାକୁ ପରାମର୍ଶ ଦେଉଥିଲେବି ବିଜେଡ଼ିର ପାଣ୍ଡିଆନ୍ ଗୋଷ୍ଠୀ କିନ୍ତୁ ନିଜ ଜିଦ୍ରେ ଅଟଳ ଅଛନ୍ତି । ତେଣୁ ଏହି ଜନଜାଗରଣ ବୁମେରାଂ ହେବବୋଲି କୁହାଯାଇପାରେ ।