ପିଲାଙ୍କୁ ଦିଅନ୍ତୁ ଉଚିତ୍ ସଂସ୍କାର!

ବନ୍ଧୁତା ହେଉ କି ଶତ୍ରୁତା ବୁଝନ୍ତି ନାହିଁ ପିଲା। ସେଥିପାଇଁ ସେମାନେ ପଡ଼ୋଶୀ ଘରକୁ ବି ନିଜର ଭାବନ୍ତି। ନିଶ୍ଚିତରେ ସେଠି ଖେଳନ୍ତି ଆଉ ବୁଲନ୍ତି। ପିଲାଙ୍କର ଏହି ଅଭ୍ୟାସ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରୁ ସେଥିପାଇଁ ମା’ ମାନେ ସେମାନଙ୍କୁ କିଛି ବ୍ୟବହାରିକ ଗୁଣ ଶିଖାଇବା ଆବଶ୍ୟକ…
ହସ ଖେଳ ଆଉ ମଜାମସ୍ତି କରିବା ପାଇଁ ପିଲାମାନେ ସବୁବେଳେ ଖୋଜନ୍ତି ତାଙ୍କ ସାଙ୍ଗ ପିଲାମାନଙ୍କୁ। କିନ୍ତୁ ଆଜିକାଲିର ଅଧିକାଂଶ ଏକାନ୍ନବର୍ତ୍ତୀ ପରିବାରରେ ପିଲାମାନେ ଘରେ ଏକୁଟିଆ ରହି ଚିଡ଼ିଚିଡ଼ା ହୋଇ ଯାଉଛନ୍ତି। ଅନେକ ସମୟରେ ପିଲା ଜିଦିଆ, ପ୍ରତିକ୍ରିୟାଶୀଳ ହେଉଥିବା ବି ଦେଖିବାକୁ ମିଳୁଛି। ଏହି ଦୃଷ୍ଟିରୁ ପିଲାଙ୍କୁ ସମ୍ଭାଳିବା ପାଇଁ ଢେର୍ ଉପାୟ ଚିନ୍ତା କରୁଛନ୍ତି ମା’ମାନେ। ତେବେ ମା’ ଯଦି କର୍ମଜୀବୀ ହୋଇଥାନ୍ତି ପିଲାଙ୍କ ସମୟକୁ ଖୁସିରେ ଅତିବାହିତ କରାଇବା ଆହୁରି କଷ୍ଟକର ମନେ ହୋଇଥାଏ। ଏଭଳି କ୍ଷେତ୍ରରେ ପିଲାଙ୍କ ପାଇଁ ବେଶ୍ ସହାୟକ ହୋଇଥାନ୍ତି ପଡ଼ୋଶୀ। ପିଲାମାନେ ପଡ଼ୋଶୀଙ୍କ ଘରକୁ ଯାଇ ସେମାନଙ୍କ ପିଲାଙ୍କ ସହ କିଛି ସମୟ ଅତିବାହିତ କରି ଖୁସି ହୋଇଯାନ୍ତି। ହେଲେ ପଡ଼ୋଶୀଙ୍କ ଘରେ ପିଲାମାନେ ଯେମିତି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ କରନ୍ତି ଏଥିପାଇଁ ମା’ମାନଙ୍କୁ ହିଁ କେତେକ ଦିଗ ପ୍ରତି ଦୃଷ୍ଟିଦେବାକୁ ହେବ।
ଗୁରୁଜନଙ୍କୁ ସମ୍ମାନ:
ନିଜ ଘରେ ହେଉ କି ପଡ଼ୋଶୀଙ୍କ ଘରେ ସବୁଠି ଗୁରୁଜନମାନଙ୍କୁ ସମ୍ମାନ ଦେବା ଉଚିତ। ଏକଥା ପ୍ରଥମେ ନିଜ ପିଲାଙ୍କୁ ଶିଖାନ୍ତୁ। ଫଳରେ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ପିଲାଟି ସେଠାରେ ବଡ଼ମାନଙ୍କ କଥା ମାନିବ ଏବଂ ସେହି ଅନୁସାରେ ଭଲ ବ୍ୟବହାର ବି ଦେଖାଇବ। ପଡ଼ୋଶୀଙ୍କ ଘରେ ସମସ୍ତେ ପିଲା ପ୍ରତି ଭଲ ଭାବନା ରଖିବେ ଓ ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି ହୋଇପାରିବ।
ଜିନିଷ ନଷ୍ଟ ନ ହେଉ:
ପିଲାମାନେ ସାଧାରଣତଃ ନିଜ ଘରେ ବିଭିନ୍ନ ଜିନିଷକୁ ଧରି ଖେଳନା କରି ଖେଳନ୍ତି। ବେଳେବେଳେ ଅନେକ କିଛି ନଷ୍ଟ ବି କରିଥାନ୍ତି। କିନ୍ତୁ ପଡ଼ୋଶୀଙ୍କ ଘରେ ଥିବା ସବୁ ଜିନିଷକୁ ଯେମିତି ପିଲା ଖେଳନା ନ କରୁ, ଏନେଇ ପିଲାଙ୍କୁ ଶିକ୍ଷା ଦେବା ଉଚିତ। ତାଙ୍କ ଘରେ ପିଲା ଯେପରି କୌଣସି ଜିନିଷରେ ହାତ ନ ଲଗାଇବ ଏବଂ କୌଣସି ଜିନିଷ ଆଣିବା ପାଇଁ ଜିଦ୍ ନ କରିବ ସେଥିପ୍ରତି ପୂର୍ବରୁ ଶିକ୍ଷା ଦେବା ଉଚିତ।
ପେଟପୂରା ଖୁଆନ୍ତୁ:
ପଡ଼ୋଶୀଙ୍କ ଘରକୁ ପିଲା ଖେଳିବାକୁ ଯିବା ପୂର୍ବରୁ ତାକୁ ପେଟ ପୂରା ଖାଇବା ପାଇଁ ଦିଅନ୍ତୁ। ଫଳରେ ପଡ଼ୋଶୀଙ୍କ ଘରେ ସେ ଆଉ ଅନ୍ୟ କିଛି ଖାଇବା ପାଇଁ ଜିଦ୍ କରିବ ନାହିଁ। ଏହା ସହ ଅନ୍ୟ କାହା ଘରେ ଅନୁମତି ନ ନେଇ କୌଣସି ଖାଇବା ଜିନିଷ ପିଲା ଯେପରି ହାତ ନ ଲଗାଇବ ସେଥିପ୍ରତି ସତର୍କ କରାଇଥାନ୍ତୁ।
ସମୟକୁ ଧ୍ୟାନ ଦିଅନ୍ତୁ:
ପଡ଼ୋଶୀଙ୍କ ଘରକୁ ପିଲା ହୁଏତ ବାରମ୍ବାର ଖେଳିବାକୁ ଯିବା ପାଇଁ ଜିଦ୍ କରିପାରେ, କିନ୍ତୁ ଅତି ସକାଳୁ କିମ୍ବା ଖାଇବା ଅଥବା ଶୋଇବା ସମୟରେ ପିଲାଙ୍କୁ ପଡ଼ୋଶୀଙ୍କ ଘରକୁ ପଠାନ୍ତୁ ନାହିଁ। କେଉଁ ସମୟରେ ପଡ଼ୋଶୀଙ୍କ ଘରକୁ ଗଲେ ସେମାନେ ଡିଷ୍ଟର୍ବ ହେବେ ନାହିଁ ସେକଥା ଜଣାନ୍ତୁ। ଏହା ସହ କାହା ଘରକୁ ଯିବା ପୂର୍ବରୁ ତାଙ୍କୁ ଜଣାଇବା ମଧ୍ୟ ନିହାତି ଦରକାର। ତେଣୁ ଆପଣଙ୍କ ପିଲା ଯଦି ପଡ଼ୋଶୀଙ୍କ ଘରକୁ ଯାଉଥାଏ ତାଙ୍କୁ ଆଗୁଆ ଜଣାଇଦେବା ଭଲ। ଏହା ସହିତ ଖେଳିବା ପରେ ପିଲା ନିଜ ଘରକୁ ଫେରିବା ସମୟରେ ମଧ୍ୟ ପଡ଼ୋଶୀଙ୍କ ଘରେ କୌଣସି ଗୁରୁଜନଙ୍କୁ ଜଣାଇ ଆସିବା ପାଇଁ ପିଲାକୁ କୁହନ୍ତୁ।